ପିସିବିର ବଡ ନିଷ୍ପତ୍ତି : ୭ ଖେଳାଳି କରୋନା ଆକ୍ରାନ୍ତ ହେବାପରେ ପାକିସ୍ତାନ ସୁପର ଲିଗ୍ ବନ୍ଦ

Published By : Prameya-News7 Bureau | March 04, 2021 IST

ନୂଆଦିଲ୍ଲୀ ୦୪/୦୩ : ବିଶ୍ବରେ କରୋନା ମହାମାରୀର କରାଳ ରୂପ ଏବେ ମଧ୍ୟ ଜାରି ରହିଛି । ଅନେକ ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ କରିବା ଭଳି ସ୍ଥିତି ଉପୁଜିଲାଣି । ଏହାରି ମଧ୍ୟରେ ପାକିସ୍ତାନରେ କରୋନା ଭାଇରସ କାୟା ମେଲାଉଥିବାରୁ ଦେଶରେ ଜାରି ରହିଥିବା ପାକିସ୍ତାନ ସୁପର୍‌ ଲିଗ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଗୁରୁବାର ଏନେଇ ସୂଚନା ଦେଇ କହିଛି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପାକିସ୍ତାନ ସୁପର୍‌ ଲିଗ୍‌ ଟୁର୍ଣ୍ଣାମେଣ୍ଟକୁ ଆଗକୁ ଜାରି ରଖିବା ବିପଦସଙ୍କୁଳ ହୋଇପାରେ । ଖେଳାଳୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପିଏସ୍‌ଏଲ୍‌ର ୬ଷ୍ଠ ସଂସ୍କରଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସମସ୍ତ ଖେଳାଳୀଙ୍କୁ ସୁରକ୍ଷିତ ଘରକୁ ପଠାଇଦିଆଯାଇଛି ।

ଏହା ପୂର୍ବରୁ ଟୁର୍ଣ୍ଣମେଣ୍ଟ ଜାରି ରହିଥିବା ବେଳେ କିଛି ଖେଳାଳୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ତେଣୁ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଆଶଙ୍କାରେ ବର୍ତ୍ତମାନ ପାଇଁ ପାକିସ୍ତାନ ସୁପର୍‌ ଲିଗ୍‌ ସ୍ଥଗିତ ରଖିଛି ପିସିବି । କିଛି ଖେଳାଳୀଙ୍କୁ ଆଇସୋଲେସନ୍‌ରେ ମଧ୍ୟ ରଖାଯାଇଥିବା ସୂଚନା ମିଳିଛି । ତେବେ କେଉଁ ଖେଳାଳୀ ସଂକ୍ରମିତ ହୋଇଛନ୍ତି ତାହାର କୌଣସି ତଥ୍ୟ ପ୍ରକାଶ କରିନି ପାକିସ୍ତାନ କ୍ରିକେଟ୍‌ ବୋର୍ଡ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.