ଲୋକଙ୍କ ସୁବିଧା ଲାଗି ବ୍ୟବସ୍ଥା, ହେଲେ ସେହିମାନେ ହିଁ ଉଜାଡୁଛନ୍ତି, ଦେଖନ୍ତୁ କେଉଁଠି
7/02/2020 at 4:02 PM

ବେଙ୍ଗାଲୁରୁ ୭।୨: ଟ୍ରେନରୁ ମଗ, ବେଡସିଟ୍, ସିଟ୍ କଭର, ବଲବ୍ ଆଦି ଯାତ୍ରୀ ଚୋରି କରି ନେଉଥିବା ଆମେ ପ୍ରାୟତଃ ଶୁଣିଥାଉ। ହେଲେ ବେଙ୍ଗାଲୁରୁରେ ଲୋକଙ୍କ ସୁଗମ ଯାତାୟାତ ଲାଗି ଭଡାରେ ଗାଡି ଦେବାକୁ ଯୋଜନା ଆରମ୍ଭ କରିଥିବା ଏକ କମ୍ପାନୀ ଆରମ୍ଭରୁ କ୍ଷତିରେ ପଡିଛି। ବାଇକ୍ ରେଣ୍ଟାଲ କମ୍ପାନୀ ବାଉନ୍ସ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି।

ସହରରେ ଯେଉଁମାନଙ୍କର ଯାନବାହନ ନାହିଁ ସେମାନେ ସେମାନଙ୍କ ଗନ୍ତବ୍ୟରେ ଯେପରି ସୁବିଧାରେ ପହଞ୍ଚିପାରିବେ ସେଥିଲାଗି ବାଉନ୍ସ ଭଡାରେ ୨ ଚକିଆ ଗାଡି ଯୋଗାଇ ଦିଏ। ଯାହାକୁ ଭଡାରେ ନେଉଥିବା ଲୋକେ ନିଜେ ଚଳାଇ ଯିବା ଆସିବା କରନ୍ତି। ତେବେ ଲୋକେ ଏହି ସବୁ ଗାଡିରୁ ସାମଗ୍ରୀ ଓ ଯନ୍ତ୍ରାଂଶ ଚୋରାଇ ନେଇଥିବା ଜଣାପଡିଛି।

ଲୋକେ ଏଭଳି ଗାଡିର ହେଲମେଟ୍ ତ ନେଇଯାଇଛନ୍ତି ସାଙ୍ଗକୁ ସିଟ୍ କଭର, ଚକ, ବ୍ୟାଟେରୀ ଓ ଅନ୍ୟ ଯନ୍ତ୍ରାଂଶ ବି ନେଇଯାଇଛନ୍ତି। ଏଣୁ ଏହି ଗାଡି ଗୁଡିକ ରାସ୍ତାକଡରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଦେଖାଯାଇଛି। ଏହି କମ୍ପାନୀ ବେଙ୍ଗାଲୁରରେ ତାର କଷ୍ଟମରମାନଙ୍କୁ ଗାଡି ଭଡାରେ ଚଲାଇବାକୁ ଦେବା ସହ ନିଜସ୍ୱ ପାର୍କିଂରେ ପାର୍କ କରିବାର ଅଧିକାରବି ଦେଉଛି। ତେବେ ଗାଡି ଗୁଡିକର ଏବେ ଅବସ୍ଥା ଦେଖିଲେ ଯେ କେହିବି ସଂସ୍ଥା ସମ୍ପର୍କରେ ଆକଳନ କରିପାରିବ।

ଏବେ ଏହି ସବୁ ଗାଡିର ଛବି ସୋସାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏଥିରେ ଲୋକଙ୍କୁ ସୁଲଭ ମୂଲ୍ୟରେ ସୁବିଧା ଯୋଗାଇ ଦେବାକୁ କମ୍ପାନୀମାନେ କରିଥିବା ଯୋଜନା କିପରି ଲାଭଜନକ ହୋଇଛି ତାହା ବି ଅନୁମାନ କରାଯାଇପାରେ।ତେବେ କେବଳ ବାଉନ୍ସ କମ୍ପାନୀ ଗାଡି ନୁହେଁ ଦେଶର କେତେକ ସହରାଞ୍ଚଳରେ କମ୍ପାନୀ ଉପଲବ୍ଧ କରୁଥିବା ସାଇକେଲ ବି ଏବେ ଏପରି ଅବସ୍ଥାରେ ଅପାଙକ୍ତେୟ ପଡିଥିବା ସହଜରେ ଦେଖାଯାଇପାରେ।