ବେତନ କାଟ୍ ବିଧେୟକ ଲୋକସଭାରେ ଗୃହୀତ, ସାଂସଦଙ୍କ କଟିବ ୩୦ ପ୍ରତିଶତ ଦରମା

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫।୦୯: କଟିବ ଲୋକସଭା ସାଂସଦଙ୍କ ବେତନ।  ସାଂସଦଙ୍କ ଦରମାରେ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କାଟ୍ କରିବାକୁ ସଂସଦରେ ଆଜି ଏହି ସଂପର୍କିତ ବିଧେୟକକୁ ମଞ୍ଜୁରୀ ମିଳିଛି। ଏହି ଧନରାଶିର ଉପଯୋଗ କୋଭିଡ୍-୧୯ ମହାମାରୀ କାରଣରୁ ଉତ୍ପନ ସ୍ଥିରିର ମୁକାବିଲା ପାଇଁ କରାଯିବ। ନିମ୍ନ ସଦନରେ ସଂକ୍ଷିପ୍ତ ଆଲୋଚନା ପରେ ସାଂସଦଙ୍କ ଦରମା, ଭତ୍ତା ଏବଂ ପେନସନ ସଂଶୋଧନ ବିଧେୟକ ୨୦୨୦କୁ ଧ୍ଵନିମତରେ ମଞ୍ଜୁରୀ ମିଳିଛି। ଏହି ବିଧେୟକଙ୍କୁ ସାଂସଦ ବେତନ, ଭତ୍ତା ଓ ପେନସନ ଅଧ୍ୟାଦେଶ ୨୦୨୦ ସ୍ଥାନରେ ଲାଗୁ କରାଯାଇଛି।

ସାଂସଦଙ୍କ ବେତନ, ଭତ୍ତା ଓ ପେନସନ ଅଧିନିୟମ ୧୯୫୪ରେ ସଂଶୋଧନ କରାଯାଇଛି। କରୋନା ଭାଇରସ ମହାମାରୀ ମଧ୍ୟରେ ଏହି ଅଧ୍ୟାଦେଶକୁ ଏପ୍ରିଲ ୬ରେ ମନ୍ତ୍ରିମଣ୍ଡଳରୁ ମଞ୍ଜୁରୀ ମିଳିଥିଲା। ଏହା ଏପ୍ରିଲ ୭ରେ ଲାଗୁ ହୋଇଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ ଆଲୋଚନା ବେଳେ କହିଛନ୍ତି କୋଭିଡ୍-୧୯ କାରଣରୁ ଉତ୍ପନ ଅଦ୍ଭୁତପୂର୍ଣ୍ଣ ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି। ଏହା ମଧ୍ୟରୁ ସାଂସଦଙ୍କ ଦରମାକାଟ୍ ଗୋଟିଏ। ସେ କହିଛନ୍ତି ପରୋପକାରର ଆରମ୍ଭ ଘରୁ ହିଁ ହୋଇଥାଏ, ତେଣୁ ସାଂସଦ ଏହି ଯୋଗଦାନ ଦେଉଛନ୍ତି। ଏଥିରେ ଛୋଟ କି ବଡ ରାଶିର ପ୍ରଶ୍ନ ନୁହେଁ ବରଂ ଏହା ଏକ ଭାବନାତ୍ମକ ବିଷୟ।

ଯୋଶୀ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ପ୍ରଭାବିତ କରିଥାଏ ଏବଂ ଯୁଦ୍ଧ ଦୁଇ ଦେଶର ସୀମାକୁ ପ୍ରଭାବିତ କରିଥାଏ। ମାତ୍ର କୋଭିଡ୍-୧୯ ପୂରା ବିଶ୍ଵକୁ ପ୍ରଭାବିତ କରିଛି, ଦୁନିଆର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ଦେଇଛି। ସେ କହିଛନ୍ତି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ସହିତ ୧.୭୬ ଲକ୍ଷ କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନାର ଆରମ୍ଭ କରିଛନ୍ତି। ସରକାର ମନରେଗାର ଆବଣ୍ଟନ ବୃଦ୍ଧି କରିଛନ୍ତି ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ କାମ କରିଛନ୍ତି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.