ସ୍ବାଧୀନ ଭାବେ ଲଢିବା ପାଇଁ ବାହାରିଥିବା ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ନିରଞ୍ଜନ
27/03/2019 at 1:53 PM

ଭୁବନେଶ୍ବର ୨୭|୩ : ଟିକେଟ୍ ନମିଳିବାରୁ କଂଗ୍ରେସ ଛାଡି ସ୍ବାଧିନ ଭାବେ ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡିଥିବା ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଜି.ଉଦୟଗିରି ବିଧାନସଭା ଆସନରୁ ଟିକେଟ୍ ନମିଳିବା ଯୋଗୁଁ ବିଧାୟକ ଜାକବ ପ୍ରଧାନ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ବାହାରିଛନ୍ତି । ସେହିଭଳି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ଟିକେଟ୍ ନମିଳିବାରୁ ଗତକାଲି ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ଚେତାବନୀ ଦେବା ସହ ଦଳ ଛାଡିଛନ୍ତି । ଏଭଳି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ଟିକେଟ୍ ପାଇଁ ଆଶାୟୀ ଥିବା ନେତାମାନେ ଟିକେଟ୍ ନପାଇବା ପରେ ଦଳ ବିରୋଧୀ କାର୍ଯ୍ୟ କଲେ ତାହା ବରଦାସ୍ତ କରାଯିବନାହିଁ ବୋଲି ସଫା ସଫା ଶୁଣାଇଛନ୍ତି ନିରଞ୍ଜନ ।
ତେବେ ଜିଉଦୟଗିରିରୁ ପ୍ରାର୍ଥୀ ହେବାପାଇଁ ଜାକବ ପ୍ରଧାନ ଆଶାୟୀ ଥିଲେ। ମାତ୍ର କଂଗ୍ରେସ ସେଠାରେ ତାଙ୍କୁ ପ୍ରାର୍ଥୀ ନ କରି ଦାରିଙ୍ଗିବାଡ଼ିର ସରପଞ୍ଚ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏଥିରେ କ୍ଷୁବ୍ଧ ହୋଇ ପିସିସି ବିରୋଧରେ ବିଷୋଦଗାର କରିଥିଲେ ଜାକବ।
ସୂଚନାଯୋଗ୍ୟ ଯେ, ପ୍ରଦେଶ କଂଗ୍ରେସ ଭବନଠାରେ ସ୍କ୍ରିନିଂକମିଟି ବୈଠକ ଚାଲିଥିବା ବେଳେ ଜିଉଦୟଗିରିର କିଛି କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଆସି ପିସିସି ମୁଖିଆଙ୍କଠାରେ ଜାକବଙ୍କ ବିରୋଧରେ ଫେରାଦ ହୋଇଥିଲେ।
ଜାକବ ପ୍ରଧାନ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ । ବର୍ତ୍ତମାନ ଟିକଟ ପାଇଥିବା ଶ୍ୟାମଘନ ପ୍ରଧାନ କଂଗ୍ରେସରେ ନଥିଲେ। ଅତୀତରେ ସେ ବିଏସପିରୁ ପ୍ରାର୍ଥୀ ହୋଇମାତ୍ର ୨ହଜାର ଭୋଟ୍ ପାଇଥିଲେ । ସେ କେବଳ ତାଙ୍କ ନିଜ ପଞ୍ଚାୟତରେ ସକ୍ରିୟ ଅଛନ୍ତି। ତେଣୁ କିଭଳି ତାଙ୍କୁ ପ୍ରାର୍ଥୀ କରାଗଲା ବୋଲି ଜାକବ ପ୍ରଶ୍ନ ଉଠାଇଥିଲେ। ଜାକବଙ୍କୁ କଂଗ୍ରେସ ଚିହ୍ନିପାରିଲା ନାହିଁ। ଜାଣିଶୁଣି ବିଜେଡ଼ି ଓ ବିଜେପି ହାତକୁ ଟେକିଦେଲା ବୋଲି ନିଜ ପ୍ରତିକ୍ରିୟାରେ ଜାକବ କହିଥିଲେ ।
ଜାକବ ଦଳୀୟ କର୍ମୀମାନଙ୍କୁ ଉପେକ୍ଷା କରିବା ସହ ବିଭିନ୍ନ ଦୁର୍ନୀତିରେ ଲିପ୍ତଥିବା ଅଭିଯୋଗ କରିଥିଲେ। ସମ୍ଭବତଃ ଏହାରି ଆଧାରରେ ବିଧାୟକ ଥିବା ସତ୍ବେ ଜାକବଙ୍କ ଟିକଟ କଟାଯାଇଛି ।