ଫୋନି ପରେ ବେହାଲ ରାଜଧାନୀବାସୀ, ଏବେ ବି ଅଧିକାଂଶ ଲୋକଙ୍କ ପାଖରେ ପହଞ୍ଚିପାରିନି ବିଜୁଳି, ପାଣି ଓ ମୋବାଇଲ୍ ସେବା

Published By : Prameya-News7 Bureau | May 09, 2019 IST

ଭୁବନେଶ୍ବର ୯|୫: ବାତ୍ୟାର ୬ଦିନ ପରେ ବି ବେହାଲ ସ୍ଥିତିରେ ରାଜଧାନୀବାସୀ । ଏବେ ବି ଅଧିକାଂଶ ଲୋକଙ୍କ ପାଖରେ ନା’ ପହଞ୍ଚିଛି ବିଜୁଳି ନା’ ମିଳୁଛି ପାଣି । ମୋବାଇଲ୍‌ ଇଣ୍ଟରନେଟ୍‌ ସବୁ ଠପ୍‌ । ପୁଣି ଦାଉ ସାଧିଛି ଠପ୍‌ ହୋଇଯାଇଥିବା ବ୍ୟାଙ୍କ ସେବା । ଆକାଉଣ୍ଟରେ ଟଙ୍କା ଥିଲେ ବି ଲୋକଙ୍କ ପକେଟ୍‌ ଖାଲି । ଏଟିଏମ୍‌ରେ ଟଙ୍କା ନାହିଁ, ପେଟ୍ରୋଲ୍‌ ପମ୍ପରେ ସମେତ କୌଣସି ଯାଗାରେ କାର୍ଡ଼ରେ କାରବାର ହେଉନି । ଏମିତିରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ ।

ବିଜୁଳି ନାହିଁ । ପାଣି ନାହିଁ । ମୋବାଇଲ୍‌ ଇଣ୍ଟରନେଟ୍‌, ବ୍ୟାଙ୍କ ସେବା ସବୁ ଠପ୍‌ । ଯୋଉ କେତେଟା ଏଟିଏମ୍‌ରେ ଟଙ୍କା ଅଛି ସେଠି ଲୋକଙ୍କ ଲମ୍ବା ଲାଇନ୍‌ । ପୁଣି ଡିମନିଟାଇଜେସନ ସ୍ଥିତିକୁ ତାଜା କରିଛି ଏଇ ଚିତ୍ର । ମୋବାଇଲ୍, ଇଣ୍ଟରନେଟ୍‌ ସେବା ସବୁ ବନ୍ଦ ଯୋଗୁଁ ବ୍ୟାଙ୍କଗୁଡ଼ିକରେ ଲିଙ୍କ୍‌ ଫେଲ୍‌ । କୌଣସି ଟ୍ରାଞ୍ଜାକ୍ସନ ହୋଇପାରୁନି । ଡିଜିଟାଲ ଟ୍ରାଞ୍ଜାକ୍ସନ ମଧ୍ୟ ବନ୍ଦ ହୋଇଯାଇଛି । ଲୋକଙ୍କ ପାଖରେ କ୍ୟାସ୍‌ ନାହିଁ । ଏମିତିରେ କେମିତି ଚାଲିବ ସବୁ କିଛି ? ପରସ୍ପରକୁ ଏଇ ପ୍ରଶ୍ନ ପଚାରୁଛନ୍ତି ଲୋକେ । ସେପଟେ ଟେଲିଫୋନ୍‌ କମ୍ପାନୀମାନଙ୍କ ସହ ଆଲୋଚନା କରି ଖୁବ୍‌ ଶୀଘ୍ର ସେବା ସ୍ବାଭାବିକ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିସହ ଡହ ଡହ ଖରା ଗରମ ଭିତରେ ବିଜୁଳି ଆଉ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ । କୋଉ ଏରିଆରେ କେବେ କରେଣ୍ଟ୍‌ ଆସିବ, ଆଉ ପାଣି ଯୋଗାଣ ସ୍ବାଭାବିକ ହେବ ତା’ର ସନ୍ତୋଷଜନକ ଉତ୍ତର କାହାରି ପାଖରେ ନାହିଁ । ତଥାପି ପରିସ୍ଥିତିକୁ ଦେଖି ମ୍ୟାନେଜ୍‌ କରିବାକୁ ପୂରା ପୂରା ଚେଷ୍ଟାରେ ଅଛନ୍ତି ବିଭାଗୀୟ ଅଧିକାରୀ । 

ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । କେବେ ସୁଧୁରିବ ସ୍ଥିତି । କେବେ ସ୍ବାଭାବିକ ହେବ ଠପ୍‌ ପଡ଼ିଥିଲା ସମସ୍ତ ସେବା । ଫୋନି ପ୍ରଭାବରୁ କେବେ ମୁକ୍ତ ହେବେ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.