ଟ୍ରମ୍ପଙ୍କୁ ଝଟକା : ଇରାନରେ ୫୨ ଟି ଟାର୍ଗେଟରେ ଆକ୍ରମଣ ଧମକର ବିରୋଧ କଲା ପେଣ୍ଟାଗନ୍, କହିଲା ଏହା ନୁହେଁ ଯୁଦ୍ଧ ନିୟମ

Published By : Prameya-News7 Bureau | January 07, 2020 IST

ୱାଶିଂଟନ୍ ୭/୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନର ସାଂସ୍କୃତିକ ସ୍ଥଳଗୁଡ଼ିକୁ ଟାର୍ଗେଟ୍ କରିଥିବା ବୟାନରେ ସୋମବାର ପେଣ୍ଟାଗନ୍ ପ୍ରତ୍ୟାଖ୍ୟାନ କରିଥିଲା। ଏଭଳି ଆକ୍ରମଣ ଉପରେ ଆନ୍ତର୍ଜାତୀୟ ପ୍ରତିବନ୍ଧକ ରହିଛି। ରକ୍ଷା ମନ୍ତ୍ରୀ ମାର୍କ ଏସ୍ପର କହିଥିଲେ ଯେ,‘ସୈନ୍ୟ ସଂଘର୍ଷର ନିୟମଗୁଡ଼ିକ ପାଳନ କରିବ।’ ତାଙ୍କୁ ପଚରାଯାଇଥିଲା ଯେ ଏହାର ଅର୍ଥ କ’ଣ ସାଂସ୍କୃତିକ ସ୍ଥଳଗୁଡ଼ିକୁ ଟାର୍ଗେଟ୍ କରାଯିବ ନାହିଁ? ଏହାର ଉତ୍ତରରେ ଏସ୍ପର କହିଥିଲେ ଯେ,‘ସୈନ୍ୟ ସଂଘର୍ଷର ଏହା ହିଁ ନିୟମ ରହିଛି।’

ରାଷ୍ଟ୍ରପତି ଏବଂ ପେଣ୍ଟାଗନର ମୁଖ୍ୟଙ୍କ ମଧ୍ୟରେ ମତଭେଦ ଏପରି ସମୟରେ ସାମନାକୁ ଆସିଛି ଯେତେବେଳେ  ଆମେରିକୀୟ ଡ୍ରୋନ୍‌ ଆକ୍ରମଣରେ ଇରାନର କୁଦସ୍ ବଳର ମୁଖ୍ୟ ଜେନେରାଲ୍ କାସିମ୍ ସୁଲେମାନୀ ନିହତ ହୋଇଛନ୍ତି । ତା ସହ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ବିବାଦ ବହୁତ ବଢ଼ିଯାଇଛି। ଏସ୍ପରଙ୍କ ଟିପ୍ପଣୀରେ ଅନ୍ୟ ରକ୍ଷା ଏବଂ ​‌ସୈନ୍ୟ ଅଧିକାରୀଙ୍କ ଚିନ୍ତାର ଝଲକ ମଧ୍ୟ ମିଳିଛି । ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିକୁ ଛାଡ଼ି ଧାର୍ମିକ ଏବଂ ସାଂସ୍କୃତିକ ସ୍ଥଳରେ ଆକ୍ରମଣକୁ ନେଇ ଆଇନ୍ ପ୍ରତିବନ୍ଧକ କଥା କହିଛନ୍ତି।

ଟ୍ରମ୍ପ୍ ଗତ ଶନିବାର ଏକ ଟ୍ବିଟରେ ଇରାନ୍‌ ର ସାଂସ୍କୃତିକ ସ୍ଥଳ ସହ ୫୨ ଟି ସ୍ଥାନକୁ ଟାର୍ଗେଟ୍ କରିବାକୁ ଧମକ ଦେଇଥିଲେ ଏବଂ ଏହାର ପର ଦିନ ସାମ୍ବାଦିକଙ୍କ ସହ କଥା ହେବାବେଳେ ମଧ୍ୟ ଏହି କଥାର ପୁନରାବୃତ୍ତି କରିଥିଲେ। ସେ ଶନିବାର ଟ୍ବିଟ୍ କରି ଚେତାବନୀ ଦେଇଥିଲେ ଯଦି ଇରାନ୍ ,ଆମେରିକୀୟ ଯବାନ ଏବଂ ସମ୍ପତ୍ତି ଉପରେ ଆକ୍ରମଣ କରୁଛି ତେବେ ଆମେରିକାର ୫୨ଟି ଇରାନି ସ୍ଥଳକୁ ଟାର୍ଗେଟ୍ କରାଯିବ ଏବଂ ଜୋରଦାର ଆକ୍ରମଣ କରାଯିବ।

ତାଙ୍କର ଏହି ବୟାନ ଚାରିଆଡ଼େ ଆଲୋଚନା ହୋଇଥିଲା,ଏହା ସତ୍ବେ ଟ୍ରମ୍ପ୍ ପରଦିନ ତାଙ୍କ ବୟାନରେ କାଏମ ରହିଥିଲେ। ଟ୍ରମ୍ପ କହିଥିଲେ,‘ ସେମାନଙ୍କୁ ଆମ ଲୋକଙ୍କୁ ମାରିବାର ଅନୁମତି ରହିଛି। ଆମ ଲୋକଙ୍କୁ ଅତ୍ୟାଚାର ଦେବାର ଅନୁମତି ରହିଛି। ତାଙ୍କୁ ରାସ୍ତା କଡ଼ରେ ବୋମା ବିସ୍ଫୋରଣ କରି ଆମ ଲୋକଙ୍କୁ ମାରିବାର ଅନୁମତି ରହିଛି। କିନ୍ତୁ ଆମକୁ ତାଙ୍କ ସାଂସ୍କୃତିକ ସ୍ଥଳକୁ ଛୁଇଁବାର ଅଧିକାର ନାହିଁ ? ଏପରି ଚାଲିବ ନାହିଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.