ଅଫିସ ଯିବ ବୋଲି ଝିଅକୁ ସ୍କୁଟି ଉପହାର ଦେଲେ ବାପା: ଏମିତି ନମ୍ବର ମିଳିଲା ଯେ ଘରୁ ବାହାରିବା ହୋଇଗଲା ମୁସ୍କିଲ

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦/୧୧ : ଅଧିକାଂଶ ଲୋକଙ୍କ ପାଇଁ ଗାଡି ନମ୍ବର ଏତେ ମହତ୍ତ୍ୱପୂର୍ଣ୍ଣ ନଥାଏ। କିନ୍ତୁ କିଛି ଲୋକେ ଟଙ୍କା ଦେଇ ଭିଆଇପି ନମ୍ବର ନେଇଥାନ୍ତି ଅଥବା ସଫ୍ଟୱେୟାରରୁ ନମ୍ବର ସ୍ୱୟଂ ଆବଣ୍ଟିତ ହୋଇଥାଏ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଯେ ଆରଟିଓ ଆଲଟ କରିଥିବା ନମ୍ବର ଯୋଗୁଁ ଗାଡି ବାହାରକୁ ନେଇ ଯିବା ମୁସ୍କିଲ ? ଗାଡି ନମ୍ବରକୁ ଦେଖି ଲୋକେ ରାସ୍ତାରେ କମେଣ୍ଟ କରୁଥିବା ଶୁଣିଛନ୍ତି କି ? ଦେଶର ରାଜଧାନୀ ଦିଲ୍ଲୀରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି।

ଦିଲ୍ଲୀରେ ରହୁଥିବା ଜଣେ ଯୁବତୀଙ୍କୁ ଚାକିରୀ ପାଇଁ ପ୍ରତିଦିନ ନୋଇଡା ଯବାକୁ ପଡୁଥିଲା। ମେଟ୍ରୋ, ବସ ଓ ଅଟୋରେ ଯାତ୍ରା କରିବାକୁ ପଡୁଥିଲା ଯେଉଁଥିପାଇଁ ସମୟ ମଧ୍ୟ ନଷ୍ଟ ହେଉଥିଲା। ଏଥିପାଇଁ ସେ ନିଜ ବାପାଙ୍କୁ ଗୋଟେ ସ୍କୁଟି ମାଗିଥିଲେ। ବର୍ଷେ ପରେ ବାପା ଝିଅର ଇଚ୍ଛା ପୂରଣ କଲେ ଓ ଦୀପାବଳିରେ ଝିଅକୁ ସ୍କୁଟି ଉପହାର ଦେଲେ। ପ୍ରଥମେ ଏକ ଅସ୍ଥାୟୀ ନମ୍ବର ମିଳିଥିଲା। କିନ୍ତୁ ଯେତେବେଳେ ସ୍କୁଟିର ରେଜିଷ୍ଟ୍ରେସନ ନମ୍ବର ଆସିଲା ତାକୁ ଦେଖି ସେ ଚିନ୍ତାରେ ପଡିଗଲେ। ନମ୍ବରରେ ଏମିତି ଆଲଫାବେଟ ଥିଲା ସେ ସ୍କୁଟିରେ ନମ୍ବର ଲଗାଇବାକୁ ଚାହୁଁନଥିଲେ। କିନ୍ତୁ ୧୫ ଦିନ ଭିତରେ ପଞ୍ଜିକୃତ ନମ୍ବର ଲଗାଇବା ଅନିବାର୍ଯ୍ୟ। ସେଥିପାଇଁ ସେ ବାଧ୍ୟ ହୋଇ ନମ୍ବର ଲଗାଇଲେ। ଏହାପରେ ଯୁବତୀଙ୍କର ସ୍କୁଟି ନେଇ ବାହାରକୁ ବାହାରିବା ମୁସ୍କିଲ ହୋଇଗଲେ।

ସ୍କୁଟିର ରେଜିଷ୍ଟ୍ରେସନ ନମ୍ବର ଥିଲା  DL3 SEX****  । ଯୁବତୀ ନମ୍ବର ଲଗାଇ ସ୍କୁଟିରେ ଯିବା ଆସିବା ଆରମ୍ଭ କରିବାରୁ ଆଖପାଖ ଲୋକେ ତାଙ୍କୁ କମେଣ୍ଟ କରିବାକୁ ଲାଗିଲେ। ଯୁବତୀ କହିଛନ୍ତି ଯେ ତାଙ୍କ ସ୍କୁଟି ନମ୍ବର ଦେଖି ଲୋକେ ତାଙ୍କୁ ବାଜେ କମେଣ୍ଟ କରୁଛନ୍ତି। ଏପରିକି ଯୁବତୀ କିମ୍ବା ତାଙ୍କ ପରିବାର ଲୋକେ ଚାଲି ଚାଲି କୁଆଡେ ଗଲେ ବି ଲୋକେ କମେଣ୍ଟ କରୁଛନ୍ତି। ଏସବୁ ପରେ ଯୁବତୀ ବାଧ୍ୟ ହୋଇ ସ୍କୁଟି ଚଲାଇବା ବନ୍ଦ କରିଦେଇଛନ୍ତି। ଏବେ ସେ ପୂର୍ବ ଭଳି ମେଟ୍ରୋ, ବସ ଓ ଅଟୋରେ ଯିବା ଆସିବା କରୁଛନ୍ତି।

ଗାଜିଆବାଦ ଏନସିଆର ଆରଟିଓ ପ୍ରଶାସନ ବିଶ୍ୱଜିତ ପ୍ରତାପ ସିଂହ କହିଛନ୍ତି ଯେ ନମ୍ବର ଆବଣ୍ଟନ କମ୍ପ୍ୟୁଟରାଇଜ୍ଡ ହୋଇଥାଏ ସେଥିପାଇଁ ତାକୁ ବଦଳାଇ ହେବନାହିଁ। କିନ୍ତୁ ଏହାର ଆଉ ଏକ ରାସ୍ତା ମଧ୍ୟ ଅଛି। ସ୍କୁଟିର ଏନଓସି ଦିଲ୍ଲୀର ଆଖପାଖ ସହରରୁ ନେଇପାରିବେ ଓ ସେଠାରେ ରେଜିଷ୍ଟ୍ରେସନ କରାଇ ନୂଆ ନମ୍ବର ନେଇପାରିବେ। ଏହି ଉପାୟରେ ପୁରୁଣା ନମ୍ବର ବଦଳାଇ ପାରିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.