ଓଡିଶା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ପ୍ରତିଦିନ ତଥ୍ୟ ଦେଖୁଛନ୍ତି ୪୦ହଜାର ଲୋକ, ଭିଜିଟ୍ କରୁଛନ୍ତି ୧୨୩ ଦେଶର ଲୋକ

Published By : Prameya-News7 Bureau | August 02, 2020 IST

ଭୁବନେଶ୍ବର ୨।୮: ଓଡିଶା ସରକାର କରୋନା ତଥ୍ୟ ଅନ୍‌ଲାଇନ୍‌ରେ ‘କୋଭିଡ୍‌ ଡ୍ୟାସବୋର୍ଡ’ ମାଧ୍ୟମରେ ଯୋଗାଇ ଦେଉଛନ୍ତି । କରୋନା ସଂକ୍ରମଣର ହାର କେତେ ? ଜାତୀୟସ୍ତରଠାରୁ କମ୍‌ ନା ବେଶି ? କେଉଁ ଜିଲ୍ଲା ହଟ୍‌ସ୍ପଟ୍‌ । ରାଜ୍ୟରେ କୋଭିଡ୍‌ ହସପିଟାଲ ଆଉ ବେଡ୍‌ ସଂଖ୍ୟା କେତେ ? ସୁସ୍ଥ ଓ ମୃତ୍ୟୁହାର କେତେ ରହିଛି ? ଏ ସମସ୍ତ ତଥ୍ୟ ସୂଚନା ସ୍ବଚ୍ଛ ଓ ଗୁଣାତ୍ମକ ସୂଚନା ପାଇଁ ଏ ଡ୍ୟାସବୋର୍ଡ ଆନ୍ତର୍ଜାତିକସ୍ତରରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି । ୧୨୩ଟି ଦେଶର ନାଗରିକ କରୋନା ସଂପର୍କିତ ସୂଚନା ପାଇବାକୁ ଓଡିଶା ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡ ସାଇଟ୍‌ ଖୋଲୁଛନ୍ତି । ଦୈନିକ ୪୦ ହଜାରରୁ ଅଧିକ ଲୋକ ଏ ସାଇଟ୍‌ ଭିଜିଟ୍‌ କରି ତଥ୍ୟ ପାଉଛନ୍ତି ।

ଓଡ଼ିଶା କୋଭିଡ୍‌ ଡ୍ୟାସବୋର୍ଡ କୋଭିଡ୍‌ ଡାଟା ରିପୋର୍ଟିଂରେ ବଡ଼ ଭୂମିକା ତୁଲାଉଛି । ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲାଣ୍ଡ, ୟୁନାଇଟେଡ୍‌ ଆରବ ଏମିରେଟସ୍‌ ଓ ବ୍ରିଟେନ୍ ଭଳି ଦେଶରେ ବହୁ ସଂଖ୍ୟାରେ ଲୋକ ଏ ଡ୍ୟାସବୋର୍ଡରୁ ବହୁ ସୂଚନା ପାଇପାରୁଛନ୍ତି । ଏଥିରେ କରୋନା ସଂପର୍କିତ ସୂଚନା ସହ ଗ୍ରାଫ୍‌ ଓ ଚାର୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଡାଟା ଭିଜୁଆଲାଇଜେସନ୍‌ ଏ ଡ୍ୟାସବୋର୍ଡର ସବୁଠାରୁ ବଡ଼ ଆକର୍ଷଣ । ପ୍ରାଥମିକ ପର୍ଯ୍ୟାୟରେ ଏ ସାଇଟ୍‌ ତିନି ଦିନରେ ଥରେ ଅପଡେଟ୍‌ ହେଉଥିଲା । ମାତ୍ର ଏବେ ୨୪ ଘଣ୍ଟାରେ ଅପଡେଟ୍‌ କରାଯାଉଛି ବୋଲି କହିଛନ୍ତି ଇଲେକଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ କୁମାର ମିଶ୍ର । ଖୁବ୍‌ଶୀଘ୍ର ଏ ସାଇଟ୍‌ରେ ବ୍ଲକସ୍ତରର କରୋନା ପରୀକ୍ଷଣ ସୂଚନା ଅପ୍‌ଲୋଡ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

କୋଭିଡ୍‌ ଡ୍ୟାସବୋର୍ଡରେ ଦୈନିକ ସଂକ୍ରମିତ ସଂଖ୍ୟା, ସକ୍ରିୟ ରୋଗୀ, ସୁସ୍ଥ ଓ ମୃତକଙ୍କ ସଂପର୍କରେ ସୂଚନା ମିଳୁଛି । ଏହି ପରିସଂଖ୍ୟାନକୁ ଷ୍ଟାଣ୍ଡାର୍ଡ ବାର୍‌ ଚାର୍ଟ, ଗ୍ରାଫ୍‌ରେ ମଧ୍ୟ ଦର୍ଶାଯାଉଛି । ଏଥିରେ ସଂକ୍ରମିତ ରୋଗୀଙ୍କ ଲିଙ୍ଗ ଓ ବୟସ ସଂପର୍କରେ ସବିଶେଷ ବିବରଣୀ ରହିପାରୁଛି । ଏହାଛଡ଼ା କରୋନା ସମୟରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସରକାରୀ ନିର୍ଦ୍ଦେଶନାମା ଓ ସଫଳ କାହାଣୀ ମଧ୍ୟ ସାଇଟ୍‌ରୁ ମିଳିପାରୁଛି । ଏକ ୧୦ଜଣିଆ ଟିମ୍‌ ଓକାକ୍‌ରେ ଏହାକୁ ପରିଚାଳନା କରୁଛନ୍ତି । ଯୋଜନା ପ୍ରଣୟନକାରୀ, ନୀତି ନିର୍ଦ୍ଧାରକ, ଭେଷଜ ବିଶେଷଜ୍ଞ, ସ୍ବେଚ୍ଛାସେବୀ ସଂଗଠନ ଓ ସାଧାରଣ ଲୋକ ଏ ସାଇଟରେ ଆବଶ୍ୟକୀୟ କରୋନା ତଥ୍ୟ ପାଇପାରୁଛନ୍ତି ।

ଏ ଡ୍ୟାସବୋର୍ଡକୁ ଅନୁଧ୍ୟାନ କରିଥିବା ଷ୍ଟାନ୍‌ଫୋର୍ଡ ଗବେଷକଙ୍କ ମତ ହେଲା, ଜନସ୍ବାସ୍ଥ୍ୟ ଦିଗରେ ସୂଚନା ହେଉଛି ସବୁଠାରୁ ବଡ଼ କଥା । ସୂଚନା ଆଧାରରେ ହିଁ ନୂଆ ପଦକ୍ଷେପ ନେଇହେବ । ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇ ରୋଗ ନିରାକରଣ ପାଇଁ ବାଟ ଫିଟିବ । ସମଗ୍ର ପୃଥିବୀବାସୀ ଏବେ ଏ ମହାମାରୀ କବଳରେ । ତେଣୁ ଏ ସଂକଟ ସମୟରେ ତଥ୍ୟ ବା ସୂଚନା ହେଉଛି ମୂଳଭିତ୍ତି । ଓଡ଼ିଶାକୁ ଏ ଡ୍ୟାସବୋର୍ଡରୁ ଯେଉଁ ସଫଳତା ମିଳିଛି ତାହା ଆଗକୁ ସରକାରଙ୍କୁ ନୂଆ ପୋର୍ଟାଲ ପାଇଁ ଉତ୍ସାହିତ କରିବ । ଆଗକୁ ଓଡ଼ିଶା ଇ-ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଜରିଆରେ ଚାକିରି ଆଶାୟୀ ଓ ଚାକିରି ଦାତାଙ୍କୁ ଅନ୍‌ଲାଇନରେ ଯୋଡ଼ିପାରିବ ।

ଉଲ୍ଲେଖଯୋଗ୍ୟ, କରୋନା ପରିଚାଳନାରେ ତଥ୍ୟ ବା ସୂଚନାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ତୃଣମୂଳସ୍ତରରୁ ସଂଗୃହୀତ ତଥ୍ୟ ଆଧାରରେ ମୁକାବିଲା ପାଇଁ ରଣକୌଶଳ ପ୍ରସ୍ତୁତ ହୁଏ । ଏ ତଥ୍ୟ ସାର୍ବଜନନୀ କରି ଜନସଧାରଣଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଏ । ଭାରତରେ କୋଭିଡ୍‌ ତଥ୍ୟ ପରିଚାଳନା ସଂପର୍କରେ ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଟେକ୍‌ ବିଶ୍ବବିଦ୍ୟାଳୟ ସହ ସ୍ବିଜରଲ୍ୟାଣ୍ଡର ଏର୍ସଲ ଇଣ୍ଡଷ୍ଟ୍ରୀର ଗବେଷକମାନେ ଅନୁଧ୍ୟାନ କରିଥିଲେ। ମହାମାରୀ କରୋନା ପରିଚାଳନାରେ ଓଡ଼ିଶା ମଡେଲ ରାଜ୍ୟ ଭାବେ ପରିଗଣିତ ହେଉଥିଲା ବେଳେ ତଥ୍ୟ ପରିଚାଳନାରେ ମଧ୍ୟ ଓଡ଼ିଶା ବେଶ୍‌ ଆଗରେ ଅଛି । ସ୍ବଚ୍ଛତାର ସହ କରୋନା ତଥ୍ୟ ସଂଗ୍ରହ, ତଥ୍ୟ ପ୍ରଦାନ, ବିଶ୍ଲେଷଣ ସହ ନାଗରିକଙ୍କ ବ୍ୟକ୍ତିଗତ ମର୍ଯ୍ୟାଦାକୁ ସୁରକ୍ଷା ଦେବାରେ ଓଡ଼ିଶା ଉଦାହରଣ ପାଲଟିଛି । ଭାରତର ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଥିଲା ବେଳେ ଶୀର୍ଷରେ କର୍ଣ୍ଣାଟକ ଏବଂ ଦ୍ବିତୀୟରେ କେରଳ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.