ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଚାଷୀ ଆନ୍ଦୋଳନରେ ସାମିଲ ୪ ବ୍ୟକ୍ତି, ମଦ ପିଇବା ପରେ ହୋଇଥିଲା ବିବାଦ

Published By : Prameya-News7 Bureau | June 17, 2021 IST

ଫରିଦାବାଦ ୧୭/ ୦୬ : ହରିୟାଣାର ବାହାଦୁରଗଡରେ ଏକ ଅଭାବନୀୟ ଘଟଣା ଘଟିଛି । ଚାଷୀ ଆନ୍ଦୋଳନରେ ସାମିଲ ହେବାକୁ ଆସିଥିବା ବ୍ୟକ୍ତିମାନେ ଜଣଙ୍କୁ ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି । ମୃତକ ସ୍ଥାନୀୟ କସାର ଗାଁର ମୁକେଶ ବୋଲି ସୂନଚା ମିଳିଛି । ପୋଲିସ ମୃତ ଦେହକୁ ଜବକ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।


ସୂଚନା ଅନୁସାରେ, ମୃତକ ମୁକେଶ ଗତକାଲି ଅର୍ଥାତ ବୁଧବାର ଦିନ ଚାଷୀ ଆନ୍ଦୋଳନରେ ସାମିଲ ହେବାକୁ ଆସିଥିବା ୪ ଜଣଙ୍କ ସହିତ ଆନ୍ଦୋଳନ ସ୍ଥଳରେ ମଦ ପିଇଥିଲେ । ନିଶାରେ ଚୁର ଥିଲେ ସମସ୍ତେ । ଏହାପରେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ଉତ୍ତ୍ୟକ୍ତ ମଦ୍ୟପ ବ୍ୟକ୍ତିମାନେ ମୁକେଶଙ୍କ ଉପରେ କିରୋସିନ ଢାଳି ନିଆଁ ଳଗାଇଦେଇଥିଲେ ।

ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ଅନ୍ୟ କିଛି ଚାଷୀଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ମୁକେଶଙ୍କୁ ବାହାଦୁରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡିଯାଇଥିଲା । ରାତି ପ୍ରାୟ ୨ ଟା ୩୦ରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ହସ୍ପିଟାଲ ପରିସରରେ ପ୍ରବଳ ହଙ୍ଗାମା କରିଥିଲେ ମୁକେଶଙ୍କ ପରିବାର ଲୋକେ । ଏହା ସହିତ ଆନ୍ଦୋଳନରତ ଚାଷୀମାନେ ଗାଁ ଲୋକଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ମୁକେଶଙ୍କ ମୃତଦେହକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବି କରିଥିଲେ ।


ଏହା ସହିତ ସେଠାରେ ଆନ୍ଦୋଳନରତ ଚାଷୀମାନଙ୍କୁ ଅନ୍ୟତ୍ର ଗାଁରୁ ଦୂରକୁ ଯାଇ ଆନ୍ଦୋଳନ କରିବାକୁ ଦାବି କରିଥିଲେ ସ୍ଥାନୀୟ ଲୋକେ । ଡିଏସପି ପବନ କୁମାର ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ବୁଝାସୁଝା କରିଥିଲେ । ବର୍ତ୍ତମାନ ହତ୍ୟା ଅଭିଯୋଗରେ ଥାନାରେ ମାମଲା ରୁଜୁ କରିଯାଇଛି । ଏହାସହିତ ଘଟଣାର ତଦନ୍ତ ଜାରି ରହିଥିବା ଡିଏସପି ପବନ କୁମାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.