ରତ୍ନ ପଥର ଲୋଭରେ ବ୍ୟକ୍ତିଙ୍କ ଜମି ଖୋଳିଲେ ଲୋକେ, ପୋଲିସର ଚଢଉ
19/06/2019 at 2:35 PM

ବୀରମହାରାଜପୁର ୧୯|୬: ସୁବର୍ଣ୍ଣପୁର ବୀରମହାରାଜପୁର ଗୋପପାଲି ଗାଁରେ ମୂଲ୍ୟବାନ ରତ୍ନ ପଥର ଖନନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ଦୁଇ ସପ୍ତାହରୁ ଅଧିକ ହେଲା ଗାଁର ହୀରାଲାଲ ମହାନନ୍ଦଙ୍କ ଜମିରେ ମୂଲ୍ୟବାନ ରତ୍ନ ପଥର ମିଳୁଥିବା ପ୍ରଚାର ହୋଇଥିଲା । ଲୋକେ ମୂଲ୍ୟବାନ ପଥର ମୋହରେ ହୀରାଲାଲଙ୍କ ଜମିର ବିଭିନ୍ନ ସ୍ଥାନରେ ଖୋଳି ଦେଉଛନ୍ତି ।

ହୀରାଲାଲ ବୀରମହାରାଜପୁର ଥାନାରେ ଅଭିଯୋଗ କରିବା ପରେ ଗତ ଜୁନ୍ ୬ ତାରିଖରେ ବଲାଂଗିର ଖଣି ବିଭାଗର ଅଧିକାରୀ, ବୀରମହାରାଜପୁର ତହସିଲଦାର, ରାଜସ୍ବ ନିରୀକ୍ଷକ ତଥା ପୋଲିସ ଆଇଆଇସିଙ୍କ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସେହି ସ୍ଥାନକୁ ଯିବା ପାଇଁ ମନା କରିଥିଲେ । ହେଲେ ରତ୍ନ ପଥର ଲୋଭରେ ଏବେ ବି ଲୋକେ କୋଦାଳ, ଶାବଳ ଆଦି ନେଇ ପଥର ମିଳୁଥିବା ସ୍ଥାନ ଖୋଳୁଛନ୍ତି । ବୀରମହାରାଜପୁର ପୋଲିସ ବିଭିନ୍ନ ସମୟରେ ଚଢାଉ କରି ସେହି ସ୍ଥାନରୁ ୨୨ଟି ସାଇକେଲ ଓ ୨ ଟି ମୋଟର ସାଇକେଲ ଜବତ କରିଛି ।

ପୋଲିସ ପହଂଚିବା ଖବର ପାଇ ପଥର ଖୋଳୁଥିବା ଲୋକେ କୋଡି, ଶାବଳ, ଅଖା ବସ୍ତା, ଡଲା, ସାଇକେଲ ଓ ମୋଟର ସାଇକେଲ ଆଦି ଛାଡି ଛତ୍ରଭଂଗ ଦେଇଥିଲେ । ପୋଲିସ ଘଟଣାସ୍ଥଳରୁ ରତ୍ନ ପଥର ଖୋଳିବା ପାଇଁ ବ୍ୟବହୃତ ସାମଗ୍ରୀ ସହିତ ମୋଟର ସାଇକେଲ ଓ ସାଇକେଲ ଜବତ କରି ବୀରମହାରାଜପୁର ଥାନା ପରିସରରେ ରଖିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରିଛି ।