Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାକି ମହଙ୍ଗା ଭତ୍ତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖିଲେ ପେନସନଭୋଗୀ ମଞ୍ଚ, ଜାଣନ୍ତୁ ଲେଖିଛନ୍ତି କ’ଣ?

12/09/2021 at 5:55 PM

ନୂଆଦିଲ୍ଲୀ ୧୨।୯: କରୋନା ଭାଇରସ ମହାମାରୀ ଲାଗି କେନ୍ଦ୍ର ସରକାର ସ୍ଥଗିତ କରିଥିବା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଗୀଙ୍କ ଡିୟର୍ନେସ ଆଲାଉନ୍ସ (ଡିଆର) ଲାଗି  ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖା ଯାଇଛି। ଭାରତୀୟ ପେନସନଭୋଗୀ ମଞ୍ଚ (ବିଏମଏସ୍) ଏହି ପତ୍ର ଲେଖିଥିବା ବେଳେ ବକେୟାର ତୁରନ୍ତ ସମାଧାନ କରିବାକୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାର ମହମାରୀ ଲାଗି୨୦୨୦ ମସିହା ଏପ୍ରିଲ ମାସରୁ ଜୁନ ୨୦୨୧ ପର୍ଯ୍ୟନ୍ତ ଡିଏ ସ୍ଥଗିତ କରିଦେଇଥିଲେ।

ଦୀର୍ଘ ଅପେକ୍ଷା ପରେ ଗତ ଜୁଲାଇ ମାସରେ ସରକାର ସଂଶୋଧିତ ଡିଏ ଓ ଡିଆର ଘୋଷଣା କରିଛନ୍ତି। ଏଥିରେ ସରକାର ୨୮ ପ୍ରତିଶତ ଡିଏ ଘୋଷଣା କରିଥିଲେ। ତେବେ ଏଥିରେ ୧ଜାନୁୟାରୀ ୨୦୨୦ରୁ ୩୦ଜୁନ ୨୦୨୧ର ବକେୟା ଡିଏ ଏବଂ ଡିଆର ନେଇ କୌଣସି ଘୋଷଣା କରି ନାହାନ୍ତି। ଏଣୁ ପେନସନଭୋଗୀ ବକେୟା ସମାଧାନ ଲାଗି ପତ୍ର ଲେଖିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

ବିଏମଏସ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ‘ଆପଣଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଉଛି। ୧ ଜାନୁୟାରୀ ୨୦୨୦ରୁ ୩୦ ଜୁନ ୨୦୨୧ ଅବଧିରେ ସ୍ଥଗିତ କରାଯାଇଥିବା ଡିଏ ଓ ଡିଆର ଜାରି କରିବା ଲାଗି ଅର୍ଥମନ୍ତ୍ରାଳୟଙ୍କୁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ। ଏ ନେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ହେଲେ ଆମେ କୃତଜ୍ଞ ରହିବୁ’ ବୋଲି ମଞ୍ଚ ଉଲ୍ଲେଖ କରିଛି।

ମଞ୍ଚ କହିଛି ଯେ ଡିଏ ଓ ଡିଆର ସ୍ଥଗିତ ଥିବା ବେଳେ ଦେଶରେ ଖାଉଟି ମୁଦ୍ରାସ୍ପିତିରେ ଢେର ବୃଦ୍ଧି ହୋଇଥିଲା। ଏହା ଛଡା ବାହନ ଇନ୍ଧନ, ଖାଦ୍ୟ ତେଲ ଓ ଡାଲି ଦର ଐତିହାସିକ ସ୍ତରରେ ପହଞ୍ଚିଥିଲା। କର୍ମଚାରୀଙ୍କୁ ଡିଏ ଓ ଡିଆର ପୈଠର ଉଦ୍ଦେଶ୍ୟ ସେମାନଙ୍କ ଜୀବନଯାପନ ଖର୍ଚ୍ଚରେ ହେଉଥିବା ବୃଦ୍ଧିର ଭରଣା । ଏବେ ଏହି ଖର୍ଚ୍ଚ ବଢିସାରିଥିବାରୁ କର୍ମଚାରୀ ଓ ପେନସନଭୋଗୀଙ୍କୁ ଏହା ପୈଠ ନ କରିବା ଅନୁଚିତ ହେବ।

ପତ୍ରରେ ଆହୁରି ଲେଖାଯାଇଛି ଯେ ଅଧିକାଂଶ ପେନସନଭୋଗୀ ଏବେ ବୟସାଧିକ୍ୟରେ। ଏଥିରେ ସେମାନଙ୍କର ଚିକିତ୍ସା ବାବଦ ଖର୍ଚ୍ଚ ବଢିବଢି ଚାଲିଛି। ଚିକିତ୍ସା ଲାଗି ସେମାନଙ୍କୁ ଅର୍ଥର ଆବଶ୍ୟକତା ରହିଛି। ଏଥିରେ ସେମାନଙ୍କୁ ମିଳୁଥିବା ପେନସନ ବର୍ତ୍ତମାନର ବଜାର ଦରରେ କେବଳ ସେମାନେ  ପେଟ ପୋଷିପାରୁଛନ୍ତି, ହେଲେ ଚିକିତ୍ସା ଖର୍ଚ୍ଚକୁ ପାଉ ନାହିଁ। ଦେଶ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି କୋଭିଡ-୧୯ ଜନିତ ପରିସ୍ଥିତିରେ ଅଧିକାଂଶ କର୍ମଚାରୀ ଓ ପେନସନଭୋଗୀ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରି ରିଲିଫ ପାଣ୍ଠିରେ ଦିନକର ପେନସନ ଯୋଗଦାନ ମଧ୍ୟ କରିଛନ୍ତି। ଏଣୁ ସେମାନଙ୍କୁ ହଇରାଣ ନକରିବା ଲାଗି ଏଥିରେ ମଞ୍ଚ ନିବେଦନ କରିଛି।

   Related Posts