କରୋନାର କରୁଣ ଚିତ୍ର: ନା ହସ୍ପିଟାଲରେ ବେଡ୍ ନା ସ୍ମଶାନରେ ଜାଗା, ମୃତ୍ୟୁର ଚିତ୍କାର ଓ ଦୁଃଖ ବେଦନା ଭିତରେ ସାହା ଖୋଜୁଛି ଅନେକ ସମ୍ପର୍କ

Published By : Prameya-News7 Bureau | April 22, 2021 IST

କାନପୁର ୨୨/୦୪ : ଉତ୍ତର ପ୍ରଦେଶ କାନପୁରରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ବେହାଲ। ବେଡ୍ ନ ମିଳିବାରୁ ୩ ଗମ୍ଭୀର କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ବେଡ୍ ପାଇଁ ପରିବାର ଲୋକେ ସିଏମଓ କାର୍ଯ୍ୟାଳୟ ଓ କୋଭିଡ କମାଣ୍ଡ କେନ୍ଦ୍ରର ଚକ୍କର କାଟିଥିଲେ। ଅନେକ ଘଣ୍ଟା ଏପଟେ ସେପଟେ ବୁଲିବା ପରେ ଜଣକୁ ହସ୍ପିଟାଲରେ ବେଡ୍ ମିଳିଥିଲା କିନ୍ତୁ ସେତେବେଳେ ବିଳମ୍ବ ହୋଇଯାଇଥିଲା। ଆଉ ଜଣେ ଘରେ ପହଞ୍ଚି ଜୀବନ ହାରିଦେଲେ। ତୃତୀୟ ରୋଗୀଙ୍କୁ ଚିଠି ମିଳିଥିଲା କିନ୍ତୁ ହସ୍ପିଟାଲରେ ବେଡ଼ ଖାଲି ହେବାକୁ ସମୟ ଲାଗିଥିଲା। ବେଡ୍ ପାଇଁ ଅପେକ୍ଷା କରି କରି ତାଙ୍କ ଜୀବନ ଚାଲିଗଲା। କେଉଁଠି ବେଡ୍ ନ ପାଇ ତ କେଉଁଠି ଅକ୍ସିଜେନ ନ ପାଇ ଲଗାତାର କରୋନା ରୋଗୀଙ୍କ ମୃତ୍ୟୁ ହେଉଛି।

ଗୋପାଳ ନଗରରୁ ମଧ୍ୟ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ପାଞ୍ଚ ଦିନ ପୂର୍ବରୁ କରୋନାରେ ପିତାଙ୍କ ମୃତ୍ୟୁ ପରେ ସୋମବାର ରାତିରେ ଚିକିତ୍ସା ଅଭାବରୁ ପୁଅର ମୃତ୍ୟୁ ହୋଇଥିଲା। ବହୁ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କରୋନା ସଂକ୍ରମଣ ମାତ୍ର କିଛି ଦିନ ଭିତରେ ହସଖୁସିର ପରିବାରକୁ ଛାରଖାର କରିଦେଲା।

{"id":442340,"sizeSlug":"large","linkDestination":"none"}

ଗୋପାଳ ନଗରରେ ରହୁଥିବା ଗୋପାଳ କୃଷ୍ଣ ଦୀକ୍ଷିତ, ପୁଅ ଉତ୍ତ ଦୀକ୍ଷିତ, ବୋହୁ, ଦୁଇ ନାତି ରାଘବେନ୍ଦ୍ର ଓ ରତ୍ନେସଙ୍କ ସହ ହସଖୁସିରେ ଜୀବନ ଜାପାନ କରୁଥିଲେ। କୃଷ୍ଣ ଦୀକ୍ଷିତଙ୍କୁ ଜ୍ୱର ହୋଇଥିଲା ଓ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବେଡ଼ ମିଳିନଥିଲା। ଘରକୁ ଆସିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ପୁଅ ୦ ବୋହୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ତାଙ୍କର ମଧ୍ୟ ରିପୋର୍ଟ ପଜିଟିଭ ଆସିଥିଲା। ମା'କୁ କୌଣସି ପ୍ରକାରେ ଦୁଇ ପୁଅ ପ୍ରାଇଭେଟ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ବାପାଙ୍କ ପାଇଁ ବେଡ଼ ମିଳିଲାନାହିଁ। ଦୁଇ ପୁଅ ତାଙ୍କ ପାଇଁ ଘରେ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କଲେ। ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ପଡୋଶୀ କହିଛନ୍ତି ଦୁଃଖି ପରିବାର ରାତି ସାରା ହେଲ୍ପଲାଇନ ନମ୍ବରକୁ ଫୋନ କରି ସାହାଯ୍ୟ ମାଗିଥିଲେ କିନ୍ତୁ କେହି ତାଙ୍କ ଗୁହାରି ଶୁଣିନଥିଲେ।

{"id":442341,"sizeSlug":"large","linkDestination":"none"}

ମନ୍ତ୍ରୀ ସତୀଶ ମହାନାଙ୍କ ହସ୍ତକ୍ଷେପ ପରେ ୧୨ ଘଣ୍ଟା ପରେ ଏକ ଆମ୍ବୁଲାନ୍ସ ଆସି ଶବ ନେଇ ଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗମ୍ଭୀର ଅଛି। ସାନ ପୁଅର ଅବସ୍ଥା ମଧ୍ୟ ଗୁରୁତର। ତେବେ ପରିବାରର ଦୁଃଖ ଏଇଠି ସରିନି। ପରିବାରର ଅନ୍ୟ ଲୋକଙ୍କୁ ପାଣି ଦେବାକୁ ଏବେ ଘରେ କେହି ନାହାନ୍ତି। ପଡୋଶୀ ମାନବିକତା ଭୁଲିଗଲେ। ସନ୍ଧ୍ୟାରେ ରାଘବେନ୍ଦ୍ର ଘରକୁ ଅସିଲାବେଳକୁ ପୋଲିସ ଘର ସିଲ କରିଦେଇଥିଲା। ସେ ଭୋକ-ଶୋଷରେ ଦ୍ୱାରମୁହାଁରେ ବସି ରହିଥିଲେ କିନ୍ତୁ ପାଖ ପଡୋଶୀ କେହି ମାନବିକତା ଦୃଷ୍ଟିରେ ପାଣି ମୁନ୍ଦାଏ ବି ଦେଇନଥିଲେ। ସେ ପ୍ରଶାସନକୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି କିନ୍ତୁ ଏବେ ସୁଦ୍ଧା କିଛି ସାହାଯ୍ୟ ମିଳିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.