ଡିସେମ୍ବର ୧ରୁ ଆଉ ଥରେ ଟ୍ରାଫିକ୍ ଧରପଗଡ, ଆରଟିଓ ଅଫିସରେ ଲାଗିଲାଣି ଲମ୍ବା ଲାଇନ୍
20/11/2019 at 12:19 PM

ଭୁବନେଶ୍ବର ୨୦।୧୧: ପୁରି ଆସୁଛି ଡେଡ୍ ଲାଇନ୍ । ହାତରେ ଆଉ ମାତ୍ର ୧୦ ଦିନ । ଡିସେମ୍ବର ୧ରୁ କଡ଼ାକଡି ହେବ ଟ୍ରାଫିକ ନିୟମ । ପୁଣି ମାଡିବସିବ ଟ୍ରାଫିକ ଜମ । ଏହା ପୂର୍ବରୁ ପୁଣି ଲୋକଙ୍କ ମନରେ ଛାନିଆ ପଶିଗଲାଣି । ତେଣୁ ଆରଟିଓ ଅଫିସ ଆଗରେ ଗହଳି ଦେଖିବାକୁ ମିଳିଛି । ଟ୍ରାଫିକ୍ ନିୟମ କୋହଳ ନେଇ ସରକାରଙ୍କ ନିଷ୍ପତ୍ତି ସରିଯାଉଛି । ଏହାପରେ ପୁଣି ଥରେ କଡାକଡି ଭାବେ ଲାଗୁ ହେବ ଟ୍ରାଫିକ୍ ନିୟମ ।

ସରକାରଙ୍କ ନିୟମ ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ୨ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା ଦେବାକୁ ପଡିବ । ସେଥିପାଇଁ ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ରେଜିଷ୍ଟ୍ରେସନ ନମ୍ବର ଓ ପଲ୍ୟୁସନ ସାର୍ଟିଫିକେଟ୍ କରିବାକୁ ବିଭିନ୍ନ ଆରଟିଓରେ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍ ।

ଗତ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହୋଇଥିଲା ଏକକ ଟ୍ରାଫିକ୍ ବ୍ୟବସ୍ଥା । ନୂଆ ମୋଟର ଯାନ ଆଇନ-୨୦୧୯ ଅନୁସାରେ ଟ୍ରାଫିକ୍ ନିୟମ କଡାକଡି କରାଯାଇଥିଲା । ନୂଆ ଟ୍ରାଫିକ୍ ନିୟମକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଥିଲା । ଫଳରେ ତିନି ମାସ ଲାଗି ଟ୍ରାଫିକ୍ କଟକଣା କୋହଳ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମଦ୍ୟପାନ କରି ଗାଡି ଚଲାଇଲେ ୧୦ହଜାର ଟଙ୍କା, ଆମ୍ବୁଲାନ୍ସକୁ ବାଟ ନଛାଡିଲେ ୧୦ହଜାର ଟଙ୍କା, ସିଟ୍ ବେଲ୍ଟ ନ ବାନ୍ଧିଲେ ୫ ହଜାର ଟଙ୍କା, ମୋବାଇଲରେ କଥା ହେଲେ ୫ ହଜାର ଟଙ୍କା, ଓଭରଟେକ କଲେ ୧୦ ହଜାର ଟଙ୍କା, ହେଲମେଟ୍ ନପିନ୍ଧିଲେ ୧ ହଜାର, ବାଇକରେ ୨ଜଣରୁ ଅଧିକ ଗଲେ ୧ ହଜାର, ବିନା ଲାଇସେନ୍ସରେ ଗାଡି ଚଲାଇଲେ ୫ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ଏଥିସହ ଶବ୍ଦ ଓ ବାୟୁ ପ୍ରଦୂଷଣ କଲେ ଏବଂ ପରିମିଟ୍ ନଥାଇ ଗାଡି ଚଳାଇଲେ ୧୦ ହଜାର ଜରିମାନା ଦେବେ ଉଲଂଘନକାରୀ । ୧୮ ବର୍ଷରୁ କମ୍ ପୁଅ କି ଝିଅ ଗାଡି ଚଲାଇଲେ ସେମାନଙ୍କ ଅଭିଭାବକ ୨୫ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ।