ନେତାଙ୍କ ପ୍ରତାରଣା ପାଇଁ ତାତିଲେ ଜନତା ରାଗରେ ଭୋଟ ଦେବାକୁ ଗଲେନି, ଅଫିସରଙ୍କ କଥା ବି ଶୁଣିଲେନି
16/12/2019 at 7:21 PM

ରାଞ୍ଚୀ ୧୬।୧୨: ଝାରଖଣ୍ଡ ବିଧାନସଭା ନିର୍ବାଚନ ଲାଗି ସୋମବାର ଚତୁର୍ଥ ପର୍ଯ୍ୟାୟରେ ୧୫ଟି ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହୋଇଛି। ଜମୁଆ ସମେତ ମୋଟ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳି ଲାଗି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ତେବେ ଜମୁଆ ନିର୍ବାଚନମଣ୍ଡଳିର ୩ଟି ବୁଥରେ ଲୋକେ ନିର୍ବାଚନ ବହିଷ୍କାର କରିବା ଯୋଗୁ ଶେଷ ପର୍ଯ୍ୟନ୍ତ ଗୋଟେ ବି ଭୋଟ ପଡିନାହିଁ। ହରଲା ପଞ୍ଚାୟତପ ବୁଥ ନମ୍ବର ୫୦,୫୧ ଓ ୫୨ରେ ଲୋକେ ଭୋଟ ଦେବାକୁ ଯାଇନଥିଲେ।
ମତଦାନ ନ ହେବା କାରଣରୁ ସବଡିଭିଜିନାଲ ଅଫିସର ଓ ବିଡିଓ ଗାଁକୁ ଯାଇ ଲୋକଙ୍କୁ ଭୋଟ ଦେବାକୁ ବୁଝାସୁଝା କରିଥିଲେ। ହେଲେ ଲୋକେ ସେମାନଙ୍କ କଥା ଶୁଣି ନାହାନ୍ତି। ଏଣୁ ମତଦାନ କର୍ମଚାରୀମାନେ ମତଦାନ ସମୟ ଶେଷହେବା ପରେ ଇଭିଏମ ଧରି ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଏହି ୩ଟି ବୁଥର ୧ହାଜର ୬୯୬ ମତଦାତା ଭୋଟର ସୂଚୀରେ ଥିଲେ। ହେଲେ ଭୋଟ ଦେବାକୁ ନ ଆସିବାରୁ ମତଦାନ ପ୍ରସ୍ତୁତି ବ୍ୟର୍ଥ ହୋଇଛି।
ତେବେ ହରଲା ପଞ୍ଚାୟତର ୩ଟି ଗାଁ ଏବେବି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିବା ବେଳେ ଗାଁ ଲୋକେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ଥିବା କହିଛନ୍ତି। ଗାଁକୁ ବିଦ୍ୟୁତ ଲାଇନ ଯାଇନଥିବା ବେଳେ ରାସ୍ତା ବି ନାହିଁ। ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟ ଜଳର କୌଣସି ବ୍ୟବସ୍ଥା ବି ଏଯାଏଁ ଗାଁରେ ହୋଇନି। ଗାଁରେ ଶୌଚାଳୟ ନିର୍ମାଣ ଲାଗି ଲୋକଙ୍କ ଠାରୁ ୨ ହଜାର ଟଙ୍କା ଲେଖାଏଁ ଆଦାୟ ହୋଇଥିଲା। ହେଲେ କାହାକୁ ବି ସୌଚାଳୟ ନିର୍ମାଣ ଲାଗି ଆଦେଶ ମିଳିନାହିଁ। ଗାଁରେ ସ୍କୁଲ ଅଛି କିନ୍ତୁ ଶିକ୍ଷକ ନଥିବାରୁ ପିଲା ପାଠ ପଢି ଯାଉନାହାନ୍ତି। କେହି ସରକାରୀ ଅଧିକାରୀ କି କର୍ମଚାରୀ ଦିନେବି ଗାଁକୁ ଆସିନାହାନ୍ତି। ଏଣୁ ଗାଁରେ ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତା ବି କେହି ପାଇନାହାନ୍ତି। ତେବେ ବୁଥନମ୍ବର ୫୦,୫୧ ଓ ୫୨ର ୧୬ଶହ ୯୬ ଜଣ ମତଦାତା ମତଦାନ ବହିଷ୍କାର କରିଥିବା ନିର୍ବାଚନ ଅଧିକାରୀ କହିଛନ୍ତି।