ପାକିସ୍ତାନ ସୀମା ନିକଟବର୍ତ୍ତୀ ଅମୃତସରରେ ଶୁଣାଗଲା ବିସ୍ଫୋରଣର ଶବ୍ଦ, ସ୍ଥାନୀୟଲୋକେ ଭୟଭୀତ

Published By : Prameya-News7 Bureau | March 15, 2019 IST

ଅମୃତସର ୧୫|୩ : ପାକିସ୍ତାନ ସୀମା ନିକଟ ଅମୃତସର ସହରରେ  ଆତଙ୍କର ବାତାବରଣ ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣ ଫଳରେ ସହରର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କଣ ବିସ୍ଫୋରଣ ହୋଇଥିଲା ଏବଂ କେଉଁ କାରଣରୁ ହୋଇଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ପୋଲିସ ଏବଂ ପ୍ରଶାସନ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି ଯେ, ସହରର ଆଖପାଖ ଅଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି ।

ଶୁଣିବାକୁ ମିଳୁଛି ଯେ, ଏହି ବିସ୍ଫୋରଣ ନିକଟରେ ବିମାନ ଯିବା କାରଣରୁ ହୋଇଛି । ଅନ୍ୟ କେତେକ ଲୋକଙ୍କ କହିବା କଥା ଯେ, ସହରର ଆଖପାଖରେ ଦୁଇଟି ସ୍ଥାନରେ ବିସ୍ଫୋରଣ ହୋଇଛି ମାତ୍ର ଏହା ବିମାନ ଯିବା କାରଣରୁ ହୋଇଥିବା ଜଣାପଡୁନାହିଁ । ଅନ୍ୟପଟେ ଏଭଳି ସୂଚନା ମିଳୁଛି ଯେ, ବିସ୍ଫୋରଣ କାରଣରୁ ଅନେକ ଲୋକଙ୍କ ଘରର କାଚ ମଧ୍ୟ ଭାଙ୍ଗି ଯାଇଛି । ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, କେବଳ ଅମୃତସର ନୁହେଁ ବରଂ ଆଖପାଖ ଅଞ୍ଚଳକୁ ମଧ୍ୟ ଶୁଣାଯାଇଥିଲା । କେତେକ ଅଞ୍ଚଳରେ ଭୟରେ ଲୋକ ଘରୁ ବାହାରି ନଥିଲେ ।

ସହରର କେତେକ ସ୍ଥାନରେ ପୋଲିସ ଲୋକମାନଙ୍କୁ ବୁଝାସୁଝା କରି ମଧ୍ୟ ଘରକୁ ପଠାଇଛି । ପୋଲିସ କମିଶନର ଏବଂ ଜିଲ୍ଲାପାଳ କହିଛନ୍ତି ଯେ, ବିସ୍ଫୋରଣ କେଉଁଠାରେ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ଯାଞ୍ଚ ଜାରି ରହିଛି । ପୋଲିସ କମିଶନର କହିଛନ୍ତି ବିମାନ କାରଣରୁ ସୋନିକ ବୁମ୍ ପାଇଁ ମଧ୍ୟ ହୋଇପାରେ । ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ଜିଲ୍ଲାପାଳ ଅପିଲ ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.