ଗତ ୧୪ ଦିନରେ ଅନ୍ତର୍ଜାତୀୟ ଯାତ୍ରାରୁ ଫେରିଥିବା Covid ଆକ୍ରାନ୍ତ ଯାତ୍ରୀଙ୍କର ହେବ ଜିନୋମ୍ ସିକ୍ୱେନସିଂ

Published By : Prameya-News7 Bureau | December 29, 2020 IST

ନୂଆଦିଲ୍ଲୀ ୨୯।୧୨: ବ୍ରିଟେନରେ କରୋନା ଭାଇରସ ନୂଆ ଷ୍ଟ୍ରେନ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଏଥିରେ ନୂଆପ୍ରକାର ଭୂତାଣୁ ନେଇ ୬ ଜଣ ଭାରତ ଫେରିଥିବା ସ୍ପଷ୍ଟ ହୋଇଛି। ଏମାନଙ୍କୁ ତୁରନ୍ତ ଆଇସୋଲେସନ କରାଯାଇଥିବା ବେଳେ ଏପରି ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ଏବେ ସରକାର ସନ୍ଧାନ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାରତ ସରକାର ଗତ ୧୪ ଦିନରେ ଅନ୍ତର୍ଜାତୀୟ ଯାତ୍ରାରୁ ଫେରି କୋଭିଡ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଜିନୋମ ସିକ୍ୱେନସିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏଥିରେ ବ୍ରିଟେନରେ କୋଭିଡ-୧୯ ନୂଆ ଷ୍ଟେନକୁ ନଜରରେ ରଖି ଡିସେମ୍ବର ୯ ତାରିଖରୁ ୨୨ ତାରିଖ ସୁଦ୍ଧା ଭାରତ ଫେରିଥିବା ଲୋକେ ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଦେବା ସହ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଛି ସେମାନଙ୍କ ଜିନୋମ ସିକ୍ୱେନସ କରାଯିବ ବୋଲି କୁହାଯାଇଛି। ବ୍ରିଟେନରୁ ଫେରିଥିବା ୬ ଜଣଙ୍କ ଠାରେ ଭୂତାଣୁର ନୂଆ ଷ୍ଟ୍ରେନ ଥିବା ସ୍ପଷ୍ଟ ହୋଇଛି। ଏଥିରୁ ଏନଆଇଏମଏଚଏଏନଏସ ବେଙ୍ଗାଲୁରୁରେ ୩ଟି ସାମ୍ପଲ ସ୍ପଷ୍ଟ କରିଛନ୍ତି। ବାକି ୩ଟିରୁ ୨ଟି ସିସିଏମବି ହାଇଦ୍ରାବାଦରେ ଓ ଗୋଟିଏ ଏନଆଇଭି ପୁଣେରେ ପରୀକ୍ଷଣରୁ ଜଣାପଡିଛି।

ଏହି ୬ ଜଣଙ୍କର ଏବେ ଚିକିତ୍ସା କରାଯାଉଛି। ଏହା ଛଡା ଏମାନଙ୍କ ସହ ବିମାନରେ ଯାତ୍ରା କରିଥିବା ସହଯାତ୍ରୀଙ୍କୁ ସଂକ୍ରମିତଙ୍କୁ ନେଇ ସଚେତନ କରାଯାଇଥିବା ବେଳେ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। ସୂଚନା ଯୋଗ୍ୟଯେ ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ଭାରତକୁ ପ୍ରାୟ ୩୩ ହଜାର ଲୋକେ ବିଦେଶ ଯାତ୍ରାରୁ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ କରିବା ସହ ସେମାନଙ୍କର ପରୀକ୍ଷଣ ମଧ୍ୟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୧୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସବୁ ସାମ୍ପଲର ଜିନୋମ ସିକ୍ୱେନ୍ସ କରାଯାଇଛି।

କେବଳ ଭାରତ ନୁହେଁ ବ୍ରିଟେନ କୋଭିଡ ଷ୍ଟ୍ରେନ୍‌ ସ୍ପେନ୍‌, ସ୍ୱିଡେନ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ, ଡେନମାର୍କ, ଜର୍ମାନ, ଇଟାଲୀ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଜାପାନ, ଲେବାନନ, ସିଙ୍ଗାପୁର ଓ ନାଇଜେରିଆ ମଧ୍ୟ ପହଞ୍ଚିଯାଇଛି। ଏହା ଛଡା ଦକ୍ଷିଣ ଆଫ୍ରିକାରେ ମଧ୍ୟ କୋଭିଡର ନୂଆ ଷ୍ଚ୍ରେନ ମିଳିଛି। ହେଲେ ଏହା ବ୍ରିଟେନ ଷ୍ଟ୍ରେନ ଠାରୁ ପୃଥକ ବୋଲି ଜଣାପଡିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.