ଆଜି ପୁଣି ବସିଛି କଂଗ୍ରେସର ନିରଞ୍ଜନ ହଟାଓ ଗୋଷ୍ଠୀର ବୈଠକ

Published By : Prameya-News7 Bureau | November 03, 2019 IST

ଭୁବନେଶ୍ବର ୩।୧୧: ଆଜି ପୁଣି ବସିଛି କଂଗ୍ରେସର ନିରଞ୍ଜନ ହଟାଓ ଗୋଷ୍ଠୀର ବୈଠକ | ଭୁବନେଶ୍ବରର ଏକ ହୋଟେଲରେ ଏମାନେ ଏକାଠି ହୋଇଛନ୍ତି | ବିଧାୟକ ମହମ୍ମଦ ମୋକିମଙ୍କୁ ପରବର୍ତ୍ତୀ ପିସିସି ସଭାପତି କରାଯିବା ପ୍ରସ୍ତାବକୁ ହାଇକମାଣ୍ଡଙ୍କ ନିକଟରେ ପହଞ୍ଚାଇବା ଏଜେଣ୍ଡାରେ ଏହି ବୈଠକ ବସିଛି | ନିରଞ୍ଜନଙ୍କୁ ହଟାଇ ମୋକିମଙ୍କୁ ଗାଦିରେ ବସାଇବାର ଲବି କେମିତି ଦିଲ୍ଲୀ ଦରବାରରେ ଉଚିତ ଭାବେ ଉପସ୍ଥାପିତ ସେ ନେଇ ରଣନୀତି ପ୍ରସ୍ତୁତ ହେଉଛି | ପାନ୍ଥନିବାସରେ ଯେଉଁମାନେ ଏକାଠି ହୋଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉପସ୍ଥିତ ଅଛନ୍ତି |

ପାନ୍ଥନିବାସ ବୈଠକ ପରେ ପିସିସି ସଭାପତିଙ୍କ ଘରେ ବୈଠକ ବସିଥିଲା | ଲାଗୁଥିଲା ସବୁ ଠିକଠାକ ହୋଇଗଲା | ତେବେ ଆଜି ପୁଣି ଏହି ଗୋଷ୍ଠୀ ଏକାଠି ହୋଇଛନ୍ତି | ଏହା ପ୍ରଚ୍ଛଦପଟରେ କାହାର ଗୋଟି ଚାଳନା ରହିଛି, ତାହା ହିଁ ସବୁଠୁ ବଡ଼ ସସପେନ୍ସ | କାରଣ ଯେଉଁମାନେ ଏକାଠି ହେଉଛନ୍ତି, ଯାହା ନାଁ ସୁପାରିସ କରୁଛନ୍ତି, ସମସ୍ତେ ନିରଞ୍ଜନଙ୍କ ସମର୍ଥନ ଭାବେ ଜଣାଶୁଣା | ତେଣୁ ଖୋଦ୍ ନିରଞ୍ଜନ ଏଭଳି ନାଟକ ରଚନା କରିଥିବା ବି ଚର୍ଚ୍ଚା ହେଉଛି | ରାଜ୍ୟରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ସେ ହଟିବା ଥୟ ଥିବାରୁ ନିଜ କ୍ୟାମ୍ପ ହାତରେ କ୍ଷମତା ରଖିବାକୁ ସେ ଏଭଳି ଚାଲ୍ କରୁ ନାହାନ୍ତି ତ ବୋଲି ପ୍ରଶ୍ନ ଉଠିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.