ଡାକ୍ତରଖାନା ପାଇଁ ତାତିଲେ, ମାତିଲେ ଲୋକେ: ବରଗଡ଼ରେ ପୋଲିସ୍- ବିକ୍ଷୋଭକାରୀ ମୁହାଁମୁହିଁ, ବୁଝାଇବାକୁ ଆସି ବିଧାୟକ ହଟହଟ୍ଟା
3/02/2020 at 6:04 PM

ବରଗଡ଼୩/୧: ପୁରୁଣା ଡାକ୍ତରଖାନାକୁ PHC ଘୋଷଣା କରିଥିଲେ ସରକାର । ହେଲେ ଏବେ CITY ହସ୍ପିଟାଲ ଦାବିରେ ଆନ୍ଦୋଳନ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ । ପୁରୁଣା ଡାକ୍ତରଖାନା ସାମ୍ନାରେ ବିକ୍ଷୋଭକାରୀ ପୋଲିସ ମୁହାଁମୁହିଁ ହୋଇଥିଲେ । ବରଗଡ଼ ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଥିଲେ ଆନ୍ଦୋଳନକାରୀ ।

ବରଗଡ଼ରେ ଜୋର୍ ଧରିଲା ସିଟି ହସ୍ପିଟାଲ ଦାବି । ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ସ୍ଥାନୀୟ ବାସିନ୍ଦା। ବିକ୍ଷୋଭକାରୀ ପୋଲିସ ମୁହାଁମୁହିଁ । ଗଲା ଜାନୁଆରୀ ୨୧ରେ ବରଗଡ଼ ଭଟଲି ବ୍ଲକର ଟୁକୁର୍ଲା ଖେଦାପାଲିକୁ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ପରେ ପୁରୁଣା ଡାକ୍ତରଖାନାକୁ PHC ଘୋଷଣା କରିଥିଲେ ସରକାର । ତେବେ ସ୍ଥାନୀୟ ଲୋକେ କିନ୍ତୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମାନିବାକୁ ନାରାଜ୍ । ସେମାନେ ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା ଦାବିରେ ଗଲା ୩ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି । ଆଜି ଏହି ଆନ୍ଦୋଳନ ଉଗ୍ରରୂପ ନେଇଥିଲା ।

ଲୋକେ ପୁରୁଣା ଡାକ୍ତରଖାନା ସାମ୍ନାରେ ଧାରଣାରେ ବସି ରାସ୍ତାରୋକ କରିବା ସହ ବରଗଡ଼ ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ନାକେଦମ ହୋଇଥିଲା ପୋଲିସ । ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେପଟେ ସମାନ ଦାବିରେ ୫୩ନମ୍ବର ଜାତୀୟ ରାଜପଥର ବାନ୍ଦୁଟିକ୍ରା- ଗୁଲିପାଲି ଛକରେ ରାସ୍ତାରୋକ କରିଥିଲା ବିଜେପି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।

ଆଜି ସକାଳୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ଯାଇ ହଟହଟା ହୋଇଥିଲେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, । ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖିବା ସହ ଦାବି ପୂରଣ ପାଇଁ ଅଡ଼ି ବସିଥିଲେ । ଏମିତିକି ବରଗଡ଼ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ବରଗଡ଼ ସହର ମଝିରେ ଥିବା ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ ।