ବେଦାନ୍ତ ଆସ୍‌ପଣ୍ଡ ଭୁଶୁଡିବା ଘଟଣାକୁ ପୁରିଛି ୪ବର୍ଷ, ଏବେବି ସମ୍ପୂର୍ଣ୍ଣ ବିସ୍ଥାପନ ଆଶାରେ କାତିକେଲାବାସୀ

Published By : Prameya-News7 Bureau | April 08, 2021 IST

ଝାରସୁଗୁଡା ୮।୪: ଝାରସୁଗୁଡ଼ା କାତିକେଲା ସ୍ଥିତ ବେଦାନ୍ତ ଆସପଣ୍ଡ ଭୁଶୁଡିବା ଘଟଣାକୁ ୪ ବର୍ଷ ପୁରିଛି । ଘଟଣା ପରଠାରୁ ଭୟ, ଆଶା, ଆଶଙ୍କା ଓ ପ୍ରତିଶ୍ରୁତିରେ ଗାଁ ଲୋକ ଚାରି ବର୍ଷ ବିତାଇ ସାରିଲେଣି । କିନ୍ତୁ ଲୋକଙ୍କ  ଆଶା ପୂରଣ ହୋଇନାହିଁ । କମ୍ପାନୀ ଓ ପ୍ରଶାସନିକ ପ୍ରତିଶ୍ରୁତି ପାଳନ କ୍ଷେତ୍ରରେ ଆଶାତୀତ ସଫଳତା ମିଳିପାରିନାହିଁ । ୪ ବର୍ଷ ପୂର୍ବରୁ କାତିକେଲା ଯେପରି ଥିଲା ଆଜି ବି ସେହିପରି ଅଛି । କେବଳ ତରଳ ପାଉଁଶ ମାଡିଯାଇଥିବା କେତେକ ସ୍ଥାନରେ ସବୁଜ ଘାସ ଉଠିଛି । ସମ୍ପୂର୍ଣ୍ଣ ବିସ୍ଥାପନ ଆଶାରେ ରହିଥିବା କାତିକେଲା ଲୋକ ସରକାରୀ ଅନୁମୋଦନକୁ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷରେ ଲୋକଙ୍କୁ ବୋକା ବନାଇବା ପାଇଁ ବିସ୍ଥାପନ ଏକ ବାହାନା ବୋଲି ମଧ୍ୟ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

{"id":435215,"width":841,"height":467,"sizeSlug":"large","linkDestination":"none"}

ଦୀର୍ଘ ୪ ବର୍ଷ ଧରି ବିସ୍ଥାପିତ ହେବାକୁ ଆନ୍ଦୋଳନ ସତ୍ତ୍ବେ ଦାବି ପୂରଣ ହେଉନି । ଫଳରେ ପୁନର୍ବାର ଝାରସୁଗୁଡା ଜିଲ୍ଲା ଭୁର୍କାମୁଣ୍ଡାରେ ଥିବା ବେଦାନ୍ତ ଆଲୁମିନିୟମ କାରଖାନାର ମୁଖ୍ୟ ଫାଟକରେ କାତିକେଲା ଗ୍ରାମବାସୀମାନେ ବିସ୍ଥାପନ ସମସ୍ୟା ନେଇ ଗୁରୁବାର ସକାଳଠାରୁ ଧାରଣାରେ ବସିଛନ୍ତି । ଗତ ୨୦୧୭ ଅଗଷ୍ଟ ୨୮ ତାରିଖ ରାତିରେ କାତିକେଲା ଗ୍ରାମର ନିକଟରେ ଥିବା ଆସପଣ୍ଡ ଭାଙ୍ଗି ଯାଇଥିଲା । ଏହା ଦ୍ବାରା ସେହି ଦିନଠାରୁ ଗ୍ରାମବାସୀମାନେ ସମସ୍ତଙ୍କୁ ବିସ୍ଥାପନ କରିବା ସହ ଉଚିତ୍ ପ୍ରାପ୍ୟ ଓ ସ୍ଥାୟୀ ଚାକିରୀ ଦେବାକୁ ଦାବି କରିଆସୁଛନ୍ତି । ମାତ୍ର ବହୁଦିନ ହେଲାଣି ଏହି ସମସ୍ୟା ରହିଥିଲେ ମଧ୍ୟ କୌଣସି ସଠିକ୍ ସମାଧାନ ହେଉନଥିବା ବେଳେ ବେଦାନ୍ତ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ଆଗଭର ହେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ଗୁରୁବାର ସକାଳୁ କାତିକେଲା ଗ୍ରାମବାସୀ ବେଦାନ୍ତର ଏକ ନମ୍ବର ଫାଟକ ନିକଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନରେ ବସି ରହିବାରୁ ଉତ୍ତେଜନା ଲାଗି ରହିଥିଲା । ପ୍ରଶାସନ ପ୍ରତିଶ୍ରୁତି ସତ୍ତ୍ବେ କାତିକେଲା ଗ୍ରାମର ୩୨୨ ପରିବାରଙ୍କୁ ବିସ୍ଥାପିତ କରାଯାଉ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆସନ୍ତା ୨୦ ତାରିଖ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ବେଳେ ସରକାରୀ ନିୟମ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ବେଦାନ୍ତ ପ୍ରସ୍ତୁତ ଥିବା କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.