ଲକ୍ ଡାଉନ୍‌ରେ ସମସ୍ତେ ଛାନିଆ : ବ୍ୟାଙ୍କ୍‌ରୁ ଟଙ୍କା କାଢି ନେଉଛନ୍ତି ଲୋକେ, ମାର୍ଚ୍ଚ ୧୫ ସୁଦ୍ଧା ରେକର୍ଡ ଉଠାଣ

Published By : Prameya-News7 Bureau | March 28, 2020 IST

ମୁମ୍ବାଇ ୨୮।୩: କରୋନା ଭାଇରସ୍ ଭୟ ଲୋକଙ୍କ ଜୀବନକୁ ଚାରିଆଡୁ ପ୍ରଭାବିତ କରୁଛି । ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକମାନେ ବ୍ୟାଙ୍କରୁ ବିପୁଳ ପରିମାଣର ନଗଦ ଟଙ୍କା ଉଠାଉଛନ୍ତି । ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ୧୩ ମାର୍ଚ୍ଚରେ ମାସର ପ୍ରଥମ ପକ୍ଷ ଶେଷରେ ଜମାକାରୀମାନେ ବ୍ୟାଙ୍କରୁ ୫୩,୦୦୦ କୋଟି ଟଙ୍କା ନଗଦ ପ୍ରତ୍ୟାହାର କରିଥିବା ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ସୂଚନା ମିଳିଛି । ଗତ ୧୬ ମାସ ମଧ୍ୟରେ ଏହା ହେଉଛି ସର୍ବାଧିକ ନଗଦ ଟଙ୍କା ଉଠାଣ ।

ଆରବିଆଇ ଅନୁଯାୟୀ, ଏତେ ବଡ ନଗଦ ଉଠାଣ କେବଳ ପର୍ବ କିମ୍ବା ନିର୍ବାଚନ ସମୟରେ ​​ହୋଇଥାଏ । ବ୍ୟାଙ୍କିଂ ସିଷ୍ଟମ ମାଧ୍ୟମରେ ଜନସାଧାରଣଙ୍କୁ ମୁଦ୍ରା ଯୋଗାଉଥିବା କେନ୍ଦ୍ରୀୟ ବ୍ୟାଙ୍କ୍ କହିଛି ଯେ, ଗତ ୧୫ ଦିନ ମଧ୍ୟରେ ଏହା ଏତେ ପରିମାଣର ନଗଦ ଜାରି କରିଛି । ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଲୋକମାନଙ୍କ ପାଖରେ ମୋଟ୍ ୨୩ ଲକ୍ଷ କୋଟି ଟଙ୍କାର ମୁଦ୍ରା ଥିଲା । ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ, ଯଦିଓ ଡିଜିଟାଲ କାରବାର ବୃଦ୍ଧି ପାଇଛି, ମାତ୍ର ଜରୁରୀକାଳୀନ ପରିସ୍ଥିତିରେ ସତର୍କତା ଏବଂ ଭୟ କାରଣ ସାଜିଛି ।

ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଏସ.କେ. ଘୋଷ ନିକଟରେ ତାଙ୍କ ଅନୁସନ୍ଧାନ ନୋଟରେ ଲେଖିଛନ୍ତି ଯେ, ଲକ୍ ଡାଉନ୍ ସମୟରେ ଅଧିକାଂଶ ଜରୁରୀ ଜିନିଷ ନଗଦ ଆକାରରେ କ୍ରୟ କରାଯିବ । ହଠାତ୍ ନଗଦ ଟଙ୍କାର ଚାହିଦା ବଢିବା ସ୍ଥିତିରେ ବ୍ୟାଙ୍କଗୁଡିକୁ ନଗଦ ଡେଲିଭରିକୁ ନିଶ୍ଚିତ କରିବାକୁ ପଡିବ । ବିଶେଷଜ୍ଞଙ୍କ ଅନୁଯାୟୀ, ବ୍ୟାଙ୍କରୁ ନଗଦ ଟଙ୍କା ଉଠାଣରେ ବୃଦ୍ଧିର ବ୍ୟାଙ୍କ ଜମା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଆର୍ଥିକ ବଜାରର ଅସ୍ଥିରତା ସମୟରେ ଏହା ବଜାରରେ ଥିବା ସ୍ଥିତିକୁ ପ୍ରଭାବିତ କରିପାରେ ।

ଆକ୍ସିସ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ସୌଗତ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଲୋକମାନେ ଅତଙ୍କିତ ଥିଲେ ଯେ ଏଭଳି ପରିସ୍ଥିତିରେ ସେମାନେ ବ୍ୟାଙ୍କ୍ ଏବଂ ଏଟିଏମ୍ ଗୁଡିକୁ ପ୍ରବେଶ କରିପାରିବେ କି ନାହିଁ । ତେଣୁ ଲୋକମାନେ ସତର୍କତା ଭାବରେ ଅଧିକ ଟଙ୍କା ଉଠାଣ କରିଥିଲେ । ବ୍ୟାଙ୍କଗୁଡିକ ଅନଲାଇନ୍ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି କିନ୍ତୁ ଫ୍ଲିପକାର୍ଟ ପରି ଅନେକ ଇ-କମର୍ସ କମ୍ପାନୀଗୁଡିକ ଡେଲିଭରି ସର୍ଭିସ୍ ସୀମିତ କରିଦେଇଛନ୍ତି । ଏହି କାରଣରୁ ଲୋକମାନେ ଅଫଲାଇନରେ ସପିଂ କରୁଛନ୍ତି । ଯେଉଁଥି ପାଇଁ ନଗଦ ଟଙ୍କାର ଆବଶ୍ୟକତା ପଡୁଛି । ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅନଲାଇନ୍ ସପିଂ ସାମଗ୍ରୀ ବର୍ତ୍ତମାନ ସ୍ଥାନୀୟ ଦୋକାନୀମାନଙ୍କ ନିକଟକୁ ସ୍ଥାନାନ୍ତରିତ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.