ଏବେବି ରହସ୍ୟ ଘେରରେ ସ୍ମିତାରାଣୀଙ୍କ ମୃତ୍ୟୁ : ସ୍ମିତାରାଣୀଙ୍କର ଥିଲା ପ୍ରେମ ସମ୍ପର୍କ !

Published By : Prameya-News7 Bureau | October 20, 2019 IST

ଯାଜପୁର ୨୦।୧୦: ଯାଜପୁର ଧର୍ମଶାଳା ହରିଦାସପୁରର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ଗିରଫ ହେଲେ ସରପଞ୍ଚଙ୍କର ସ୍ବାମୀ ରୂପେଶ ଭଦ୍ର । ଏପଟେ ପୋଲିସ ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛି । ରୂପେଶଙ୍କ ସହିତ ସ୍ମିତାରାଣୀଙ୍କ ପ୍ରେମ ସମ୍ପର୍କ ଥିଲା । ରୂପେଶ ତାଙ୍କ ପରିବାରକୁ ଛାଡ଼ି ତାଙ୍କ ପାଖରେ ରହିବାକୁ ଜିଦ୍ କରୁଥିଲେ ।ଯାହାକୁ କେନ୍ଦ୍ର କରି ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହାପରେ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ଯାଜପୁର ଏସପି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । କିନ୍ତୁ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହିତ ଥିବା ଆଉ ୪ ଜଣଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନି । ସେମାନେ କିଏ ଏବଂ  ସେମାନଙ୍କ ଏଘଟଣା ସହିତ ସମ୍ପର୍କ ଅଛି କି ନାହିଁ ସେ ବିଷୟରେ ପୋଲିସ କିଛି କହିନି ।

ଯେଉଁ ଗେଷ୍ଟ ହାଉସ୍ ରେ ସ୍ମିତାରାଣୀଙ୍କର ମୃତ୍ୟୁ ଘଟିଛି ତାହାକୁ ଏ ପର୍ଯ୍ୟନ୍ତ ପୋଲିସ ସିଲ୍ କରିନାହିଁ । ମରଶରୀର ବୁହା ହୋଇଥିବା ସ୍କର୍ପିଓ ଗାଡ଼ିକୁ ପୁଲିସ୍ ଜବତ କରି ନାହିଁ। ଏହାକୁ ନେଇ ଉଠିଛି ପ୍ରଶ୍ନ । ସ୍ମିତାରାଣୀଙ୍କୁ ସେଠାରେ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି।

ତାଙ୍କ ପରିବାର ଓ ସ୍ବାମୀଙ୍କ କହିବା ଅନୁଯାୟୀ ସ୍ମିତାରାଣୀ କିଛି ଦିନ ହେଲା ବିବ୍ରତ ଥିଲେ ଓ ତାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପଡ଼ୁଥିଲା। ସରକାରୀ ଯୋଜନାରେ ଅନିୟମିତତା କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। ସ୍ମିତାରାଣୀଙ୍କ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ସେପଟେ ସ୍ମିତାରାଣୀ ବିଶ୍ବାଳଙ୍କୁ ନେଇ ରାଜନୀତି ଜୋର୍ ଧରିଛି । ଏସପିଙ୍କ ପ୍ରେସମିଟ୍ କୁ ନେଇ ପ୍ରଶ୍ନ କରିଛି ବିଜେପି । ବିଜେପି କହିଛି ଯେ, ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଏସପି ଜାଣିଲେ କିପରି । ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ବୋଲି ଦୁଇ ଦିନ ହେଲା ରୂପେଶ ଯାହା କହୁଥିଲା ପୁଲିସ୍ ତାହା କହୁଛି ବୋଲି ବିଜେପି ସଂଗୀନ ଅଭିଯୋଗ କରିଛି ।

ବିଜେପି କହିଛି, ହରିଦାସପୁର ପଞ୍ଚାୟତ ଅଫିସ ବର୍ଷସାରା ବନ୍ଦ ଥାଏ। ସବୁ କାମ ସେହି ଅତିଥି ଭବନରେ ହୁଏ । ଏହି ଅତିଥି ଭବନରେ ଆଡ଼ା ଜମେ । ସେଠାରେ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି । ଏସବୁ ତଦନ୍ତ ପରିସରଭୁକ୍ତ ହେବା ଉଚିତ୍ ବୋଲି ବିଜେପି ଦାବି କରିଛି ।

କଂଗ୍ରେସ ମଧ୍ୟ ଏହି ଘଟଣାରେ ସିଧା ପୋଲିସକୁ ଟାର୍ଗେଟ୍ କରିଛି । ଏପଟେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ । ତେବେ ଆସନ୍ତାକାଲି ବିଜେପି ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.