ନବଗଠିତ ପ୍ରଦେଶ କଂଗ୍ରେସ କମିଟିର ବୈଠକ

Published By : Prameya-News7 Bureau | August 19, 2018 IST

ଭୁବନେଶ୍ୱର ୧୯/୮ : ୨୦୧୯ ନିର୍ବାଚନର ପାଇଁ ପ୍ରଦେଶ କଂଗ୍ରେସ କମିଟି ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି | ପିସିସିର ନବ ଗଠିତ ଟିମର ଗୁରୁତ୍ୱପୂର୍ଣ ବୈଠକ ଭୁବନେଶ୍ୱରର ଏକ ହୋଟେଲରେ ଆରମ୍ଭ ହୋଇଛି | ଏହି ବୈଠକରେ ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ନୂଆ କାର୍ଯ୍ୟକାରୀ ସଭାପତି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଜିଲ୍ଲା ସଭାପତି କୋର କମିଟି ସଦସ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବହୁ ବରିଷ୍ଠ ନେତା ଓ ବିଧାୟକ ଯୋଗ ଦେଇଛନ୍ତି | ଆଗାମୀ ଦିନରେ କଂଗ୍ରେସ କିଭଳି ଓ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ପହଂଚିବ ସେଥିପାଇଁ ରୋଡ଼ ମ୍ୟାପ ଏହି ବୈଠକରେ ପ୍ରସ୍ତୁତ କରାଯାଇଛି | ମୁଖ୍ୟତଃ ୪ ଟି ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କ ପାଖରେ ପହଂଚିବ ବୋଲି ନିଷ୍ପତ୍ତି ହୋଇଛି | ଏହି ପ୍ରସଙ୍ଗଗୁଡିକ ହେଲା , କୃଷି ଓ କୃଷକ, ବେକାରୀ ସମସ୍ୟା, ଦାରିଦ୍ୟ, ଏବଂ ରାଫେଲ ଦୁର୍ନୀତି | ସେହିଭଳି ତୃଣମୂଳ ସ୍ଥରରେ ଦଳକୁ ମଜଭୁତ କରିବା ପାଇଁ ପ୍ରଦେଶ କଂଗ୍ରେସ ୨ଟି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛି | ଏହି ୨ଟି କାର୍ଯ୍ୟକ୍ରମ ହେଲା, 'ମୋ ବୁଥ ମୋର ଗୌରବ' ଏବଂ 'ପ୍ରୋଜେକଟ ଶକ୍ତି' | ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ କଂଗ୍ରେସ ଏହା ବ୍ୟତୀତ ମଧ୍ୟ ସମୟ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ନେଇ ସକ୍ରିୟ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି | ଆସନ୍ତାକାଲି ପ୍ରଦେଶ କଂଗ୍ରେସର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ | ଏହି ବୈଠକରେ ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ମାନଦଣ୍ଡ ନିର୍ଧାରଣ ହେବ | ଅନ୍ୟ ଅର୍ଥରେ କହିବାକୁ ଗଲେ ଆସନ୍ତାକାଲି ଠାରୁ ହିଁ ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ | ନବଗଠିତ ପିସିସି କମିଟିର ଏହି ବୈଠକ ଦଳ ମଧ୍ୟରେ ନୂଆ ଆଶା ସଂଚାର କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.