ଭୁବନେଶ୍ବର ୫|୫: ବାତ୍ୟା ଆଶ୍ରୟସ୍ଥଳରେ ଜୀବନ ସିନା ବଞ୍ଚିଗଲା ହେଲେ ଠିକଣା ହଜାଇଦେଲା ‘ଫୋନି’ । ପିଲାଛୁଆଙ୍କୁ ଧରି ମୁଣ୍ଡ ଗୁଞ୍ଜିବାକୁ ଯୋଉ ବାସ ଖଣ୍ଡକ ଥିଲା ଜିନିଷପତ୍ର ସହ ତାହା ଏବେ ମାଟିରେ ମିଶିଯାଇଛି । କାଳେ କିଛି ରହିଯାଇଥିବା ସେଇ ଆଶାରେ ଏବେ ବତୁରି ଯାଇଥିବା ଇଟାମାଟି କାନ୍ଥ ତଳୁ ଜିନିଷ ଖୋଜିବାରେ ବ୍ୟସ୍ତ ବସ୍ତିବାସିନ୍ଦା ।
ଭୁବନେଶ୍ବର ଖଣ୍ଡଗିରି ନିକଟରେ ଥିବା ସୀତାରାମ ବସ୍ତିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଯେଉଁଠି ସୀତା ବତୁରା ମାଟିଗଦା ତଳୁ ଖୋଜୁଛି ତା’ର ସ୍ବପ୍ନକୁ । ଆଉ ବଞ୍ଚିବାର ରାହା ଖୋଜୁଛି ରାମ । ବାତ୍ୟା ଆଶ୍ରୟସ୍ଥଳରେ ଜୀବନ ସିନା ବଞ୍ଚିଗଲା । ହେଲେ ମୂଲ ମଜୁରୀ ଲାଗି ଗଢ଼ିଥିବା ଠିକଣାକୁ ମାଟିରେ ମିଶାଇଦେଇଛି ବାତ୍ୟା ଫୋନି । ପିଲାଛୁଆଙ୍କୁ ଧରି ମୁଣ୍ଡ ଗୁଞ୍ଜିବାର ଚିନ୍ତା ଏବେ ସେମାନଙ୍କ ଦୁଃଖ ଦ୍ବିଗୁଣିତ କରିଛି ।
ଯିଏ ଯାହା ପାଉଛନ୍ତି, ଭଙ୍ଗାଦଦରା ହେଉ ପଛକେ ସାଇତି ରଖୁଛି । ପିଲାଛୁଆଙ୍କୁ ଧରି ଖୋଲା ଆକାଶ ତଳେ ବସିରହିଛନ୍ତି ଲୋକେ । ପିଲାଛୁଆଙ୍କ ପେଟକୁ ଦାନା ଗୁଣ୍ଡାଏ ଯୋଗାଡ଼ କରିବା ଏବେ କାଠିକର ପାଠ ହୋଇଯାଇଛି । ସବୁ କିଛି ପାଇଁ ପ୍ରଶାସନିକ ସହାୟତା ଉପରେ ନିର୍ଭର ।