PCB ଅଧ୍ୟକ୍ଷଙ୍କ ବଡ ବୟାନ: କହିଲେ, ‘ଯଦି ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନ୍‌ସିପ୍ ଫାଇନାଲ ଖେଳେ ତେବେ ଏସିଆ କପ୍‌ ହେବନାହିଁ’

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮/୦୨ : ପାକିସ୍ତାନ କ୍ରିକେଟ୍‌ ବୋର୍ଡ (PCB)ର ଅଧ୍ୟକ୍ଷ ଏହସାନ୍‌ ମନୀ କହିଛନ୍ତି, ଯଦି ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ଫାଇନାଲରେ ପ୍ରବେଶ କରେ ତେବେ ଏସିଆ କପ୍‌ ୨୦୨୧କୁ ସ୍ଥଗିତ ରଖାଯାଇପାରେ । ସୂଚନାଯୋଗ୍ୟ, ଚଳିତ ବର୍ଷ ଏସିଆ କପ୍‌ ଆସନ୍ତା ଜୁନ୍ ମାସରେ ଶ୍ରୀଲଙ୍କାରେ ହେବାର ଅଛି । ତେବେ ବିଶ୍ବ ଟେଷ୍ଟ ଚାମ୍ପିୟନ୍‌ସିପ୍‌ର ଫାଇନାଲ ମ୍ୟାଚ୍‌ ଜୁନ ୧୮ରୁ ୨୨ ଯାଏଁ ଇଂଲଣ୍ଡର ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ ।

କରାଚୀରେ ଏକ ପ୍ରେସ୍‌ କନଫରେନ୍ସରେ ଏହସାନ ମନୀ କହିଛନ୍ତି, ଏସିଆ କପ୍‌ ଗତ ବର୍ଷ ହେବା ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ୨୦୨୧କୁ ସ୍ଥଗିତ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ମଧ୍ୟ ଏପରି ପରିସ୍ଥିତିରେ ଏହା ହୋଇପାରିବା ନେଇ ଆଶଙ୍କା ଦେଖାଦେଇଛି । କାରଣ ବିଶ୍ବ ଟେଷ୍ଟ୍ ଚାମ୍ପିୟନ୍‌ସିପ୍‌ର ଫାଇନାଲ ଜୁନ୍‌ ମାସରେ ହେବ । ସେପେଟେ ଶ୍ରୀଲଙ୍କା କହିଛି ଯେ, ଜୁନ୍‌ ମାସରେ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ଚେଷ୍ଟା କରିବ ।

ଗତ ବର୍ଷ ଅର୍ଥାତ ୨୦୨୦ ସେପ୍ଟେମ୍ବର ମାସରେ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ହେବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏସିଆ କପ୍‌ ଆୟୋଜନ ପାକିସ୍ତାନରେ ହେବାର ଥିଲା କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାର ଆୟୋଜନ ସ୍ଥାନ ବଦଳାଇବାକୁ ଅପିଲ କରିଥିଲା ବିସିସିଆଇ ।

ସୂଚନାଯୋଗ୍ୟ, ଗତ ୨ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏସିଆ କପ୍‌ ଟି-ଟ୍ବେଣ୍ଟି ଫର୍ମାଟ୍‌ରେ ଖେଳାଯିବ । ପୂର୍ବରୁ ଏହା ୫୦ ଓଭର ବିଶିଷ୍ଟ ହେଉଥିଲା । ଏସିଆ କପ୍‌ରେ ୫ ଦେଶ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫ୍‌ଗାନିସ୍ତାନ ଭାଗ ନିଅନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.