ଏଚଡିଏଫସି ଲିମିଟେଡର ସେୟାର କିଣିଲା ଚୀନ କେନ୍ଦ୍ରୀୟ ବ୍ୟାଙ୍କ, ଏକ ପ୍ରତିଶତରୁ ଅଧିକରେ ପହଁଚିଲା ଅଂଶଧନ

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ, ୧୨|୦୪:  ଚୀନର କେନ୍ଦ୍ରୀୟ ବ୍ୟାଙ୍କ୍ ପିପୁଲ୍ସ ବ୍ୟାଙ୍କ୍ ଅଫ୍ ଚାଇନା ମାର୍ଚ୍ଚରେ ଭାରତର ଘରୋଇ ହାଉସିଂ ଫାଇନାନ୍ସ ସେକ୍ଟର ଏଚଡିଏଫସି ଲିମିଟେଡରେ ଏକ ପ୍ରତିଶତକୁ ଅଧିକ ଅଂଶଧନ ହାସଲ କରିଛି । ଏଥିପାଇଁ ପିବିଓସି ଏଚଡିଏଫସିର ୧.୭୫ କୋଟି ସେୟାର କିଣିଛି ।  

କୁହାଯାଉଛି, ଏହି କାରବାର ଜାନୁଆରୀରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ହୋଇଛି । ଚୀନର ବ୍ୟାଙ୍କ ୧,୭୪,୯୨,୯୦୯ କୋଟିର ସେୟାର କିଣିଛି । ଯେଉଁଥିରେ ବ୍ୟାଙ୍କକୁ ୧.୦୧ ପ୍ରତିଶତ ଅଂଶ ମିଳିଛି । ଗତ କିଛି ସପ୍ତାହରେ ଏଚଡିଏଫସି ଲିମିଟେଡର ସେୟାରର ଦାମ ହ୍ରାସ ପାଇଥିଲା । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏହି ହ୍ରାସ ପରିଲକ୍ଷିତ ହୋଇଥିଲା । ଏହାପରେ ଏହାର ସେୟାରର ଦାମରେ ୪୧ ପ୍ରତିଶତ ହ୍ରାସ ପାଇଥିଲା । ଏଚଡିଏଫସିର ଉପଧ୍ୟକ୍ଷ ଓ ସିଇଓ କେକେ ମିସ୍ତ୍ରୀ କହିଛନ୍ତି ଯେ, ମାର୍ଚ୍ଚ ୨୦୧୯ ଯାଏଁ ପିପୁଲ୍ସ ବ୍ୟାଙ୍କ ଅଫ ଚାଇନା ପାଖରେ ୦.୮୦ ପ୍ରତିଶତ ଅଂଶ ରହିଥିଲା । ମାର୍ଚ୍ଚ ୨୦୨୦ରେ ଏଥିରେ ୦.୨୦ ପ୍ରତିଶତ ବୃଦ୍ଧି ହୋଇଛି ।

ସୂଚନାଯୋଗ୍ୟ, ଚୀନ ଏସିଆର ପ୍ରମୁଖ ଦେଶର ଆର୍ଥିକ ସଂସ୍ଥାରେ ଏହି ସମୟରେ ନିବେଶ କରୁଛି ଯେତେବେଳେ ଅର୍ଥବ୍ୟବସ୍ଥାର ସେୟାର ବଜାରରେ ହ୍ରାସ ପରିଲକ୍ଷିତ ହେଉଛି । ଡ୍ରାଗନ ନିକଟରେ ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ନିବେଶ କରିଥିଲା । ଏହା ଏସିଆରେ ନିଜର ଆର୍ଥିକ ଦବଦବାକୁ ମଜବୁତ କରିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.