‘ସଙ୍କଟମୋଚନ’ ଜାଗାରେ ‘ସଙ୍କଟ’ ପାଲଟୁଛି ଆରୋଗ୍ୟ ସେତୁ ଆପ୍, ଠକାମୀର ଶିକାର ହେଉଛନ୍ତି ଲୋକେ

Published By : Prameya-News7 Bureau | July 06, 2020 IST

ଜୟପୁର ୦୬।୦୭: କରୋନା ମହାମାରୀ ସମୟରେ ସଙ୍କଟମୋଚନ ପାଲଟିଥିବା ଆରୋଗ୍ୟସେତୁ ଆପ୍‌ ଏବେ ଲୋକଙ୍କ ପାଇଁ ସଙ୍କଟ ପାଲଟିଛି। ଏବେ ସାଇବର ଠକ ସରକାରଙ୍କ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଆପ୍‌କୁ ନିଜ ହାତକୁ ନେଇ ଲୋକଙ୍କୁ ଠକିବା ଆରମ୍ଭ କରି ଦେଇଛନ୍ତି। ରାଜସ୍ଥାନରେ ଆରୋଗ୍ୟ ସେତୁ ଆପ୍‌ ଜରିଆରେ ଲୋକଙ୍କୁ ଧୋକା ଦେଇ ରୋଜଗାର କରାଯାଉଥିବା ଘଟଣା ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ଭିଲଓ୍ଵାଡା ଜିଲ୍ଲାର କିଶନଗଢରେ ଆରୋଗ୍ୟ ସେତୁ ନାମରେ ଅନେକ ଲୋକଙ୍କ ମୋବାଇଲ୍‌କୁ ଫୋନ୍ ଆସିଥିଲା ଯେ, ଆରୋଗ୍ୟ ସେତୁ ଆପ୍ ପକ୍ଷରୁ ଆପଣଙ୍କୁ ୧୪ ଲକ୍ଷ ୪୦ ହଜାର ଏବଂ ଏକ କାର ପୁରସ୍କାରରେ ମିଳିଛି। ଏହ ଦୁଇଟିରୁ କୌଣସି ଗୋଟିଏ ଆପଣ ନେଇ ପାରିବେ। ଏଥିପାଇଁ ଆପଣଙ୍କୁ ୮ ହଜାର ୨୦୦ ଟଙ୍କା ଜମା କରିବାକୁ ପଡିବ। ଏହି ଧରଣର ଫୋନ୍ ଓ ମେସେଜ୍‌ ଜରିଆରେ ଠକାମି ମାମଲା ରାଜଧାନୀ ଜୟପୁରରୁ ମଧ୍ୟ ସାମ୍ନାକୁ ଆସିଛି। ସହରର ଜଗତପୁରା ସହିତ ଅନ୍ୟ ଥାନାରେ ଏହି ଧରଣର ଅନେକ ମାମଲା ରୁଜୁ ହେଲାଣି। ସଂପ୍ରତି ପୋଲିସ ଅଭିଯୋଗକାରୀଙ୍କ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ପୋଲିସ୍‌ ଅନୁଯାୟୀ ଏହି ସାଇବର ଠକ୍‌ ମାମଲା ପଛରେ କୌଣସି ବଡ ନେଟଓ୍ଵର୍କ କାମ କରୁଛି।

ପୋଲିସ୍‌ର ସୂଚନା ଅନୁଯାୟୀ, ସାଇବର ଠକ ଆରୋଗ୍ୟ ସେତୁ ନାମରେ ଲୋକଙ୍କୁ କଲ୍ କିମ୍ବା ହ୍ଵାଟ୍ସଆପ୍‌ ନମ୍ବରରେ ଲୋଭନୀୟ ମେସେଜ୍ ପଠାଇ ଠକିବାକୁ ଉଦ୍ୟମ କରୁଛନ୍ତି। ଏଥିରେ ଏକ ଲିଙ୍କ୍ ଦେଇ ଲକି ଡ୍ରରେ ସାମିଲ ହେବାକୁ ଅଫର ଦିଆଯାଉଛି। ଏହି ଲିଙ୍କ୍ ଖୋଲିବା ସହିତ ସାଇବର ଠକ ଲୋକଙ୍କ ମୋବାଇଲ୍‌ର ଆକ୍ସେସ୍‌ ନେଇ ଲୋକଙ୍କୁ ଠକାମୀର ଶିକାର କରୁଛନ୍ତି।

ଏବେ ପୋଲିସ୍‌ ଜନତାଙ୍କୁ  ଏହି ଧରଣର ଅଫର କିମ୍ବା ପ୍ରଲୋଭନର ବଶବର୍ତ୍ତୀ ନହେବାକୁ ଅପିଲ୍ କରିଛନ୍ତି।। ପୋଲିସ୍‌ ଅନୁଯାୟୀ ନିକଟ ଦିନରେ ଆରୋଗ୍ୟ ସେତୁ ଆପ୍‌ ପରି ଅନେକ ଫେକ୍ ଆପ୍ ପ୍ରସ୍ତୁତ କରାଯାଇ ଏହାର ଲିଙ୍କ୍ ଲୋକଙ୍କ ମୋବାଇଲ୍‌କୁ ପଠାଯାଉଛି। ତେଣୁ ଲୋକଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। ଲୋକଙ୍କୁ ଅପିଲ୍ କରାଯାଉଛି ଯେ, ସେମାନେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ଓ ଫୋନ୍‌ରେ ଆସୁଥିବା ସନ୍ଦିଗ୍ଧ ଲିଙ୍କ୍‌କୁ ଖୋଲନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.