ଦାବି ଶୁଣିଲାନି ପୋଲସ୍‌, ଧାରଣା ପରେ ଥାନା ଭିତରକୁ ଧସେଇ ପଶିଲେ ଲୋକେ

Published By : Prameya-News7 Bureau | June 06, 2021 IST

ଦିଗପହଣ୍ଡି, ୦୬/୦୬: ଶତାଧିକ ମହିଳା-ପୁରୁଷ ଥାନା ସମ୍ମୁଖରେ ଧାରଣା ପରେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡ଼ା ଗ୍ରାମର ଜଣେ ଯୁବକ ଅସାମାଜିକ କାର୍ଯ୍ୟ କରି, ଲୋକଙ୍କୁ ଗାଳି ଗୁଲଜ ଗଣ୍ଡଗୋଳ କରିବା ସହ ଭୟଭୀତ କରିବା ବେଳେ ଉକ୍ତ ଯୁବକ ଏବଂ କିଛି ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ପାଟିତୁଣ୍ଡ ହୋଇଥିଲା।

ଉଭୟଙ୍କ ପକ୍ଷରୁ ଥାନାରେ ଏତଲା ହୋଇଥିବା ବେଳେ ଯୁବକ ଜଣଙ୍କର ଏତଲା ଆଧାରରେ ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିଲେ । ଗତକାଲି ବିଳମ୍ବିତ ରାତିରେ ଗାଁକୁ ୪ ଜଣ ଅଭିଯୁକ୍ତ ଆସିବାର ଖବର ପାଇ ପୋଲିସ ସଦଳବଳେ ପହଞ୍ଚିଥିଲା । ଜୋର ଜବରଦସ୍ତ ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା । ଯାହାକୁ ବିରୋଧ କରି ଶତାଧିକ ପୁରୁଷ-ମହିଳା ଗ୍ରାମବାସୀ ଆଜି ଅପରାହ୍ନ ସମୟରେ ଦିଗପହଣ୍ଡି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ।

ସେମାନଙ୍କ ଦାବି ଥିଲା, ଉକ୍ତ ଅସାମାଜିକ ଯୁବକ ଗିରଫ ସହ ୪ ଜଣ ନିର୍ଦୋଷ ଅଭିଯୁକ୍ତଙ୍କୁ ଛଡା ଯାଉ । ଦିଗପହଣ୍ଡି ପୋଲିସ ନ ଶୁଣିବାରୁ ଉତ୍ତ୍ୟକ୍ତ ହୋଇ ଲୋକମାନେ ଥାନା ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ବର୍ତ୍ତମାନ ପରିସ୍ଥିତି ଶାନ୍ତ ପଡିଥିବା ବେଳେ ଧାରଣା ଚାଲୁ ରହିଛି । ଚିକିଟି ଏସଡିପିଓ ଦିଗପହଣ୍ଡି ଆଇଆଇସି ଥାନାରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.