ଚୋରା ମଦ ବ୍ୟବସାୟୀଙ୍କୁ ଧରିବା ବେଳେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ପିସିଆର ଭ୍ୟାନକୁ ରଖିଲେ ଅଟକ

Published By : Prameya-News7 Bureau | April 19, 2021 IST

ଭଦ୍ରକ,୧୯/୦୪:  ଚୋରା ମଦ ଧରିବା ପାଇଁ ଚଢାଉ ବେଳେ ପୋଲିସ, ଅବକାରୀ କର୍ମଚାରୀ ଓ ସାଧାରଣ ଜନତା ମୁହାଁମୁହିଁ  । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ଅଧିନସ୍ଥ ବେତାଳିଗାଁ ଅଞ୍ଚଳରେ ।

ସୂଚନାଅନୁସାରେ, ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ବେତାଳିଗାଁରେ ଚୋରାମଦ ବେପାରୀଙ୍କୁ ଧରିବା ପାଇଁ ଚଢଉ କରିଥିଲା । ସ୍ଥାନୀୟ ଅଞ୍ଚଳର ଜନୈକ ମହିଳାଙ୍କ ଘରୁ ବିପୁଳ ପରିମାଣରେ ମଦ ଜବତ ହେବା ସହ ସମ୍ପୃକ୍ତ ମହିଳାଙ୍କୁ ଚୋରା ମଦ ବେପାର କରୁଥିବା ଅଭିଯୋଗରେ ଅବକାରୀ ବିଭାଗର କର୍ମଚାରୀ  ଘର ନିକଟରେ ଅଟକ ରଖିଥିଲେ । କିନ୍ତୁ ସେହି ସମୟରେ ମହିଳାଙ୍କ ସ୍ଵାମୀ ଫେରାର ହୋଇଯାଇଥିଲେ ଓ ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିବା ସହ ଅବକାରୀ କର୍ମଚାରୀଙ୍କୁ ଘେରାଉ କରି ହୋହଲା କରିଥିଲେ ।

ଅବକାରୀ ବିଭାଗ କର୍ମଚାରୀ ଧୂସୁରୀ ପୋଲିସକୁ ଖବର ଦେଇଥିଲେ । ଧୂସୁରୀ ପୋଲିସ ପହଞ୍ଚିବା ପରେ ମଧ୍ୟ ଉତ୍ତେଜନା ଥମିନଥିଲା । ତେବେ ସ୍ଥାନୀୟ ଲୋକେ ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିଥିଲେ । ଏପରିକି ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଘଟଣା ବେଳେ ସ୍ଥାନୀୟ ଯୁବକ ଫଟୋ ଉତ୍ତୋଳନ କରୁଥିବାରୁ ପୋଲିସ ଲାଠି ଚାଳନା କରିଥିବା ଅଭିଯୋଗ ହୋଇଛି । ପରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ପୋଲିସ ଗାଡିକୁ ଅଟକ ରଖିବା ସହିତ ଉକ୍ତ ଯୁବକର ମୋବାଇଲ ଫେରାଇବାକୁ ଦାବି କରିଥିଲେ ।

{"id":440823,"sizeSlug":"large","linkDestination":"none"}

ଏହାକୁ ନେଇ ବଜାରରେ ଉତ୍ତେଜନା ଦେଖା ଦେଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଅବକାରୀ ଇନ୍ସପେକ୍ଟର ଧନେଶ୍ଵର ବରାଡ ଫୋନ ଯୋଗେ ସୂଚନା ଦେଇଛନ୍ତି ଯେ, ମହିଳାଙ୍କୁ ଅଟକ ରଖାଯାଇଥିଲା  । କିନ୍ତୁ ତାଙ୍କ ସ୍ଵାମୀ ମଦ ବିକ୍ରି କରୁଥିବାରୁ ମହିଳାଙ୍କୁ ଛାଡିବା ପାଇଁ ଦାବି କରିଥିଲେ ସ୍ଥାନୀୟ ଲୋକେ । ଘଟଣାର ତଦନ୍ତ ଚାଲିଛି ଓ ଆବଶ୍ୟକ ହେଲେ ଥାନାରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.