ହର୍ଷବର୍ଦ୍ଧନଙ୍କ ପରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , କହିଲେ- ରାଜଧାନୀବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ ୦୨/୦୧: ଭାରତକୁ ପ୍ରଥମ କରୋନା ଟିକା ମିଳିଛି। କୋଭିସିଲ୍ଡ କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ସେପେଟେ ସାରା ଦେଶରେ କରୋନା ଟିକା ପାଇଁ ଡ୍ରାଏ ରନ୍‌ ଆରମ୍ଭ ହୋଇଛି। କୋଭିସିଲ୍ଡ କରୋନା ଟିକାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି କରୋନା ଟିକା ସମସ୍ତ ଦେଶବାସୀଙ୍କୁ ମାଗଣା ଦିଆଯିବ। କିନ୍ତୁ ପରେ ଏନେଇ ସଫେଇ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ।

ହର୍ଷବର୍ଦ୍ଧନ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ମାଗଣା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୩ କୋଟି କୋଭିଡ ଯୋଦ୍ଧାଙ୍କୁ କରୋନା ଟିକା ମାଗଣା ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଟିକା ନେଇ କେନ୍ଦ୍ରର ଘୋଷଣା ପରେ ଦିଲ୍ଲି ସରକାର ମଧ୍ୟ ବଡ଼ ଘୋଷଣା କରିଛନ୍ତି। କରୋନା ଟିକା ପହଞ୍ଚିବା ପରେ ଦିଲ୍ଲୀବାସୀଙ୍କୁ ମାଗଣାରେ ବିତରଣ କରାଯିବ। ଏନେଇ ଶନିବାର ଦିନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଘୋଷଣା କରିଛନ୍ତି।

ଦରିଆଗଞ୍ଜରେ ଡ୍ରାଏ ରନ୍‌ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବାକୁ ଆସିଥିବା ବେଳେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ୧୦୦୦ ଭ୍ୟାକ୍‌ସିନ୍‌ କେନ୍ଦ୍ର ଖୋଲାଯିବ ବୋଲି ଜୈନ କହିଛନ୍ତି। ଦିଲ୍ଲୀବାସୀଙ୍କ ପାଇଁ କରୋନା ଟିକା ମାଗଣା ହେବ କି ନାହିଁ ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ହଁ ଟିକା ମାଗଣା ହେବା ସାଙ୍ଗକୁ ଲୋକମାନଙ୍କୁ ମାଗଣାରେ କରୋନା ସମ୍ପର୍କିତ ଚିକିତ୍ସା ଯୋଗାଇ ଦିଆଯିବ। ଏପରିକି ଟିକା କେନ୍ଦ୍ର ହସ୍ପିଟାଲରେ କିମ୍ବା ହସ୍ପିଟାଲ ସମ୍ପର୍କିତ ସ୍ଥାନରେ ଖୋଲାଯିବ ବୋଲି ମଧ୍ୟ ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.