କରୋନାରୁ ବର୍ତ୍ତିବା ଲାଗି ଜାଣନ୍ତୁ ଏବେ ଦେଶରେ ହେଉଛି କ’ଣ? ଦିଲ୍ଲୀରେ ଗୋ ମୂତ୍ର ପିଇଲେ ଲୋକେ
14/03/2020 at 7:30 PM

ନୂଆଦିଲ୍ଲୀ ୧୪।୩ : ଚୀନ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ସଂକ୍ରମଣ ଭାରତରେ ବି ହେବାରେ ଲାଗିଛି। ତେବେ ଦେଶରେ ସଂକ୍ରମଣରୁ ବର୍ତ୍ତିବା ଲାଗି ଲୋକେ ଯାହା କରୁଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଲୋକେ ଦିଲ୍ଲୀରେ ଗୋମୂତ୍ର ପାର୍ଟି କରିଛନ୍ତି। ଏଥିରେ ପ୍ରାୟ ୨୦୦ ଲୋକେ ଯୋଗଦେଇଥିବା ବେଳେ ସଂକ୍ରମଣରୁ ବର୍ତ୍ତିବା ଲାଗି ଗୋମୂତ୍ର ପିଇଛନ୍ତି। ହିନ୍ଦୁ ମହାସଭା କରୋନା ହଟେଇବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଏବେ କରୋନା ଯୋଗୁ ଗୁରୁତର ପରିସ୍ଥିତି ଉପୁଜିଛି। ତେବେ ଏହି ପାର୍ଟିରେ ଯୋଗଦେଇଥିବା ଲୋକେ ଗୋ ମୂତ୍ର ପିଇ କରୋନାରୁ ନିଜକୁ ସୁରକ୍ଷିତ ରଖାଯାଇପାରେ ବୋଲି କହିବା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ତେବେ ହିନ୍ଦୁ ମହାସଭାର କହିବା କଥା ହେଲା ଗୋ ମୂତ୍ରରେ ଅନେକ ଔଷଧିୟ ଗୁଣ ରହିଛି। ଏଣୁ କରୋନା ସଂକ୍ରମଣରୁ ଏହା ଆମକୁ ରକ୍ଷା କରିପାରିବ। ତେବେ ଡାକ୍ତରମାନେ ଏଭଳି ଦାବିକୁ ଅସ୍ୱୀକାର କରିଛନ୍ତି।

ତେବେ କେବଳ କରୋନା ନୁହେଁ। ଅତୀତରେ ଲୋକେ ଗୋ ମୂତ୍ର କ୍ୟାନସର ଭଳି ରୋଗକୁ ଦୂର କରିବାକୁ ସକ୍ଷମ ବୋଲି ଦାବି କରିଥିଲେ। ହେଲେ ଏପର୍ଯ୍ୟନ୍ତ ଏହାର ବୈଜ୍ଞାନିକ ଆଧାର ନାହିଁ। ତେବେ ଦିଲ୍ଲୀରେ ଏଭଳି ଇଭେଣ୍ଟ ଆୟୋଜନ କରିଥିବା ହିନ୍ଦୁ ମହାସଭା ଏବେ ଦେଶର ଅନ୍ୟାନ୍ୟ ସ୍ଥାନରେ ବିଏଭଳି କାର୍ଯ୍ୟକ୍ରମର ଆୟୋଜନ କରିବେ ବୋଲି କହିଛନ୍ତି। ହିନେଦୁମହାସଭାର ଏହି କାର୍ଯ୍ୟକ୍ରମରେ ଏହାର ମୁଖିଆ ଚକ୍ରପାଣି ମହାରାଜ ମଧ୍ୟ ଯୋଗଦେଇଥିଲେ।