ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା: ହାତ ଖସେଇ ଦେଇଥିଲେ ସୌମ୍ୟ, ଧରିଲେ ନିରଂଜନ

Published By : Prameya-News7 Bureau | November 02, 2018 IST

କଟକ୨|୧୧: ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ରାଜଧାନୀ ଅଭିମୁଖେ ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା ଜାରି ରହିଛି । ୩ରେ ରାଜଧାନୀରେ ସମାବେଶ କରିବ ଏହି ସଂଗଠନ । ହେଲେ କଟକରେ ସଂଗଠନର ପଦଯାତ୍ରାକୁ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ସ୍ବାଗତ କରିବା ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ଖାଲି ସ୍ବାଗତ କରିନାହାନ୍ତି କଂଗ୍ରେସ କ୍ଷମତାକୁ ଆସିଲେ କୃଷକମାନଙ୍କ ପାଇଁ ଅକଳ୍ପନୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ମଧ୍ୟ ଛାଡ଼ିଛନ୍ତି । କିଛି ଦିନ ତଳେ ସାନଭାଇ ସାଇଡ୍‌ ମାରିଥିଲେ । ଆଉ ଏବେ ମଉକା ଦେଖି ହାତ ବଢ଼ାଇଲେଣି ବଡ଼ ଭାଇ । ଦିନେ ନବନିର୍ମାଣ କୃଷକ ସଂଗଠନ ପାଇଁ ପାଇଜ୍‌-ପ୍ରେଷ୍ଟିଜ୍-ପେନ୍‌ସନ ଦାବି କରି କରି ରାଜ୍ୟସଭା ସାଂସଦ ବନିଗଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଉ ଏବେ ସାନଭାଇ ହାତଛାଡ଼ିବା ପରେ କୋଳେଇ ନେବାକୁ ବାହାରିଛନ୍ତି ବଡ଼ ଭାଇ । ମାନେ କଟକରେ  ସଂଗଠନର ପଦଯାତ୍ରାକୁ ସ୍ବାଗତ କରିବା ସହ ପ୍ରତିଶ୍ରୁତିରେ ପୂରା ପୋତି ପକାଇଛନ୍ତି ଖୋଦ୍‌ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ । କ୍ଷମତାକୁ ଆସିଲେ ଚାଷୀମାନଙ୍କ ପାଇଁ କଂଗ୍ରେସର ପଦକ୍ଷେପ ଏମିତି ହେବ ଯାହା ଖୋଦ୍‌ ଚାଷୀ ବି କଳ୍ପନା କରିନଥିବେ ବୋଲି କହୁଛନ୍ତି ପିସିସି ସଭାପତି । ହେଲେ ଏବେ ନବ ନିର୍ମାଣ କୃଷକ ଆନ୍ଦୋଳନରେ ଯେଉଁ କଥା ଦେଖିବାକୁ ମିଳୁଛି ତାହା ବି କଳ୍ପନା ବାହାରେ । କାରଣ  ଯେଉଁ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଅଣ ରାଜନୈତିକ ବୋଲି ସଂଗଠନ ଦାବି କରିଆସୁଛି ଠିକ୍‌ ସେତିକି ବେଳେ ପଦଯାତ୍ରାରେ ଏମିତି ନେତାଙ୍କ ସହ କୋଳାକୋଳି ସଂଗଠନର ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୃଷକଙ୍କ ପାଇଁ ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନସନ ଦାବି ଆଳରେ କିଛି ଲୋକ ନିଜର ରାଜନୈତିକ ସ୍ବାର୍ଥ ପୂରଣ କରୁଛନ୍ତି ତ ଆଉ କେଉଁଠି ସମର୍ଥନ ଆଳରେ ରାଜନୀତିର ରୁଟି ସେକିବାକୁ ଚାହୁଁଛନ୍ତି । ଏମିତିରେ ନବନିର୍ମାଣ କୃଷକ ସଂଗଠନ କେତେବେଳେ କାହା ସହ ହାତ ମିଳାଇବାକୁ ଚାହୁଁଛି ତାହା କହିବା ମୁସ୍‌କିଲ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.