ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତୀ ପୁଣି ଗୃହବନ୍ଦୀ : କହିଲେ, ‘ସୁରକ୍ଷା ଆଳରେ ଜାଣିଶୁଣି ଏଭଳି କରାଯାଉଛି’

Published By : Prameya-News7 Bureau | September 07, 2021 IST

ଶ୍ରୀନଗର ୦୭/୦୯ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ହାଇସ୍‌ ଆରେଷ୍ଟ୍ ଅର୍ଥାତ ନଜରବନ୍ଦୀ କରାଯାଇଛି । ଏହା ସହିତ ଜାମ୍ମୁ କାଣ୍ମୀରରେ ସ୍ଥିତି ସାମାନ୍ୟ ହେବା ଘଟଣାକୁ ନେଇ କେନ୍ଦ୍ର ସରକାର ମିଛ ତଥ୍ୟ ଦେଉଥିବା‌ ଅଭିଯୋଗ କରିଛନ୍ତି ମେହବୁବା ମୁଫ୍‌ତୀ । ଆଜି ସେ ତାଙ୍କ ଦଳର କାର୍ଯ୍ୟାଳୟକୁ ଯିବାକୁ ଥିବାବେଳେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ମୁଫ୍‌ତୀ କହିଛନ୍ତି ।

ଏ ନେଇ ଟ୍ବିଟ୍‌ କରି ମେହବୁବା ମୁଫ୍‌ତୀ କହିଛନ୍ତି, ‘ଭାରତ ସରକାର ଆଫଗାନିସ୍ତାନର ଲୋକମାନଙ୍କ ପାଇଁ ଚିନ୍ତା ବ୍ୟକ୍ତ କରୁଛନ୍ତି କିନ୍ତୁ ଜାଣିଶୁଣି ସେହି ଅଧିକାରରୁ କାଶ୍ମୀରବାସୀଙ୍କୁ ବଞ୍ଚିତ କରୁଛନ୍ତି । ମୋତେ ଆଜି ପୁଣିଥରେ ଗୃହବନ୍ଦୀ କରାଯାଇଛି । କାଶ୍ମୀରରେ ସ୍ଥିତି ଠିକ ନଥିବା ଆଳ ଦେଖାଇ କେନ୍ଦ୍ର ସରକାର ଜାଣିଶୁଣି ଏଭଳି କରୁଛନ୍ତି । ଏଥିରୁ ଜଣାପଡୁଛି କାଶ୍ମୀରବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦରଦ କେତେ ଅଛି ।’

ସୂଚନାଯୋଗ୍ୟ, ଅଲଗାଓ୍ବବାଦୀ ନେତା ସୟଦ ଅଲୀ ଶାହା ଗିଲାନୀଙ୍କ ଦେହାନ୍ତ ପରେ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ମୁଫ୍‌ତୀ କହିଛନ୍ତି ଗିଲାନୀଙ୍କ ମୃତ୍ୟୁପରେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ଅନୁମତି ନମିଳିବା ମାନବିକତା ବିାରାଧୀ । ଏଥିପାଇଁ ଜାମ୍ମୁକାଶ୍ମୀରର ଜନସାଧାରଣଙ୍କୁ ମଧ୍ୟ ଦୁଃଖ ହୋଇଛି । ଗିଲାନୀଙ୍କ ମୃତ୍ୟୁପରେ ତାଙ୍କ ବାସଭବନ ନିକଟ ଏକ ମସଜିଦରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ଦଳୀୟ ବୈଠକ ପରେ ମେହବୁବା କହିଥିଲେ, ‘ଗିଲାନୀଙ୍କ ସହିତ ଆମର ରାଜନୈତିକ ମତଭେଦ ଥିଲା, ବିବାଦ ରହିଥିଲା ସତ କିନ୍ତୁ ଜଣଙ୍କ ମୃତ୍ୟୁ ପରେ ସମସ୍ତ ମତଭେଦ ଶେଷ ହୋଇଯାଇଥାଏ । ମୃତକ ଅନ୍ତିମ ସତ୍କାର ପାଇଁ ହକ୍‌ଦାର ହୋଇଥାଏ । ଗିଲାନୀଙ୍କ ପରିବାର ଲୋକଙ୍କୁ ତାଙ୍କର ଅନ୍ତିମ ସତ୍କାର ପାଇଁ ମଧ୍ୟ ଅନୁମତି ଦିଆନଯିବା ଘଟଣା ଜନସାଧାରଣଙ୍କୁ ଆନ୍ଦୋଳିତ କରିଛି । ପରିବାର ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ଅନୁମତି ରହିଛି । କିନ୍ତୁ ତାହା କରିବାକୁ ଦଦଆଯାଇନଥିଲା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.