ନୂଆଦିଲ୍ଲୀ ୧୦।୩: ଦୁଷ୍କର୍ମ ଏବଂ ଯୌନ ଶୋଷଣ ସହ ଜଡିତ ଭିଡିଓରୁ ଟଙ୍କା ରୋଜଗାର ଅଭିଯୋଗ ଯୋଗୁଁ ବିଶ୍ବର ସର୍ବବୃହତ ପର୍ଣ୍ଣ ସାଇଟ୍ ବନ୍ଦ କରିବାକୁ ଦାବି କରାଯାଉଛି। ଏଥିପାଇଁ ଏକ ଅନଲାଇନ୍ କ୍ୟାମ୍ପେନ ଆରମ୍ଭ ହୋଇଛି । ଯେଉଁଥିରେ ଏପର୍ଯ୍ୟନ୍ତ ୩ ଲକ୍ଷ ୮୦ହଜାରରୁ ଅଧିକ ଲୋକ ସାଇନ୍ କରିଛନ୍ତି।
ଏହି କ୍ୟାମ୍ପେନରେ ଅଭିଯୋଗ ହୋଇଛି ଯେ, ପର୍ଣ୍ଣହବ୍ ନାମକ ଏକ ସାଇଟ୍ ଆପତ୍ତିଜନକ ଭିଡିଓ ନିଜ ୱେବସାଇଟରୁ ହଟାଇବାରେ ସଫଳ ହୋଇନାହିଁ। ବିଗତ ଅନେକ ବର୍ଷ ମଧ୍ୟରେ କମ୍ପାନୀ ଦୁଷ୍କର୍ମ ଏବଂ ଯୌନ ଶୋଷଣର ଭିଡିଓ ପବ୍ଲିସ କରିଥିବା ଅଭିଯୋଗ ହୋଇଛି।
theguardian.com ରିପୋର୍ଟ ଅନୁଯାୟୀ, ପର୍ଣ୍ଣହବ୍ ବିରୋଧରେ ଅଭିଯାନ ଏକ୍ସୋଡ୍ କ୍ରାଇ ନାମକ ଏକ ଆମେରିକୀୟ ଗୋଷ୍ଠୀ ତଥା ବ୍ରିଟେନର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଆରମ୍ଭ ହୋଇଛି। ପର୍ଣ୍ଣ ହବ୍ ଚଳାଉଥିବା କମ୍ପାନୀର କାର୍ଯ୍ୟାଳୟ ବ୍ରିଟେନରେ ମଧ୍ୟ ରହିଛି | ଏକ୍ସୋଡ୍ କ୍ରାଇର ପ୍ରତିଷ୍ଠାତା ଲୈଲା ମାଇକେଲଭେଟ୍ କହିଛନ୍ତି ଯେ ଏହି କମ୍ପାନୀ କୋଟି କୋଟି ଟଙ୍କା ରୋଜଗାର କରୁଛି, କିନ୍ତୁ ଏକ ପ୍ରଭାବଶାଳୀ ସିଷ୍ଟମ ବିକାଶ କରିବାରେ ବିଫଳ ହୋଇଛି ଯାହା ଦ୍ବାରା ଭିଡିଓରେ ସାମିଲ ବ୍ୟକ୍ତି ଏବଂ ବ୍ୟବହାରକାରୀଙ୍କ ବୟସ ଜଣାପଡିପାରିବ।
change.org ନାମକ ୱେବସାଇଟରେ ପର୍ଣ୍ଣହବ୍ ବିରୋଧରେ ସ୍ଥାନିତ ହୋଇଛି- ‘ପର୍ଣ୍ଣହବ୍ ବନ୍ଦ କର ଏବଂ ଟ୍ରାଫିକିଂରେ ସହଯୋଗ କରିବା ପାଇଁ ଏହାର କାର୍ଯ୍ୟନିର୍ବାହୀଙ୍କ ଦାୟିତ୍ବ ନିଶ୍ଚିତ କର।’
ପର୍ଣ୍ଣହବ୍ ୟୁରୋପର ଲକ୍ସେମବର୍ଗରେ ଅବସ୍ଥିତ ଏକ କମ୍ପାନୀ, କିନ୍ତୁ ଏହାର କାର୍ଯ୍ୟାଳୟ ମୋଣ୍ଟ୍ରିଆଲ୍, ଲଣ୍ଡନ୍ ଏବଂ ଲସ୍ ଆଞ୍ଜେଲସରେ ମଧ୍ୟ ରହିଛି | କମ୍ପାନୀ ଏହା ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ବୀକାର କରି କହିଛି ଯେ ଏଥିରେ ବେଆଇନ ବିଷୟବସ୍ତୁ ହଟାଇବା ପାଇଁ ବ୍ୟବସ୍ଥା ରହିଛି। ନାବାଳିକାଙ୍କ ଭିଡିଓ ଏବଂ ଅନ୍ୟାନ୍ୟ ବେଆଇନ ବିଷୟବସ୍ତୁ ହଟାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କମ୍ପାନୀ କହିଛି।