ବ୍ୟକ୍ତିଗତ ବ୍ୟବହାର ପାଇଁ ବିଦେଶରୁ କିଣି ପାରିବେ ଅକ୍ସିଜେନ୍‌ କନସେନଟ୍ରେଟର, ସରକାର ଦେଲେ ଅନୁମତି

Published By : Prameya-News7 Bureau | May 01, 2021 IST

ନୂଆଦିଲ୍ଲୀ ୧/୫: କରୋନାର ଦ୍ବିତୀୟ ଲହର ଦେଶରେ ଅକ୍ସିଜେନ୍‌ ଚାହିଦାକୁ ବହୁଗୁଣିତ କରିଛି। ଅକ୍ସିଜେନ୍‌ ଅଭାବରୁ ଲୋକେ ମୃତ୍ୟୁବରଣ କରୁଛନ୍ତି। ଦେଶର କୋଣ ଅନୁକୋଣରେ ଅକ୍ସିଜେନ୍‌ ପହଞ୍ଚାଇବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ନିକଟରେ ପିଏମ କେୟାର୍ସ ଫଣ୍ଡରୁ ଲକ୍ଷେ ଅକ୍ସିଜେନ୍‌ କନସେନ୍‌ଟ୍ରେଟର କ୍ରୟ ପାଇଁ ସରକାର ଅନୁମତି ଦେଇଥିଲେ। କିନ୍ତୁ ଦେଶରେ ମେଡିକାଲ୍‌ ଅକ୍ସିଜେନର ଚାହିଦାକୁ ଦେଖି ବୈଦେଶିକ ବାଣିଜ୍ୟ ନୀତିରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର।

ଏଣିକି ବ୍ୟକ୍ତିଗତ ବ୍ୟବହାର ପାଇଁ ଲୋକେ ବିଦେଶରୁ ଅକ୍ସଜେନ୍‌ କନସେନଟ୍ରେଟର କ୍ରୟ କରିପାରିବେ। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଅନୁସାରେ, ଅକ୍ସିଜେନ୍‌ କନସେନଟ୍ରେଟର କୌଣସି ବ୍ୟକ୍ତି ନିଜ ଅର୍ଥରେ ପୋଷ୍ଟ, କୁରିୟର ଏବଂ ଇ-କମର୍ସ ସାଇଟ୍‌ରୁ କ୍ରୟ କରିପାରିବେ ।  ତେବେ ଏହି ଅନୁମତି ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିବ ବୋଲି ବିଦେଶ ବାଣିଜ୍ୟ ମହାନିର୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ଏହାସହ ଆହୁରି ସୂଚନା ମିଳିଛି ଯେ, ଇ-କମର୍ସ ପୋର୍ଟାଲ୍‌ ମାଧ୍ୟମରେ କିଣାଯାଉଥିବା ଜିନିଷ ଡାକ କିମ୍ବା କୁରିୟର ମାଧ୍ୟମରେ ଆସିଲେ ଏଥିପାଇଁ ଲାଗୁଥିବା ଶୁଳ୍କକୁ ଏକ ଉପହାର ଭାବେ ଛାଡ଼ିଦିଆଯିବ । ଏଥିରେ ଜୀବନ ରକ୍ଷକ ଔଷଧ, ଔଷଧ, ଅକ୍ସିଜେନ୍‌ କନସେନଟ୍ରେଟର ଏବଂ ରାକ୍ଷୀ ସାମିଲ ଅଛି । ଆପଣଙ୍କୁ କହିରଖୁଛୁ, ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ୪,୦୧,୯୯୩ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୯୨,୬୪,୯୬୯ରେ ପହଞ୍ଚିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.