ଏଥର ବିଧାନସଭା ଅଧିବେଶନରେ ସ୍ମିତାରାଣୀ ପ୍ରସଙ୍ଗ ଉଠାଇବ ବିଜେପି
1/11/2019 at 8:40 PM

ଭୁବନେଶ୍ବର୧|୧୧: ଥମୁନି ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲା । ଗୋଟିଏ ପଟେ, ଦୁଇ ମୁଖ୍ୟ ବିରୋଧୀଦଳ ବିଜେପି ଏବଂ କଂଗ୍ରେସ ଏହି ଘଟଣାକୁ ନେଇ ସେମାନଙ୍କ ବିରୋଧ ଏବଂ ପ୍ରତିବାଦ ଜାରି ରଖିଛନ୍ତି । ସେପଟେ, ଜୀବନ ପ୍ରତି ବିପଦଥିବା ଆଶଙ୍କା କରି ଏବେ ସ୍ମିତାରାଣୀଙ୍କ ପରିବାର ଗାଁ ଛାଡ଼ିବେ ବୋଲି କହିଛନ୍ତି।

ସ୍ମିତାରାଣୀଙ୍କ ଅପମୃତ୍ୟୁ ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ହରିଦାସପୁର ଗସ୍ତ ଯାଇଥିଲା । ଏହି ଘଟଣା ୮୦ ଦଶକର ଛବିରାଣୀ ହତ୍ୟା ମାମଲା ଭଳି ସଙ୍ଗୀନ ଏବଂ ଏହା ପଛରେ ଥିବା ଅସଲ ସତ୍ୟ ସାମନାକୁ ଆସିବା ଦରକାର ବୋଲି ବିଜେପି ଦାବି କରିଛି ।

ଏହି ପ୍ରସଙ୍ଗକୁ ଆଗାମୀ ବିଧାନସଭା ଅଧିବେଶନରେ ଗୃହରେ ଉତଥାପନ କରିବ ବୋଲି ମଧ୍ୟ ପଦ୍ମ ଦଳ କହିଛି । ସେହିପରି, ପୂର୍ବରୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବା କଂଗ୍ରେସ, ଆଜି ମହିଳା କମିଶନଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲା ।

ସେପଟେ, ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାରେ ପୋଲିସ୍ ତତ୍ପରତା ଦେଖାଉ ନଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

ତାଙ୍କ ବାପା ସଦାନନ୍ଦ ବିଶ୍ବାଳ କହିଛନ୍ତି ଝିଅର ମୃତ୍ୟୁ ପରେ ମୁଁ ଏଠି ଆଉ ନିଜକୁ ନିରାପଦ ମଣୁ ନାହିଁ। ପ୍ରତି କ୍ଷଣ ଭୟଭୀତ ଅବସ୍ଥାରେ ରହିବା ଅପେକ୍ଷା ଗାଁ ଓ ଘର ଛାଡ଼ି ପଳାଇବାକୁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି।

ଏହି ଘଟଣାରୁ ରାଜନୈତିକ ଫାଇଦା ପାଇଁ ବିରୋଧୀ ଦଳଗୁଡ଼ିକ ଅଯଥା ଉଦ୍ୟମ କରୁଛନ୍ତି ବୋଲି ଶାସକ ଦଳ କହି ଆସୁଛି । କିନ୍ତୁ ଆଗକୁ ବିଧାନସଭା ଅଧିବେଶନ ଥିବାରୁ ଏହି ପ୍ରସଙ୍ଗ ଏତେ ଶୀଘ୍ର ଥମିଲା ଭଳି ଲାଗୁନାହିଁ ।ସେପଟେ, ଘଟଣାର ସିବିଆଇ ତଦନ୍ତ ଦାବି ପରେ, ଏବେ ସ୍ମିତାରାଣୀଙ୍କ ପରିବାର ରାଜ୍ୟ ଛାଡ଼ି ଚାଲି ଯିବାକୁ ଧମକ ଦେବା ଘଟଣାକୁ ନେଇ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି ।
