ଅସନ୍ତୁଷ୍ଟଙ୍କ ସହ ଆଲୋଚନା, ବିଦ୍ରୋହୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ : ନିରଞ୍ଜନ
24/03/2019 at 3:18 PM

ଭୁବନେଶ୍ବର ୨୪|୩ : ଗତକାଲି କଂଗ୍ରେସ ପାର୍ଟି ଅଫିସରେ ଭଙ୍ଗାରୁଜା ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କ ସହ ଆଲୋଚନା କରିବାକୁ ପିସିସି ସଭାପତି କହିଛନ୍ତି । କିନ୍ତୁ ଯେଉଁମାନେ ବିଦ୍ରୋହ କରିଛନ୍ତି ଏବଂ ପାର୍ଟି ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ସେମାନଙ୍କ ବିରୋଧରେ ଏତଲା ଦିଆଯିବ । ଯଦି ସେମାନେ କଂଗ୍ରେସ କର୍ମୀ ହୋଇଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ନିରଞ୍ଜନ । ତେବେ ଟିକେଟ ବଣ୍ଟନରେ ଥିବା ଅସନ୍ତୋଷକୁ ନେଇ ସେ କହିଛନ୍ତି ଯେଉଁ ସ୍ଥାନରେ ଟିକେଟକୁ ନେଇ ଅସନ୍ତୋଷ ରହିଛି ସେହି ଜିଲ୍ଲାର କମିଟି ପ୍ରାର୍ଥୀ ବଦଳାଇବାକୁ ରିପୋର୍ଟ ଦେଲେ ସେ ବିଷୟରେ ବିଚାର କରାଯିବ ।
ସୂଚନାଯୋଗ୍ୟ ଯେ, ଟିକେଟ୍ ବଣ୍ଟାକୁ ନେଇ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଗତକାଲି ପ୍ରଦେଶ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା ଲଙ୍କାକାଣ୍ଡ । କଂଗ୍ରେସ ଭବନରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ଟିକେଟ୍ ପାଇନଥିବା ନେତାଙ୍କ ସମର୍ଥକ । ଭୁବନେଶ୍ବର ଏକାମ୍ରରୁ ରଶ୍ମୀ ମହାପାତ୍ରଙ୍କୁ ଟିକେଟ୍ ଦିଆଯାଇଥିବାରୁ ଏହାକୁ ବିରୋଧ କରି ଏହି ଭଙ୍ଗାରୁଜା ହୋଇଥିଲା । ଏଥିରେ କାର୍ଯ୍ୟାଳୟର ୨ଟି କମ୍ପ୍ୟୁଟର୍, ଚେୟାର, ଟେବୁଲ ଭଙ୍ଗାରୁଜା ହୋଇଥିବା ବେଳେ, କାଗଜପତ୍ର ମଧ୍ୟ ଫିଙ୍ଗାଫୋପଡ଼ା କରାଯାଇଛି ।