ପେଗାସସ୍‌ କ'ଣ ? ଏହା ୟୁଜର୍ସଙ୍କ ଫୋନ କେମିତି ହ୍ୟାକ୍ କରେ ଏବଂ କେମିତି ଜାସୁସି କରେ ଏହି ସଫ୍ଟଓ୍ଵେର

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ ୧୯।୦୭: ସ୍ପାଇଓ୍ଵେର ପେଗାସସ ଭାରତରେ ନୂତନ ବିବାଦକୁ ଜନ୍ମ ଦେଇଛି। ଏଥିରେ ରାଜନେତାଙ୍କ ନିଦ ହଜି ଯାଇଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ସଫ୍ଟଓ୍ଵେର ମାଧ୍ୟମରେ ଭାରତରେ ଅନେକ ନେତା, ସାମ୍ବାଦିକ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଫୋନ ଟ୍ୟାପିଂ କରାଯାଇ ଗୁଇନ୍ଦାଗିରି କରାଯାଇଛି। ବିରୋଧୀ  ଏହାକୁ ନେଇ ଖୁବ୍ ହଙ୍ଗାମା କରିଛନ୍ତି ଏବଂ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପଟେ ସରକାର ଏମିତି ଅଭିଯୋଗର ଦମ ନଥିବା କହିଛନ୍ତି। ଦେଶରେ କାହାରି ଫୋନ ଟ୍ୟାପିଂ କରାଯାଇ ନଥିବା ଆଇଟି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପେଗାସସ୍‌କୁ ଇସ୍ରାଏଲ ସ୍ଥିତ ସାଇବର ଇଣ୍ଟେଲିଜେନ୍ସ ଓ ସୁରକ୍ଷା ଫର୍ମ ଏନଏସଓ ଗ୍ରୁପ ଦ୍ଵାରା ବିକଶିତ କରାଯାଇଥିଲା। କୁହାଯାଏ ଏହି ସ୍ପାଇଓ୍ଵେର ୨୦୧୬ରୁ ରହି ଆସିଛି। ଏହାକୁ କ୍ୟୁ ସୁଟ୍ ଓ ଟ୍ରାଇଡେଣ୍ଟ ପରି ଅନ୍ୟ ନାମରେ ଜଣାଯାଏ। ଏହା ଏପଲ ମୋବାଇଲ ଫୋନ ଅପରେଟିଂ ସିଷ୍ଟମ ଆଇଓଏସ ଓ ଆଣ୍ଡ୍ରୋଏଡ ଡିଭାଇସ୍‌ରେ ମଧ୍ୟ ପଶିପାରେ। ପେଗାସସ୍‌ର ବ୍ୟବହାର ସରକାର ଦ୍ଵାରା ଲାଇସେନ୍ସ ମିଳିବା ପରେ କରାଯାଇଥାଏ। ୨୦୧୯ ମେରେ ଏହାକୁ ବିକଶିତ କରିଥିବା ସଂସ୍ଥା ସରକାରୀ ଗୁଇନ୍ଦା ଏଜେନ୍ସି ଏବଂ ଅନ୍ୟକୁ ବିକ୍ରି କରିବାକୁ ସୀମିତ କରି ଦେଇଥିଲା।

ଏନଏସଓ ଗ୍ରୁପର ଓ୍ଵେବସାଇଟ୍‌ର ହୋମ ପେଜ୍‌ ଅନୁସାରେ କମ୍ପାନୀ ଏମିତି ସଫ୍ଟଓ୍ଵେର ପ୍ରସ୍ତୁତ କରେ ଯାହା ସମଗ୍ର ଦୁନିଆରେ ଆତଙ୍କବାଦୀ ଓ ଅପରାଧକୁ ରୋକିବା ପାଇଁ ଏବଂ ତଦନ୍ତରେ ସାହାଯ୍ୟ କରିବା ପାଇଁ ସରକାରୀ ଏଜେନ୍ସିକୁ ସହାୟତା କରିଥାଏ। ଏହା ମଧ୍ୟରୁ ପେଗାସସ ସପ୍ଟଓ୍ଵେର ଗୋଟିଏ।

ପେଗାସସ୍ ସଫ୍ଟଓ୍ଵେର କଣ ଏବଂ ଏହା କେମିତି କାମ କରିଥାଏ

ଇସ୍ରାଏଲର ଏନଏସଓ ଗ୍ରୁପ ପେଗାସସ ସଫ୍ଟଓ୍ଵେର ପ୍ରସ୍ତୁତ କରିଥାଏ। ଏହା ଆଇଫୋନ ଓ ଆଣ୍ଡ୍ରୋଏଡ ଫୋନରେ ପ୍ରବେଶ କରିବାରେ ସକ୍ଷମ। ହ୍ୟାକିଙ୍ଗ ମାଧ୍ୟମରେ ଏହି ସଫ୍ଟଓ୍ଵେର  ହ୍ଵାଟ୍ସଆପ୍‌ରେ ପ୍ରବେଶ କରିପାରେ। ଏହି ସ୍ପାଇଓ୍ଵେର କୌଣସି ହାନୀକାରକ ଲିଙ୍କ୍ କିମ୍ବା ମିସ୍‌ଡ ହ୍ଵାଟ୍ସଆପ୍‌ ଭିଡିଓ କଲ୍‌ ଜରିଆରେ ଫୋନରେ ମଧ୍ୟ ପ୍ରବେଶ କରିପାରେ। ଏହା ଦୀର୍ଘ ସମୟ ଧରି ଫୋନରେ ସକ୍ରିୟ ରହିପାରେ।  ଏହି ଧରଣର ସ୍ପାଇଓ୍ଵେର ଫୋନର କଣ୍ଟାକ୍ଟ, ମେସେଜ୍ ଓ ଡାଟା ପର୍ଯ୍ୟନ୍ତ ପହଞ୍ଚିଥାଏ। ଏହି ସଫ୍ଟଓ୍ଵେର ୟୁଜର୍ସଙ୍କ ଫୋନର ମାଇକ୍ରୋଫୋନ ଓ କ୍ୟାମେରାକୁ ସ୍ଵତଃପ୍ରବୃତ ଭାବେ ଅନ୍ କରିଥାଏ। ହେଲେ ହ୍ଵାଟ୍ସଆପ୍‌ ନିଜର ତ୍ରୁଟି ସୁଧାରି ଫିଚରକୁ ଦୃଢ କରିଛି।

ଫୋନରେ କେମିତି ପ୍ରବେଶ କରେ ସ୍ଵାଇଓ୍ଵେଭର

ୟୁଜରଙ୍କ ଫୋନ୍‌ରେ ହ୍ଵାଟ୍ସଆପ୍ ଭିଡିଓ କଲ୍ ଆସିଥାଏ। ଫୋନ୍ ଠିକ୍ ରିଙ୍ଗ୍ ହେବା ମାତ୍ରେ ହ୍ୟାକର ହାନୀକାରକ କୋଡ୍ ପଠାଇଥାନ୍ତି ଏବଂ ଏହି ପରି ସ୍ପାଇଓ୍ଵେର ଫୋନରେ ଇନଷ୍ଟଲ ହୋଇଯାଏ। ଏହା ପରେ ଅପରେଟିଂ ସିଷ୍ଟମକୁ କବ୍‌ଜା କରି ନେଇଥାଏ। ମେସେଜ୍, କଲ୍, ପାସଓ୍ଵାର୍ଡ ପର୍ଯ୍ୟନ୍ତ ସବୁଠି ଏହା ପହଞ୍ଚି ଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.