ଭୁବନେଶ୍ବର ୮|୫: କ୍ରୋଧ ଓ କଷ୍ଟ । ୬ ଦିନର କଷ୍ଟ । କଷ୍ଟ କମିବା ବଦଳରେ ବଢିବଢି ଚାଲୁଛି । ଆଉ ଏହି କଷ୍ଟରୁ କ୍ରୋଧ ଜାତ ହେଲାଣି । ଲୋକେ କ୍ରୋଧ ଜାହିର କରିବା ଲାଗି ରାସ୍ତାକୁ ଓହ୍ଲାଇଛନ୍ତି। କିନ୍ତୁ ଏହି କ୍ରୋଧରୁ ପୁଣି ସୃଷ୍ଟି ହେଉଛି ଆହୁରି କଷ୍ଟ। ଯେଉଁ କଷ୍ଟକୁ ସେମାନେ ବଖାଣି ପାରୁନାହାନ୍ତି। ଯେଉଁ କଷ୍ଟକୁ ସେମାନେ କହିପାରୁନାହାନ୍ତି କାରଣ ଗୋପନ ରଖିବାକୁ ସେମାନେ ପୂର୍ବରୁ ରାଣ ଖାଇଛନ୍ତି। ଆମେ କହୁଛୁ ସେହି ଭୋଟରଙ୍କ କଥା। ଯେଉଁମାନେ କାହାକୁ ଭୋଟ୍ ଦେଇଛନ୍ତି ତାହା ସେମାନେ ହିଁ ଜାଣିଛନ୍ତି । ସେମାନଙ୍କ ହାତ ଆଙ୍ଗୁଠିକୁ କଳା କରି ଆସି ନିଜ ପ୍ରିୟର ନେତାକୁ ଭୋଟ୍ ଦେଇ ଆସିଛନ୍ତି। ହେଲେ ସେମାନଙ୍କ ମୁହଁକୁ କଳା କରିଦେଇଛନ୍ତି ସେମାନଙ୍କର ପ୍ରିୟ ନେତା। ନା କହିଛନ୍ତି ନା କହିପାରୁଛନ୍ତି କାହାକୁ ଭୋଟ୍ ଦେଇଛନ୍ତି। କିନ୍ତୁ ସେ ହିଁ ଜାଣିପାରୁଛନ୍ତି ଭୋଟ୍ ଦେଇଥିବା ସେହି ନେତା ଘର ମୁଣ୍ଡକୁ ଆସିନି । କେମିତି ଅଛ କେମିତି ରହିବ ପଚାରି ବୁଝିବାକୁ ମୁହଁ ଦେଖାଇନାହାନ୍ତି। ।
୨୯ ତାରିଖ ଭୋଟ୍ ପୂର୍ବରୁ ୨୩ ତାରିଖ ଭୋଟ ପୂର୍ବରୁ ରାତିରେ ଦିନରେ ଆସି ଘର ଆଗରେ ଦଣ୍ଡବତ ପକାଉଥିବା ନେତା ଏବେ ମିଷ୍ଟର ଇଣ୍ଡିଆ ହୋଇଯାଇଛନ୍ତି ଉଭାନ ହୋଇଯାଇଛନ୍ତି। କୁଆଡ଼େ ଗଲେ ଏ ନେତା। ଗାଁରେ ନେତାଙ୍କ ପ୍ରତିନିଧି ସାଜିଥିବା କୁଜି ନେତା ବି ଦେଖାଦର୍ଶନ ଦେଉନାହାନ୍ତି। ଦେଖା ହେଲେ କହୁଛନ୍ତି ଆମ ଅବସ୍ଥା ତ ସେୟା ମୁଁ କଣ କହିବି। ଯାହାକୁ ଭୋଟ୍ ଦେଇଥିଲେ ସେହି ନିର୍ବାଚନର ଫଳ ନ ବାହାରୁଣୁ ମନ ମରିଗଲାଣି, ମୁହଁ କଳା ହୋଇଗଲାଣି। ଦିନ କେଇଟା ଯାଇନି ଯିଏ କହୁଥିଲା ତାକୁ ହିଁ ଭୋଟ ଦିଅନ୍ତୁ ଯିଏ ସୁଖ ଦୁଃଖର ସାଥୀ ହେବ। ଯିଏ ଅସମୟରେ ସାଥୀ ହେବ, । ସେହି ଅସମୟର ସମୟ ଉପନୀତ ହେଲା। ଆଉ ପରୀକ୍ଷା ଘଡି଼ରେ ହିଁ ନେତାଙ୍କ ଦେଖାନାହିଁ। ଯିଏ ଦିଲ୍ଲୀରୁ ଆସି ଗାଁ ଗଡ଼ିଆରେ ବୁଡ଼ ପକାଇଥିଲା ତାର ଆଉ ଦେଖାନାହିଁ, ଯିଏ ଅଘୋଷିତ ଗଜପତି ହୋଇ ପୂର୍ବରୁ ରହିଆସିଛି ସେ ତ ଦେଖାଦେବନି ବୋଲି ପୂର୍ବରୁ ଜାଣିଥିଲେ ଭୋଟର ତଥାପି ବି ଭୋଟ ଦେଇଥିଲେ, ସତକୁ ସତ ଏଥର ବି ଦେଖାନାହିଁ।
ଯିଏ ସବୁବେଳେ ଲୋକଙ୍କ ନେତା କହି ବୁଲୁଥିଲେ ସେ ବି ଦେଖାଦେଉନାହାନ୍ତି। ବାତ୍ୟା ଫୋନି ଓଡ଼ିଶା ମୁହାଁ ହେଉଛି ବୋଲି ଠିକ୍ ସେତିବେଳେ ଘୋଷଣା ହେଲା ଯେତେବେଳେ ଓଡ଼ିଶାରେ ନିର୍ବାଚନ ସରିଲା। ଆଉ ସେହି ରାତିରୁ ହିଁ ଗାଁରୁ ଦୂରକୁ ଗଡ଼ିଯାଇଛନ୍ତି ନେତା ଯେ ଆଉ ଦେଖା ନାହିଁ। ତାହାହିଁ କଷ୍ଟ। ବାତ୍ୟା କଷ୍ଟ ଦେଇଛି। ବାତ୍ୟା ବନ୍ୟା ମରୁଡ଼ି ତ ଏ ଓଡ଼ିଶା ମାଟିର ପୁରୁଣା ସାଥୀ। କିନ୍ତୁ କଷ୍ଟ ଯେ ଯାହାକୁ ଆଶା କରିଥିଲେ ସେ ହିଁ ହତାଶ କରିଛି। ଯିଏ ଅସମୟର ସାଥୀ ବୋଲି ଆସି ମିଛର ବାତ୍ୟା ସୃଷ୍ଟି କରିଥିଲା ତାର ମିଛ ଧରାପଡ଼ିବାକୁ ଦିନ କେଇଟା ଲାଗିଲାନି। ବୋଧହୁଏ ଏହି ନେତାଙ୍କ ମିଛ ବାତ୍ୟା ଏତେ ବଢ଼ିଗଲା ଯେ ପ୍ରକୃତି ବାତ୍ୟାର ପ୍ରକୋପ ଦେଖାଇବାକୁ ବାଧ୍ୟ ହେଲା।
ନିର୍ବାଚନ ବେଳେ ଭୋଜିଭାତ ଆସର କରୁଥିବା ନେତାଏ, ଭୋଟରଙ୍କ ପାଇଁ ମଦର ବନ୍ୟା ବୁହାଉଥିବା ନେତାଏ ଏବେ ଭୋକିଲା ମୁହଁରେ ଦାନା ଦେବାକୁ ଦେଖାଦେଉନାହାନ୍ତି, ପିଇବା ପାଣି ହାହାକାର ହେଉଥିବା ତାରି ଭୋଟରଙ୍କୁ ପାଣି ମୁନ୍ଦାଏ ଦେବାକୁ ଦେଖାଦେଉନାହାନ୍ତି। ଭିତରେ ଭିତରେ ଏହି ନେତାଏ କହୁଛନ୍ତି ନିର୍ବାଚନରେ ତ ସବୁ ଟଙ୍କା ସରିଲା ଏବେ ଲୋକଙ୍କୁ ମୁହଁ ଦେଖାଇବାକୁ ଟଙ୍କା କୋଉଠୁ ଆଣିବୁ। ତା ଛଡ଼ା ଏବେ ମୁହଁ ଦେଖାଇଲେ କୋଉ ଲାଭ ମିଳିବ। ଏହା ହିଁ କଷ୍ଟ ଦେଉଛି। ଯାହା କ୍ରୋଧ ପରେ ଆସିଛି। ଯେଉଁ କ୍ରୋଧକୁ କହି ହେଉଛି ନା କଷ୍ଟକୁ କହିହେଉଛି।