ମାଗଣା ପିଆଜ ଛାଡୁଛି କିଏ : ରାସ୍ତା ଉପରେ ଗଡୁଥିଲା ପିଆଜ ବସ୍ତା, ବୋହି ନେଲେ ଲୋକେ
13/01/2020 at 8:55 AM

ଝାରସୁଗୁଡ଼ା ୧୩/୧: ପିଆଜର ଆକାଶ ଛୁଆଁ ଦର ଗ୍ରାହକଙ୍କୁ ବାଧୁଥିବାବେଳେ ମାଗଣାରେ ପିଆଜ ମିଳିଲେ କିଏ ବା ଛାଡିବ।ମାଗଣାରେ ପିଆଜ ନେବାକୁ ଧନୀ ଗରିବ କେହି ବି ପଛରେ ନଥିଲେ।ମାତ୍ର ଗୋଟିଏ ବସ୍ତା ପିଆଜ ପାଇଁ ରାଜରାସ୍ତାରେ ଚାଲିଲା ଅଧଘଣ୍ଟା ପର୍ଯ୍ୟନ୍ତ ହୋ ହାଲ୍ଲା।ରାସ୍ତାରେ ଗଡୁଛି ପିଆଜ:କିଏ କେତେ ଗୋଟାଇ ପାରିବ।

ରାସ୍ତାରେ ପଡିଛି ପିଆଜ ।ଯିଏ ଯେତେ ଅଧିକ ପିଆଜ ଗୋଟାଇ ପାରିବ ସେତେ ପିଆଜ ତାର । ପିଆଜର ଦାମ ଆକାଶ ଛୁଆଁ ହୋଇଥିବାବେଳେ ମାଗଣା ପିଆଜ ନେବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କସାକସ ପ୍ରତିଯୋଗିତା । ଏମିତି କିଛି ଦୃଶ୍ୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏପରି ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ଫାଟକ ରାସ୍ତାରେ ।

ସୂଚନା ଅନୁସାରେ,ଜଣେ ବ୍ୟକ୍ତି ସନ୍ଧ୍ୟାରେ ବାଇକରେ ବସ୍ତାଏ ପିଆଜ ନେଇ ଯାଉଥିବାବେଳେ ବାଇକରୁ ପିଆଜ ବସ୍ତା ରାଜ ରାସ୍ତା ଉପରେ ଖସି ପଡିଥିଲା । ତଳେ ପଡ଼ିବା ପରେ ବସ୍ତାଟି ଫାଟି ଯାଇଥିଲା ଓ ପିଆଜ ଗୁଡ଼ିକ ରାସ୍ତାରେ ଏଣେତେଣେ ବିଛାଇ ହୋଇପଡ଼ିଯାଇଥିଲା। ରାସ୍ତାରେ ପିଆଜ ଗଡ଼ୁଥିବା ଦେଖି ସେହି ବାଟ ଦେଇ ଯାଉଥିବା ଲୋକେ ଆଉ ଲୋଭ ସମ୍ଭାଳି ପାରିଲେ ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ପିଆଜ ଗୋଟାଇବା ପାଇଁ ଏକପ୍ରକାର ପ୍ରତିଯୋଗିତା ଲାଗି ଯାଇଥିଲା। କିଏ ଝୁଲା ରେ ତ ଆଉ କିଏ ଗାମୁଛାରେ ବାନ୍ଧି ନେଇଗଲେ ପିଆଜ। ଯିଏ ଯେମିତି ପାରିଲା ପିଆଜ ଗୋଟାଇ ନେଇଗଲେ। ଧନୀ, ଗରିବ ସମସ୍ତେ ପିଆଜ ଗୋଟାଇବାରେ ଲାଗିପଡିଥିଲେ ।
