ଏକାଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ : ବର୍ଷବର୍ଷ ଧରି ନିର୍ଦ୍ଧାରିତ ତାରିଖରେ ରାସନ ସାମଗ୍ରୀ ନେଉଛନ୍ତି ଭୂତ ହିତାଧିକାରୀ
3/11/2019 at 8:58 AM

ନିଆଳି ୩/୧୧: ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ । ଥରେ କି ଦୁଇ ଥର ନୁହେଁ ବର୍ଷ ବର୍ଷ ଧରି ନିର୍ଦ୍ଧାରିତ ତାରିଖରେ ଆସି ରାସନ ସାମଗ୍ରୀ ନେଇ ଯାଉଛନ୍ତି ଭୂତ ହିତାଧିକାରୀ । ପୁଣି ଜଣେ କି ଦୁଇ ଜଣ ନୁହେଁ ଏକାଧିକ ମୃତକଙ୍କ ନାଁରେ ଉଠାଯାଉଛି ରାସନ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କିଛି ଲୋକଙ୍କ ନାଁ ତାଲିକାରେ ଅଛି କିନ୍ତୁ ଉଦ୍ଦ୍ୟେଶମୂଳକ ଭାବେ ସେମାନଙ୍କୁ ରାସନ ଦିଆଯାଉନାହିଁ । ସୂଚନା ଅଧିକାର ଅଇନ ବଳରେ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି କଟକ ନିଆଳି ବ୍ଲକର ଅଲଣା ପଞ୍ଚାୟତରୁ ।…

ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ । ଥରେ କି ଦୁଇ ଥର ନୁହେଁ ବର୍ଷ ବର୍ଷ ଧରି ନିର୍ଦ୍ଧାରିତ ତାରିଖରେ ଆସି ରାସନ ସାମଗ୍ରୀ ନେଇ ଯାଉଛନ୍ତି ଭୂତ ହିତାଧିକାରୀ । ପୁଣି ଜଣେ କି ଦୁଇ ଜଣ ନୁହେଁ ଏକାଧିକ ମୃତକଙ୍କ ନାଁରେ ଉଠାଯାଉଛି ରାସନ । କଟକ ଅଳଣା ପଞ୍ଚାୟତରୁ ଏମିତି ସାଂଘାତିକ ତଥ୍ୟ ମିଳିଛି ସୂଚନା ଅଧିକାର ଆଇନରେ ବଳରେ । ଯୋଗାଣ ଅଧିକାରୀ ଏବଂ ଡିଲରମାନଙ୍କ ସଲାସୁତୁରାରେ ଏଠି ବାଟବଣା ଖାଦ୍ୟ ସୁରକ୍ଷା ଯୋଜନା। ଅଲଣା ପଂଚାୟତରେ ରହିଛନ୍ତି ୫ ହଜାର ୬୯୯ ହିତାଧିକାରୀ । ମିଳିଥିବା ସୂଚନା ଅନୁସାରେ ଅଢଙ୍ଗା ଗାଁର କୟୁମୁନ ବିବି, ଗୋପାଳ ମହାନ୍ତି, ନଖୁରି ବିବି, ରଘୁନାଥ ଭୋଇ, ଦେବେନ୍ଦ୍ର ମହାରଣା ରାସନ ଉଠାଉଛନ୍ତି । ସେହିପରି ଅଥଙ୍ଗା ଗାଁର ରଂଜୁ ଭୋଇ, ମଜବୁନ ବିବି ମଧ୍ୟ ଦସ୍ତଖତ ମାରି ରାସନ ନେଉଛନ୍ତି । ବଡ଼କଥା ହେଉଛି, ଏମାନେ ସମସ୍ତେ ମୃତ । କେବଳ ଏତିକି ନୁହେଁ ଅଢଙ୍ଗା ଗାଁରେ କଳ୍ପନା ଓଝା, ସାଇରାମ ନାଁରେ ମଧ୍ୟ ରାସନ ଉଠୁଛି, ହେଲେ ଗାଁରେ ଏହି ନାଁରେ କେହି ଲୋକ ହିଁ ନାହାଁନ୍ତି ।…

ଗୋଟିଏ ପଟେ ମଲା ଲୋକଙ୍କ ନାଁରେ ରାସନ ଉଠୁଥିବା ବେଳେ ସେଇ ଯାଗାରେ ଏମିତି ବି କିଛି ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ନାଁ ତାଲିକାରେ ଥିଲେ ମଧ୍ୟ ସେମାନଙ୍କୁ ରାସନ ମିଳୁନି । ସରକାରୀ ରେକର୍ଡରେ ୨୦୧୬ ମସିହାଠାରୁ ନାଁ ଥିଲେ ମଧ୍ୟ ସେମାନଙ୍କୁ ରାସନ ଦିଆଯାଉନଥିବାର ଅଭିଯୋଗ କରିଛନ୍ତି ଅଲଣା ପଂଚାୟତର ଭାନୁମତୀ ସାହୁ, ଜମିଲା ବିବି, କୌଶଲ୍ୟା ଦାସ, ମିନାକ୍ଷୀ ରାଉତରାୟଙ୍କ ପରି ଅନେକ ହିତାଧିକାରୀ।

ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପଦାକୁ ଆସିବା ପରେ ଯୋଗାଣ ଅଧିକାରୀ ଏବଂ ଡିଲରମାନଙ୍କ ସଲାସୁତୁରା ପଦାରେ ପଡ଼ିଛି । ଅଭିଯୋଗ ସମ୍ପର୍କରେ ଆମେ ନିଆଳୀ ଯୋଗାଣ ଅଧିକାରୀ ସୁଜାତା ମାହାଳୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ହେଲେ ସେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ସ୍ପଷ୍ଟ ମନା କରିଦେଇଥିଲେ । ଏହାସହ ସମ୍ପୃକ୍ତ ଡିଲରଙ୍କ ସ୍ବାମୀ ଯୋଗାଣ ଅଧିକାରୀଙ୍କୁ ଛାଇ ପରି ଜଗିରହିଥିଲେ ।

ନିଆଳି ବ୍ଲକରେ ଯୋଗାଣ ଅଧିକାରୀ, ଡିଲର ଆଉ ରାଜନେତା ମିଳିମିଶି ଲୋକଙ୍କ ପାଇଁ ଆସୁଥିବା ରାସନରୁ ବଡ଼ ଭାଗ ହରିଲୁଟ୍ କରୁଛନ୍ତି ।