ସୁପ୍ରିମକୋର୍ଟ ପହଞ୍ଚିଲା ପେଗାସସ୍ କାଣ୍ଡ, ଏସଆଇଟି ଯାଞ୍ଚ କରିବାକୁ ଦାବି

Published By : Prameya-News7 Bureau | July 22, 2021 IST

ନୂଆଦିଲ୍ଲୀ ୨୨।୦୭: ସୁପ୍ରିମକୋର୍ଟରେ ପହଞ୍ଚିଲା ପେଗାସସ୍‌ ଫୋନ ଟ୍ୟାପିଂ ମାମଲା। ପେଗାସସ ସଫ୍ଟଓ୍ଵେର ଜରିଆରେ ସାମ୍ବାଦିକ, କାର୍ଯ୍ୟକର୍ତ୍ତା, ନେତାଙ୍କ ହୋଇଥିବା ଫୋନ ଟ୍ୟାପିଂ ମାମଲାର ତଦନ୍ତ ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଦ୍ଵାରା କରାଯାଉ ବୋଲି ସର୍ବୋଚ୍ଚ ନ୍ୟାୟାଳୟରେ ଅନୁରୋଧ କରାଯାଇଛି। ଆଡଭୋକେଟ୍ ଏମ ଏଲ ଶର୍ମା ଦାଖଲ କରିଥିବା ଆବେଦନରେ କହିଛନ୍ତି ଯେ, ପେଗାସସ୍ କାଣ୍ଡ ଗମ୍ଭୀର ଚିନ୍ତାର ବିଷୟ। ଏହା ଭାରତୀୟ ଗଣତନ୍ତ୍ର, ନ୍ୟାୟାଳୟ ଓ ଦେଶର ସୁରକ୍ଷା ଉପରେ ହମଲା ଥିଲା।

ଆବେଦନ ଉପରେ ଆଗାମୀ ଦିନରେ ଶୁଣାଣି ହେବାର ସମ୍ଭାବନା ରହିଛି। ଗୁଇନ୍ଦା ସଂପର୍କିତ ଏହାର ଖୁଲାସା ଦେଶର ସୁରକ୍ଷା ଉପରେ ଗୁରୁତର ପ୍ରଭାବ ପଡିବ। କାରଣ ସୂଚନା ପ୍ରଯୁକ୍ତିବିଦ୍ୟା ବିକ୍ରେତାଙ୍କ ସଂଖ୍ୟା ବଢିବା ବୈଶ୍ଵିକ ସୁରକ୍ଷା ଓ ଲୋକଙ୍କ ବ୍ୟକ୍ତିଗତ ଅଧିକାର ପ୍ରତି ସମସ୍ୟା ସୃଷ୍ଟି କରିବ। ଆବେଦନରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଏନଏସଓ ଗ୍ରୁପର କମ୍ପାନୀ ୨୦୧୬ ପରଠୁ ଗ୍ରାହକଙ୍କ ପ୍ରାୟ ୫୦ ହଜାର ଫୋନ ନମ୍ବରକୁ ଟାର୍ଗେଟ୍ କରିଥିଲେ।

ପେଗାସସ୍ କେବଳ ଏକ ସର୍ଭିଲାନ୍ସ ନୁହେଁ ବରଂ ଏକ ସାଇବର ହତିଆର। ଏହାକୁ ଭାରତୀୟ ସରକାରୀ ତନ୍ତ୍ର ବିରୋଧରେ ବ୍ୟବହାର କରାଯାଇଛି। ପେଗାସସର ବ୍ୟବହାର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ତେଣୁ ଅନୁରୋଧ କରାଯାଉଛି ଯେ, ଏହି କାଣ୍ଡର ଯାଞ୍ଚ  ଏସଆଇଟି ଦ୍ଵାରା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.