‘ଭଲ ଯୌତୁକ ପାଇବାକୁ ଲୋକେ ଡାକ୍ତର ହେଉଛନ୍ତି’: ଝାଡ଼ଖଣ୍ଡ ସ୍ବାସ୍ଥ୍ୟ ସଚିବଙ୍କ ମନ୍ତବ୍ୟକୁ ନେଇ ତାତିଲା IMA

Published By : Prameya-News7 Bureau | January 08, 2021 IST

ରାଞ୍ଚି ୦୮/୦୧: ମୋଟାଅଙ୍କର ଯୌତୁକ ପାଇବାକୁ ଲୋକେ ଡାକ୍ତର ହେଉଛନ୍ତି! ଏମିତି ମନ୍ତବ୍ୟ ଦେଇ ଏବେ ଅଡ଼ୁଆରେ ଝାଡ଼ଖଣ୍ଡ ସ୍ବାସ୍ଥ୍ୟ ସଚିବ ଡାକ୍ତର ନୀତିନ କୁଲକର୍ଣ୍ଣି। ଡାକ୍ତରଙ୍କ ଉପରେ ଏମିତି ମନ୍ତବ୍ୟ ଦେଇଥିବାରୁ ଭାରତୀୟ ମେଡିକାଲ ସଂଘ‌(ଆଇଏମଏ) ପୁରା ଖପ୍ପା। ନୀତିନଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୁରେନଙ୍କ ନିକଟରେ ଦାବି କରିଛି ଆଇଏମଏ।

ଡିସେମ୍ବର ୩୦ରେ ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବା ଡାକ୍ତରଙ୍କୁ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଏହି ଟିପ୍ପଣୀ କରିଥିଲେ। ସେ କହିଥିଲେ, ‘ଲୋକେ ଡାକ୍ତର ହେବାକୁ ଛାହୁଁଛନ୍ତି କାରଣ ସେମାନଙ୍କୁ କାମ କରିବାକୁ ପଡ଼ିବନି। ଆଉ କିଛି ଭଲ ଯୌତୁକ ପାଇବାକୁ ଡାକ୍ତର ହେବାକୁ ଚାହୁଁଛନ୍ତି।’ ତେବେ ନୀତିନ କୁଲକର୍ଣ୍ଣିଙ୍କ ଏହି ମନ୍ତବ୍ୟ ଭାଇରାଲ ହେବା ପରେ ଝାଡ଼ଖଣ୍ଡର ଡାକ୍ତର ସଂଘ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଥିଲା। ନୀତିନଙ୍କ ଏହି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଆଇଏମଏ ଦାବି କରିଛି।

ଭାରତରେ ମେଡିକାଲ  କ୍ଷେତ୍ରରେ ଏକତା ଜରୁରି। ଚିକିତ୍ସା ବିଭାଗ କୋଭିଡ ଯୁଦ୍ଧରେ ଆଗ ଧାଡ଼ିରେ ଥିଲା। ୨୩୪ ଜଣ ଚିକିତ୍ସକ କରୋନାରେ ପ୍ରାଣ ହରାଇଛନ୍ତି। ତଥାପି କିଛି ଲୋକ ଆମର ଏହି ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୁରେନଙ୍କୁ ଚିଠିରେ ଲେଖିଛି ଆଇଏମଏ। ଅନ୍ୟପଟେ ଆଇଏମଏ ଓ ଝାଡ଼ଖଣ୍ଡ ଡାକ୍ତର ସଂଘ ମିଳିତ ଭାବେ ସ୍ବାସ୍ଥ୍ୟ ମନ୍ତ୍ରୀ ବାନା ଗୁପ୍ତାଙ୍କୁ ଭେଟି ନୀତିନ କୁଲକର୍ଣ୍ଣିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.