ଫୋନି ତାଣ୍ଡବରେ ସବୁକିଛି ଛାରଖାର, ବାତ୍ୟାର ୫ଦିନ ପରେ କମିବା ବଦଳରେ ବଢିବଢି ଚାଲିଛି ଲୋକଙ୍କ ଦୁର୍ଦ୍ଦଶା

Published By : Prameya-News7 Bureau | May 07, 2019 IST

ଭୁବନେଶ୍ବର ୭|୫: ଫୋନି ତାଣ୍ଡବରେ ସବୁକିଛି ଛାରଖାର । ଚାରିଆଡେ କେବଳ ହାହାକାର । ପିଇବାକୁ ପାଣି ନାହିଁ, ବିଦ୍ୟୁତ୍ ନାହିଁ, ଖାଇବାକୁ ବି ନାହିଁ । ଦରଦାମ ହୁହୁ ହୋଇ ବଢି ଚାଲିଛି । ତା ଉପରେ ବି କାହାର ଲଗାମ ନାହିଁ । ପ୍ରଶାସନ ସବୁ କିଛି ଯୋଗାଇବା କଥା କହୁଛି କିନ୍ତୁ ପ୍ରକୃତରେ ବାସ୍ତବ ଚିତ୍ର ତାହା ନୁହେଁ ।ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ।

ଚାରିଆଡେ କେବଳ ହାହାକାର । ସମସ୍ତେ ଅସହାୟ, ନିରୁପାୟ । ବାତ୍ୟାର ୮୦ ଘଣ୍ଟା ପରେ ଲୋକଙ୍କ ଦୁର୍ଦ୍ଦଶା କମିବା ବଦଳରେ ବଢିବଢି ଚାଲିଛି। କାରଣ ଲୋକଙ୍କ ପାଖରେ ପିଇବା ପାଇଁ ପାଣି ନାହିଁ, ବିଜୁଳି ପହଞ୍ଚିପାରି ନାହିଁ । ଫୋନି ପ୍ରଭାବିତ ୧୧ ଜିଲ୍ଲାର ଲୋକେ ଏଭଳି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ବିଶେଷ କରି ପୁରୀ ଜିଲ୍ଲାରେ ପଡିଛି ହାହାକାର । ବାତ୍ୟା ପୀଡିତଙ୍କ ପାଖରେ ଖାଇବା ପାଇଁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଜିଲ୍ଲାରେ ଉଦ୍ଧାର  ଓ ରିଲିଫକୁ ସରକାର ଗୁରୁତ୍ବ ଦେଉଥିବା ବେଳେ ବ୍ରହ୍ମଗିରିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରଶାସନ ଲୋକଙ୍କୁ ସଠିକ୍ ସମୟରେ ରିଲିଫ୍ ଦେଇ ପାରୁନି । ବାତ୍ୟା ବିପନ୍ନଙ୍କୁ ରିଲିଫ୍ ନ ମିଳିବାରୁ ବ୍ଲକ୍ ଅଫିସରୁ ଲୁଟି ନେଇଛନ୍ତି ବାତ୍ୟା ବିପନ୍ନ । ବ୍ଲକ୍ ଅଫିସରେ ଭଙ୍ଗାରୁଜା କରିବା ସହ ବସ୍ତା ବସ୍ତା ଶୁଖିଲା ଖାଦ୍ୟ ଓ ପଲିଥିନ୍ ନେଇଯାଇଛନ୍ତି ।

କେବଳ ପୁରୀ ନୁହେଁ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା ଜିଲ୍ଲାରେ ସମାନ ଅବସ୍ଥା । ସବୁକିଛି ଛାରଖାର କରି ଦେଇଛି ବାତ୍ୟା ଫୋନି । ବିଜୁଳି, ପାଣି ସମସ୍ୟା ସବୁଠୁ ଅଧିକ ଥିବା ବେଳେ ଏଟିଏମ୍‌ରେ ତାଲା । ମୋବାଇଲ୍ କାମ କରୁନି । ପେଟ୍ରୋଲ ପମ୍ପ୍ ଖୋଲୁନି । ଯେଉଁଠି ପେଟ୍ରୋଲ ପମ୍ପ୍ ଅଛି ସେଠି ନାହିଁ ନଥିବା ଭିଡ । ସବୁ କିଛି ଅସଜଡା । ଗାଁ କଥା ଛାଡନ୍ତୁ ରାଜଧାନୀର ସବୁ ଅଞ୍ଚଳ ଏବେବି ଅନ୍ଧାର । ଏଟିଏମ୍‌ ଖୋଲୁ ନଥିବାରୁ ଲୋକଙ୍କ ପାଖରେ ନଗଦ ଟଙ୍କାର ଅଭାବ । ଚାରିଆଡେ ହାହାକର ପଡିଛି । ଦରଦାମ ଏତେ ବଢୁଛି ଯେ ତାକୁ ନିୟନ୍ତ୍ରଣ କରିବା ମୁସ୍କିଲ୍‌ । କଳାବଜାରୀ ମାତିଛନ୍ତି । ତା ଉପରେ କାହାର ନିନନ୍ତ୍ରଣ ନାହିଁ ।
ଯେମିତି କେବଳ ଭଗବାନ ଭରସାରେ ଚାଲିଛି ରାଜଧାନୀ । ବାଧ୍ୟ ହୋଇ ଲୋକେ ଭୁବନେଶ୍ବର ଛାଡି ଏବେ ଗାଁ ମୁହାଁ ହୋଇଛନ୍ତି । ବସ୍ତିରେ ରହୁଥିବା ଲୋକଙ୍କ ପାଖରେ ରିଲିଫ୍‌ ପହଞ୍ଚି ନାହିଁ । ବାତ୍ୟା ଦିନ ହିଁ ରନ୍ଧା ଖାଦ୍ୟ ମିଳିଥିଲା । ତାପରଠାରୁ ଆଉ ମିଳିନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଗାଁ ଗୁଡିକର ସ୍ଥିତି ତ ଆହୁରି ଭୟଙ୍କର । ଚାଷବାସ, ଘରଦ୍ବାର ସବୁ ଉଜୁଡ଼ିଯାଇଛି । ଜୀବନ ବିକଳରେ ଲୋକେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇଥିଲେ । ହେଲେ ସେଠି ଓଳିଏ ଖାଇଲେ ଓଳିଓ ଉପାସ । ନେତା, ଅଫିସର କାହାରି ଦେଖା ଦର୍ଶନ ନାହିଁ । ରିଲିଫ୍, ପଲିଥିନ୍ ତ ସ୍ବପ୍ନ । ଖୋଲା ଆକାଶ ତଳେ ବିତୁଛି ଜୀବନ । ବାତ୍ୟାର ୪ ଦିନ ପରେ ବି ଅନେକ ସ୍ଥାନକୁ ଯାତାୟତ ବନ୍ଦ ରହିଛି । ବାତ୍ୟାରେ ବଡ ବଡ ଗଛ ଭାଙ୍ଗି ରାସ୍ତାରେ ପଡିଛି । ଫଳରେ ଅନେକ ଗାଁର ଲୋକ ଘରୁ ବାହାରି ପାରୁ ନାହାନ୍ତି । ମୁଖ୍ୟ ରାସ୍ତାକୁ ଛାଡି ଦେଲେ ଅନ୍ୟ ସବୁ ରାସ୍ତା ବନ୍ଦ ।

ସରକାର କେବଳ ସମୀକ୍ଷା କରୁଛନ୍ତି । ସବୁଠିକୁ ରିଲିଫ୍‌ ପହଞ୍ଚାଇବା କଥା କହୁଛନ୍ତି । ହେଲେ ବାସ୍ତବ ସ୍ଥିତି କିନ୍ତୁ ତାହା ନୁହିଁ । ବିଦ୍ୟୁତ୍‌ ଉପରେ ନିର୍ଭରଶୀଳ ଲୋକେ ବିଦ୍ୟୁତ୍ କେବେ ଆସିବ ତାହା ଜଣାନାହିଁ । ସହର ଠାରୁ ଗାଁ ସବୁଠି ଅନ୍ଧାର । ସତେ ଯେମିତି ଚାଲିଛି ଅରଜାକତାର ରାଜୁତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.