୧୪ ମାସ ପରେ ଗୃହବନ୍ଦୀରୁ ମୁକ୍ତି ପାଇଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

Published By : Prameya-News7 Bureau | October 13, 2020 IST

ଶ୍ରୀନଗର ୧୩।୧୦: ଜାମ୍ମୁ-କାଶ୍ମୀରର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ପ୍ରମୁଖ ମେହବୁବା ମୁଫତି ୧୪ ମାସ ପରେ ଶେଷରେ ଗୃହବନ୍ଦୀରୁ ମୁକ୍ତ ହୋଇଛନ୍ତି। ଜାମ୍ମୁ-କାଶ୍ମୀର ପ୍ରଶାସନର ପ୍ରବକ୍ତା ରୋହିତ କଂସଲ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ମୁଫତିଙ୍କୁ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ଏବଂ ରାଜ୍ୟର ପୁର୍ନଗଠନ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରିବାର ଗୋଟିଏ ଦିନ ପୂର୍ବରୁ ପୋଲିସ ନିଜ ହେପାଜତକୁ ନେଇଥିଲା।

୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ସହିତ ମେହବୁବା ମୁଫତିଙ୍କୁ ପିଏସଏ ଆଧାରରେ ଅଟକ ରଖାଯାଇଥିଲା। ତେବେଠୁ ଆଜି ପର୍ଯ୍ୟନ୍ତ ତାଙ୍କ ଅଟକ ଅବଧି ଲଗାତାର ବଢି ଚାଲିଥିଲା। ଶେଷରେ ୧୪ ମାସ ଆଠ ଦିନ ପରେ ଜାମ୍ମୁ-କାଶ୍ମୀର ପ୍ରଶାସନ ମୁଫତିଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ମେହବୁବାଙ୍କ ଟ୍ଵିଟର ଆକାଉଣ୍ଟରୁ ତାଙ୍କ ଝିଅ ଇଲତିଜା ମୁଫତି ଟ୍ଵିଟ୍ କରିଛନ୍ତି, ମେହବୁବା ମୁଫତିଙ୍କ ବେଆଇନ ଅଟକ ଅବଧି ସମାପ୍ତ ହେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ଏହି ସମୟରେ ମୋ ସହିତ ରହିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିବା ମେହବୁବା ମୁଫତିଙ୍କ ମୁକ୍ତି ଦାବି କରି ତାଙ୍କ ଝିଅ ଇଲତିଜା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ଯେ, କେନ୍ଦ୍ର ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ କେତେ ଦିନ ପର୍ଯ୍ୟନ୍ତ ଏବଂ କେଉଁ ଆଦେଶରେ ଅଟକ ରଖିବାକୁ ଚାହୁଁଛି। ୩୭୦ ଉଚ୍ଛେଦ ସହିତ ସତର୍କତାମୂଳକ ପିଏସଏ ଆଧାରରେ ୪୪୪ ଜଣଙ୍କୁ ଅଟକ ରଖାଯାଇଥିଲା। ଏଥିରେ ଅଧିକାଂଶ ଲୋକଙ୍କୁ ଏବେ ମୁକ୍ତ କରାଯାଇଛି। କିଛି ଲୋକଙ୍କୁ ଏହି ସର୍ତ୍ତରେ ମୁକ୍ତ କରାଯାଇଛି ଯେ, ସେମାନେ କୌଣସି ରାଜନୈତିକ ବୟାନ ଦେବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.