ଇସ୍କନର ଅଦିନଆ ରଥଯାତ୍ରାକୁ ନେଇ ପ୍ରବଳ ଜନ ଅସନ୍ତୋଷ
31/01/2020 at 8:50 PM

ଭୁବନେଶ୍ୱର/ପୁରୀ ୩୧।୦୧ – ମୁମ୍ବାଇରେ ଇସ୍କନର ଅଦିନଆ ରଥଯାତ୍ରାକୁ ନେଇ ପ୍ରବଳ ଜନ ଅସନ୍ତୋଷ। ଜଗନ୍ନାଥ ପ୍ରେମୀଙ୍କ ଠାରୁ ଆରମ୍ଭକରି ରାଜନେତା ସମସ୍ତେ ଇସ୍କନର ଏଭଳି ଅଦିନିଆ ରଥଯାତ୍ରାକୁ ନିନ୍ଦା କରିଛନ୍ତି । ଏନେଇ ବିଶ୍ବାବସୁମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ତେବେ ଶାସକ ଦଳର ବିଧାୟକମାନେ ଇସ୍କନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଅଭିଯୋଗ କରିବାକୁ ଦାବି କରିଛନ୍ତି ବିରୋଧୀ । ଏଥିସହ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ସହ ଏଥିପାଇଁ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି…
ମୁମ୍ବାଇରେ ଇସ୍କନ୍ର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ଇସ୍କନ କାହା ସାହସରେ ଏଭଳି ଅଦିନିଆ ରଥଯାତ୍ରା କଲା ? ଅଦିନିଆ ରଥଯାତ୍ରା ଭଳି ଦୁଃସାହସ କରି ପୂର୍ବରୁ ଭୁଲ ମାଗିଥିଲେ ଇସ୍କନ କର୍ତ୍ତୃପକ୍ଷ । ହେଲେ ପୁଣି ସେହି ଭୁଲ ଦୋହରାଇ ଚାଲିଛନ୍ତି । ଏଥର ପୂରା ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଇସ୍କନ ମୁମ୍ବାଇରେ ରଥଯାତ୍ରା କଲା । ଏହାକୁ ନେଇ ଏବେ ଜଗନ୍ନାଥ ପ୍ରେମୀଙ୍କ ମନରେ ଲାଗିଛି ଆଘାତ। ବିଶ୍ବାବସୁ ବିନାୟକ ଦାସ ମହାପାତ୍ର ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଜଗତର ନାଥ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରାକୁ ଯେପରି କୌଣସି ରାଜ୍ୟ ଆଉ ଅନୁମତି ନଦିଏ ସେଥିପାଇଁ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନ ଚିଠି ଲେଖନ୍ତୁ ବୋଲି ବିନାୟକ ଦାସ ମହାପାତ୍ର ଅନୁରୋଧ କରିଛନ୍ତି ।
ଅଦିନିଆ ରଥଯାତ୍ରା ପାଇଁ ଗତ ବିଧାନସଭା ଅଧିବେଶନ ଉଠିଥିଲା ପଡିଥିଲା। ଏବେ ପୁଣି ଶାସକ ଦଳ ସଦସ୍ୟଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ସଦସ୍ୟମାନେ ଇସ୍କନର ଏଭଳି କାମକୁ ନେଇ ତାତିଛନ୍ତି । ଶାସକ ଦଳ ସଦସ୍ୟ ଅମର ଶତପଥୀ କହିଛନ୍ତି ଜଗନ୍ନାଥ ସଂସ୍କୃତି ଓ ନୀତିକୁ ବିଭ୍ରାଟ କରିବା ପାଇଁ ଯୋଜନା ବଦ୍ଧଭାବେ ଇସ୍କନ୍ ଏପରି କରୁଛି । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଇସ୍କନ ବିରୋଧରେ ଥାନାରେ ଏତାଲା ଦେବା ପାଇଁ ପଦକ୍ଷେପ ନେଉ। ଏପଟେ ବିରୋଧୀ କଂଗ୍ରେସ ଓ ବିଜେପି ନେତା କହିଛନ୍ତି ଇସ୍କନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଆଇନ ପ୍ରଣୟନ କରାଯାଉ।
ଇସ୍କନ କେବଳ ଅଦିନରେ ରଥଯାତ୍ରା କରିନି । ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ଭୁଲ ତଥ୍ୟ ମଧ୍ୟ ବହିରେ ପ୍ରକାଶ କରିଥିଲା। ଇସ୍କନ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ନାଁରେ ଏଭଳି ବାରମ୍ବାର ଭୁଲ କରିଚାଲିଥିବାରୁ ଏହାକୁ ଆଉ ବରଦାସ୍ତ କରାଯିବା ଉଚିତ୍ ନୁହେଁ । ସରକାର ଏହା ଉପରେ ଠୋସ୍ ପଦକ୍ଷେପ ସହ ଇସ୍କନ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳମତ ନିର୍ବିଶେଷରେ ସବୁଠି ଦାବି ଉଠିଛି ।