ଦଲାଲମୁକ୍ତ ହେବାପରେ ବି ଆରଟିଓ ଅଫିସରେ ଏମିତି ହନ୍ତସନ୍ତ ହେଉଛନ୍ତି ଲୋକେ…
11/10/2019 at 5:04 PM

କଟକ ୧୧|୧୦: ଆରଟିଓ ଅଫିସଗୁଡ଼ିକ ଦଲାଲମୁକ୍ତ ହେବା ପରେ ସାଧାରଣ ଲୋକଙ୍କ ମନରେ ଏହାର ଭଲ ପ୍ରଭାବ ବେଶ୍ ବାରି ହୋଇପଡ଼ୁଛି । ହେଲେ ଆରଟିଓ ଅଫିସ ଗୁଡ଼ିକର ଭିତ୍ତିଭୂମିର ବିକାଶ ଲାଗି ମଧ୍ୟ ପଦକ୍ଷେପ ନିଆଯିବା ଜରୁରୀ ବୋଲି ଅନେକ ଅନୁଭବ କରୁଛନ୍ତି । କାରଣ କିଛି ଅଫିସରେ କାମର ଗତି ମନ୍ଥର ହୋଇଯାଇଥିବାରୁ ସେମାନଙ୍କ ମନରେ ଏହାକୁ ନେଇ ଅସନ୍ତୋଷ ବି ରହିଛି । ଏଭଳି ସ୍ଥିତିରେ ଚାଲନ୍ତୁ ନଜର ପକାଇବା କଟକରେ କେମିତି ରହିଛି ଡ୍ରାଇଭିଂ ଟେଷ୍ଟି ସେଣ୍ଟର ଠାରୁ ଆରମ୍ଭ କରି ପଲ୍ୟୁସନ ଟେଷ୍ଟିଂ ପଏଣ୍ଟର ଚିତ୍ର ଉପରେ ।

ଇଏ ହେଉଛି କଟକ ମର୍କତ ନଗରରେ ଥିବା ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟରର ଚିତ୍ର । ଖାଁ ଖାଁ ପରିବେଶ । ଯେଉଁ କେତେଜଣ ଟେଷ୍ଟ ପାଇଁ ଆସୁଛନ୍ତି ସେମାନଙ୍କ ମନରେ ମଧ୍ୟ ଭୟ ରହିଛି । କାରଣ ନୂଆ ପରିବହନ ଆଇନ୍ ଆଳରେ ବିଭାଗୀୟ କର୍ତ୍ତୃପକ୍ଷ କଠୋର ମନୋଭାବ ପୋଷଣ କରୁଛନ୍ତି । ସେପଟେ ଭ୍ରାମ୍ୟମାଣ ପଲ୍ୟୁସନ ଟେଷ୍ଟିଂ କେନ୍ଦ୍ର ଗୁଡ଼ିକ ଆଗରେ କିନ୍ତୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ନିର୍ଦ୍ଦାରିତ ଅବଧି ଭିତରେ ପିୟୁସି ପାଇବାକୁ ସମସ୍ତେ ବ୍ୟସ୍ତ ।

ଆଉ ଇଏ ହେଉଛି କଟକ ଆରଟିଓ ଅଫିସ ଦୃଶ୍ୟ । ଯେଉଁଠି ଡିଏଲ୍ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଗଲା ମାସରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପ୍ରାୟ ୨୫ହଜାର ୩୦୦ ଜଣ ଆବେଦନ କରିଥିଲେ । ସେଥି ମଧ୍ୟରୁ ପାଖାପାଖି ୧୦ହଜାର ଆବେଦନକାରୀଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିସାରିଛି । ହେଲେ ପରମାନେଣ୍ଟ ଲାଇସେନ୍ସ ପାଇଁ ଯେତିକି ମାତ୍ରାରେ ଆବେଦନ ହେବାକଥା ତାହା ହେଉନାହିଁ । ଏହା ପଛରେ ଅନେକ କାରଣ ଥାଇପାରେ । କୁହାଯାଇଛି, ଯେଉଁମାନେ ଦଲାଲ୍ଙ୍କ ଜରିଆରେ ଆବେଦନ କରିଥିଲେ, ସେମାନେ ଏବେ ହଇରାଣ ହେଉଛନ୍ତି । ସେପଟେ ପରିବାହନ ବିଭାଗର କିଛି ଅବସରପ୍ରାପ୍ତ ଅଧିକାରୀଙ୍କ କହିବା କଥା ସରକାର ଭିତ୍ତିଭୁମିର ବିକାଶ ନକରି ରାତି ଅଧିଆ ନିୟମ ଲାଗୁ କରିଛନ୍ତି । ଏଭଳି ପରିସ୍ଥିତିରେ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମାନେ ହିଁ କେବଳ ବଦନାମ୍ ହେଉଛନ୍ତି ।

ଡିଏଲ ପାଇଁ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ କ୍ୟାମ୍ପର ବ୍ୟବସ୍ଥା କରାଯିବ ବୋଲି କହିଥିଲା ରାଜ୍ୟ ପରିବହନ ବିଭାଗ । ହେଲେ କଟକ ଜିଲ୍ଲାରେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।ଲୋକଙ୍କୁ ଶୀଘ୍ର ଓ ସଠିକ୍ ସେବା ଯୋଗାଇଦେବାକୁ ହେଲେ ଭିତ୍ତିଭୂମିର ବିକାଶ ନିହାତି ଜରୁରୀ ସେକଥାକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।