‘ପ୍ଲାନ୍‌ ପ୍ରସ୍ତୁତ ସରିଛି, ହିଡମା ଭଳି ଦୁର୍ଦ୍ଦାନ୍ତ ମାଓବାଦୀ ଖୁବଶୀଘ୍ର ଇତିହାସ ପାଲଟିବେ’ : CRPF ମୁଖ୍ୟ କୁଲଦୀପ ସିଂହ

Published By : Prameya-News7 Bureau | April 08, 2021 IST

ବିଜାପୁର ୦୮/୦୪ : ଛତିଶଗଡ ସୁକ୍‌ମାରେ ଲାଲ ବାହିନୀଙ୍କ ଦ୍ବାରା ଘଟିଥିବା ବର୍ବରୋଚିତ ହିଂସା ଘଟଣା ଏବେ ମଧ୍ୟ ମନରୁ ଲିଭିନାହିଁ । ନକ୍ସଲଙ୍କ ‘U ଟାଇପ୍‌ ’ ଆମ୍ବୁସକୁ ବୁଝିନପାରି ଚକ୍ରବୂହ୍ୟରେ ଫସି ପ୍ରାଣ ହରାଇଥିଲେ ୨୨ ଜଣ ଯବାନ । ଏହାରି ମଧ୍ୟରେ ସୁକ୍‌ମା ଆକ୍ରମଣକୁ ନେଇ ଏକ ବଡ ବୟାନ ଦେଇଛନ୍ତି CRPF ମୁଖ୍ୟ କୁଲଦୀପ ସିଂହ । ସେ କହିଛନ୍ତି, ମାଓ କମାଣ୍ଡର ହିଡମା ଭଳି ନକ୍ସଲ ଖୁବ ଶୀଘ୍ର ଇତିହାସ ପାଲଟିବେ । କୁଲଦୀପ ସିଂହ କହିଛନ୍ତି, ଆଗାମୀ ଅପରେସନ ପାଇଁ ଯୋଜନା ପ୍ରସ୍ତୁତ ସରିଛି । ଏହା ସହିତ ମାଓବାଦୀଙ୍କ କବ୍‌ଜାରେ ଥିବା ଅନେକଗୁଡିକ ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିଛି ସୁରକ୍ଷାବଳ ।

କୁଲଦୀପ ସିଂହ କହିଛନ୍ତି, ବର୍ତ୍ତମାନ ମାଓବାଦୀମାନଙ୍କ ଚଳପ୍ରଚଳ ଅଞ୍ଚଳକୁ ସଙ୍କୀର୍ଣ୍ଣ କରାଇଦିଆଯାଇଛି । ବର୍ତ୍ତମାନ ନକ୍ସଲମାନଙ୍କ ନିକଟରେ ବଞ୍ଚିବାପାଇଁ କୌଣସି ସୁଯୋଗ ଦିଆଯିବନି । ଯଦି ସେମାନେ ଚାହିଁବେ ଫେରାର ହୋଇଯିବାକୁ ତେବେ ଯାଇପାରିବେ ନଚେତ ସେମାନଙ୍କୁ ସଫା କରାଯିବ ବୋଲି CRPF ମୁଖ୍ୟ କୁଲଦୀପ ସିଂହ କହିଛନ୍ତି । ପୂର୍ବରୁ ସଂପୃକ୍ତ ଅଞ୍ଚଳର ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ମାଓବାଦୀଙ୍କ ଦବଦବା ରହିଥିଲା କିନ୍ତୁ ବର୍ତ୍ତମାନ ତାହା ବର୍ତ୍ତମାନ ୨୦ ବର୍ଗ କିଲୋମିଟରକୁ ଖସିଆସିଛି । ତେବେ ମାତ୍ର ବର୍ଷେ ମଧ୍ୟରେ ସଂପୃକ୍ତ ଅଞ୍ଚଳ ମାଓ ଶୂନ୍ୟ ହେବ ଦୃଢୋକ୍ତି ପ୍ରକାଶ କରିଛନ୍ତି CRPF ମୁଖ୍ୟ କୁଲଦୀପ ସିଂହ ।

{"width":837,"height":558}

ସୂଚନା ଅନୁସାରେ ହିଡମା ହେଉଛି ସୁକମା ଜିଲ୍ଲା ପୂବାର୍ତ୍ତି ଗାଁ ବାସିନ୍ଦା । ବୟସ ପ୍ରାୟ ୪୦ ବର୍ଷ । ୯୦ ଦଶକରେ ସେ ନକ୍ସଲୀ ହିଂସା ରାସ୍ତାକୁ ବାଛିନେଇଥିଲା । ଅନେକ ନୀରିହ ଲୋକଙ୍କୁ ହତ୍ୟା ଘଟଣାରେ ହିଡମାର ସଂପୃକ୍ତି ସାମ୍ନାକୁ ଆସିଛି । ସେ ମାଓବାଦୀମାନଙ୍କ ପିପୁଲ୍ସ ଲିବରେସନ୍‌ ଗରିଲ୍ଲା ଆର୍ମୀ ବାଟାଲିୟନ-୧ ର ମୁଖ୍ୟ ଭାବେ କାର୍ଯ୍ୟ କରୁଛି । ଏହା ସହିତ ସେ ସିପିଆଇ (ମାଓବାଦୀ)ର ୨୧ ଜଣିଆ ସେଣ୍ଟ୍ରାଲ କମିଟିର ସଦସ୍ୟ ମଧ୍ୟ ଅଛି ।

ଛତିଶଗଡ ଏବଂ ମହାରାଷ୍ଟ୍ର ପୋଲିସକୁ ଚକମା ଦେଇ ଦଣ୍ଡକାରଣ୍ୟରେ ଗତ ୧୧ବର୍ଷ ଭିତରେ ରଚି ଚାଲିଛି ଅନେକ ନରସଂହାର । ପୋଲିସ ପାଇଁ ସବୁଠୁ ବଡ ଚାଲେଞ୍ଜ ପାଲଟିଛି ସେ । ରଣନୀତି କରି ହମଲାର ଷଡ଼ଯନ୍ତ୍ର ରଚୁଥିବା ହିଡମା ଛତିଶଗଡ଼ର ସୁକମାରୁ ମହାରାଷ୍ଟ୍ରର ଗଡଚିରୋଲିଏପରିକି ଓଡ଼ିଶାର ମାଲକାନଗିରି ଯାଏଁ ତାର ଦବଦବା ରଖିଛି  । ଛତିଶଗଡ ସିପିଆଇ ମାଓ ସଂଗଠନର ଦାୟିତ୍ବ ରହିଛି ହିଡମା କାନ୍ଧରେ । ଗତବର୍ଷ ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟି ମୁଖ୍ୟ ରାମାନ୍ନାର ମୃତ୍ୟୁ ପରେ ହିଡମା ସଂଗଠନ ସମ୍ଭାଳୁଛି । ଅଧିକ ଆତଙ୍କରାଜ ସୃଷ୍ଟି କରି ନକ୍ସଲ ସଂଗଠନକୁ ସକ୍ରିୟ ରଖିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ରଖିଛି ହିଡମା ।

ହିଡମା ସର୍ବଦା ସୁରକ୍ଷା ବଳୟ ମଧ୍ୟରେ ରୁହେ । ତାକୁ ଧରିବା ପାଇଁ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ହିଡମାର ଟିମରେ ପ୍ରାୟ ୧୮୦ ରୁ ୨୫୦ ଜଣ ନକ୍ସଲ ଅଛନ୍ତି । ବିଧାୟକ ଭୀମା ମାଣ୍ଡଓ୍ବୀ ହତ୍ୟାକାଣ୍ଡ ମାମଲାରେ ତା ବିରୁଦ୍ଧରେ ଏନ୍‌ଆଇଏ ଚାର୍ଚ୍ଚ ମଧ୍ୟ ଦାଖଲ କରିଛି ।

ଗତ ବର୍ଷ ସୁକମା ଅଞ୍ଚଳରେ ନକ୍ସଲମାନେ ୧୭ ଜଣ ନିରୀହ ଲୋକଙ୍କର ଜୀବନ ନେଇଥିଲେ । ୨୦୧୯ ଏପ୍ରିଲ ମାସରେ ବିଜେପି ବିଧାୟକ ଭୀମା ମାଣ୍ଡଓ୍ବୀ, ତାଙ୍କ ଡ୍ରାଇଭର ଏବଂ ୩ ଜଣ ସୁରକ୍ଷାକର୍ମୀଙ୍କୁ ଅତି ନର୍ମମ ଭାବେ ହତ୍ୟା କରିଥିଲେ ।

 ୨୦୧୦ରେ ଦନ୍ତେୱାଡା ହମଲାରେ ୭୬ଜଣ ସିଆରପିଏଫ ଯବାନ ସହିଦ ଘଟଣା ଏବଂ ୨୦୧୩ ଝିରାମ ଘାଟି ମାଓ ହମଲାରେ ୨୭ଜଣ କଂଗ୍ରେସ ନେତା ପ୍ରାଣ ହରାଇବା ଘଟଣାରେ ପାଇଁ ବ୍ଲୁ ପ୍ରିଣ୍ଟ କରିଥିଲା ହିଡମା । ଏହାପରଠୁ ସେ ପୋଲିସ ରାଡାରକୁ ଆସିଯାଇଥିଲା । ୨୦୧୭ରେ ପୁଣି ବୁରଖାପାଲଠାରେ ସିଆରପିଏଫ୍ ଉପରେ ହମଲାରେ ଥିଲା ହିଡମାର ହାତ, ଯେଉଁଥିରେ ୨୫ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ମାଓ ସଂଗଠନରେ ହିଡମାର ଗୁରୁତ୍ବ ବଢି ଯାଇଥିଲା । ଦଣ୍ଡକାରଣ୍ୟ ଜୋନ୍‌ରେ ସେ ଲାଲକମାଣ୍ଡର ପାଲଟିଯାଇଥିଲା ।

୨୦୧୦ ପରଠାରୁ ହିଡମାକୁ ଆଉ କେହି ଦେଖି ନାହାନ୍ତି । ଦନ୍ତେୱାଡା, ବିଜାପୁର ଏବଂ ସୁକମାରେ ଆକ୍ଟିଭ ହିଡମା ସବୁବେଳେ ୫୦ ନକ୍ସଲଙ୍କ ଘେର ଭିତରେ ରହୁଥିବା  ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ୨୦୧୭ ଜାନୁଆରୀରେ ବିଜାପୁରରେ ପୋଲିସ ଗୁଳିରେ ହିଡମା ପ୍ରାଣ ହରାଇଥିବା ସୂଚନା ଆସିଥିଲା । କିନ୍ତୁ ଏବେ ପୁଣି ଚ୍ୟାଲେଞ୍ଜ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.