Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସିରିଜ୍ ? ପିସିବି ମୁଖ୍ୟ ରମିଜ ରାଜା କହିଲେ- ଏବେ ଅସମ୍ଭବ

13/09/2021 at 8:38 PM

ନୂଆଦିଲ୍ଲୀ ୧୩।୦୯: ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ରେ  ବଡ ଧରଣର ଅଦଳ ବଦଳ ହୋଇଛି। ପୂର୍ବତନ କ୍ରିକେଟ୍‌ର ରମିଜ ରାଜା ପିସିବିର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଦାୟିତ୍ଵ  ଗ୍ରହଣ କରିବା ପରେ ନବ ନିଯୁକ୍ତ ପିସିବି ଅଧ୍ୟକ୍ଷ ଭାରତ ସହିତ ଦ୍ଵିପାକ୍ଷିକ ସିରିଜ୍‌ ଉପରେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଭାରତ ସହିତ ଦ୍ଵିପାକ୍ଷିକ ସିରିଜ୍ ବର୍ତ୍ତମାନ ସମ୍ଭବ ନୁହେଁ। ଏଥିପାଇଁ ସେ ବ୍ୟତିବ୍ୟସ୍ତ କି ଆତୁର ନୁହନ୍ତି। କାରଣ ତାଙ୍କର ଧ୍ୟାନ କେବଳ ଦେଶର ଘରୋଇ କ୍ରିକେଟ୍‌ର  ବିକାଶ ଦିଗ ଉପରେ ରହିଛି। ଏହି ୫୯ ବର୍ଷୀୟ ପୂର୍ବତନ ଅଧିନାୟକଙ୍କୁ ସର୍ବସମ୍ମତି କ୍ରମେ ପିସିବିର ଅଧ୍ୟକ୍ଷ ଭାବେ ଅଧ୍ୟକ୍ଷ ଚୟନ କରାଯାଇଛି। ସେ ସୋମବାର ଆନୁଷ୍ଠାନିକ ଭାବେ ନିଜର ପଦ ଭାର ଗ୍ରହଣ କରିଛନ୍ତି।

ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ ରାଜାଙ୍କ ଅନୁଯାୟୀ, ପିସିବିର ଅଧ୍ୟକ୍ଷ ପଦ କ୍ରିକେଟ୍‌ର ସବୁଠୁ ମୁସ୍କିଲ ଭୂମିକା ମଧ୍ୟରୁ ଗୋଟିଏ। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହା ବହୁତ ବଡ ଚ୍ୟାଲେଞ୍ଜ ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋତେ ଏହି ଦାୟିତ୍ଵ ଦେବା ପୂର୍ବରୁ ସବୁ ଦିଗ ଉପରେ ତର୍ଜମା କରିଛନ୍ତି।

ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ଆରମ୍ଭ କରାଯିବା ଉପରେ ସେ କହିଛନ୍ତି, ବର୍ତ୍ତମାନ ଏହା ଅସମ୍ଭବ। କାରଣ ଖେଳ ଉପରେ ରାଜନୀତିର ଖରାପ ପ୍ରଭାବ ପଡୁଛି। ଆମେ ଏହି ମାମଲାରେ କୌଣସି ତରବରିଆ ଭାବେ ନିଷ୍ପତ୍ତି ନେବୁ ନାହିଁ। କାରଣ ଆମକୁ ନିଜର ଘରୋଇ ଏବଂ ସ୍ଥାନୀୟ କ୍ରିକେଟ୍‌ ଉପରେ ଧ୍ୟାନ ଦେବାକୁ ପଡିବ। ସେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ରାଓ୍ଵଲପିଣ୍ଡି ଏବଂ ଲାହୋରରେ ଖେଳା ଯାଉଥିବା ସୀମିତ ଓଭର ସିରିଜ୍‌ରେ ଡିଆରଏସର ସୁବିଧା ନଥିବା ନେଇ ନିରାଶ ବ୍ୟକ୍ତ କରିଛନ୍ତି।

ଟି-୨୦ ବିଶ୍ଵ କପରେ  ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ମୁକାବିଲା ବିଷୟରେ ରମିଜ ରାଜା କହିଛନ୍ତି, ଏଥର ସମୀକରଣ ବଦଳିବା ଉଚିତ୍ ବୋଲି ଖେଳାଳିଙ୍କୁ କହିଛି। ଏହି ମ୍ୟାଚ୍ ପାଇଁ ଦଳକୁ ଶତ ପ୍ରତିଶତ ପ୍ରସ୍ତୁତ ରହିବା ଉଚିତ୍। ଏଥିରେ ଦଳକୁ ଭଲ ପ୍ରଦର୍ଶନ କରିବା ଉଚିତ୍।

ପିସିବି ପ୍ରମୁଖ କହିଛନ୍ତି, ସେ ଚାହାନ୍ତି ଯେ, ଜାତୀୟ କ୍ରିକେଟ୍ ଟିମ୍  ବିନା ଚାପରେ କ୍ରିକେଟ୍ ଖେଳନ୍ତୁ। ଆମକୁ ମ୍ୟାଚ୍ ହାରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିବା ଉଚିତ୍। କୌଣସି ଖେଳାଳିଙ୍କୁ ନିଜର ସ୍ଥାନକୁ ନେଇ ଚିନ୍ତା କରିବା ଉଚିତ୍ ନୁହେଁ ଏବଂ ନିର୍ଭୀକ ହୋଇ କ୍ରିକେଟ୍ ଖେଳିବା ଉଚିତ୍।  

   Related Posts