‘ନିର୍ଭୟାଙ୍କ ପ୍ରତି ୪ଦୋଷୀ କରିଥିଲେ ହିଂସ୍ର,କୁତ୍ସିତ ଆଚରଣ,ସେମାନଙ୍କୁ ମୃତ୍ୟୁ ହିଁ ହେବ ଉଚିତ ଶାସ୍ତି’

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ ୨୯/୧: ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ମାମଲା। ବଳାତ୍କାରୀ ମୁକେଶ ପାଇଁ ସରିଗଲା ସବୁ ଗଳାବାଟ । ତେଣୁ ଫାଶୀ ସୁନିଶ୍ଚିତ। ରାଷ୍ଟ୍ରପତିଙ୍କ ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅପିଲ୍ କରିଥିବା ନିର୍ଭୟା ବଳାତ୍କାରୀ ମୁକେଶକୁ ସର୍ବୋଚ୍ଚ ନ୍ୟାୟାଳୟରୁ ଝଟକା ଲାଗିଛି। ଅଦାଲତ ମୁକେଶର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏବେ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ଦୋଷୀ ଫାଶୀ ପାଇବା ନିଶ୍ଚିତ। ସେମାନଙ୍କୁ ଫାଶୀ ଦେବାକୁ ନିଯୁକ୍ତ ଘାତକ ପଓ୍ବନ ଜଲ୍ଲାଦ ଏବେ ପ୍ରସ୍ତୁତ। ୪ ଦୋଷୀ ନିର୍ଭୟାଙ୍କ ସହିତ ଯେଉଁଭଳି ହିଂସ୍ର ଆଚରଣ କରି ଦୁଷ୍କର୍ମ ଏବଂ ହତ୍ୟା କରିଥିଲେ ସେ ଦୃଷ୍ଟିରୁ ସେମାନଙ୍କୁ ଫାଶୀ ଦେବା ହିଁ ଠିକ୍ ବୋଲି ପବନ ଜହ୍ଲାଦ କହିଛନ୍ତି ।

ନିର୍ଭୟା ଦୋଷୀ ମୁକେଶ ସିଂ ଫାଶୀ ଖୁଣ୍ଟରେ ଝୁଲିବା ନିଶ୍ଚିତ ।ତାର ସବୁ ଆଇନଗତ ବିକଳ୍ପ ସରିଯାଇଛି ।ଏବେ କେବଳ ସେ ଫାଶୀ ଖୁଣ୍ଟରେ ଝୁଲିବାକୁ ଦିନ ଗଣିବ ।କାରଣ ସୁପ୍ରିମକୋର୍ଟ ଆଜି ମୁକେଶ ସିଂର ଆବେଦନକୁ ଖାରଜ କରିଦେଇଛନ୍ତି ।ଦୟା ଯାଚିକା ଖାରଜ କରି ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ ରାଷ୍ଟ୍ରପତି ଦୟା ଯାଚିକା ଖାରଜ କରିବା ସମୟରେ ଯେ ନିଜର ବିବେକ ପ୍ରୟୋଗ କରିନାହାନ୍ତି ତାହା କୁହାଯାଇ ପାରିବ ନାହିଁ ।ଦୋଷୀ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତରବରିଆ ଭାବେ ନିଜର ବିବେକ ପ୍ରୟୋଗ ନକରି ତାର ଦୟା ଯାଚିକା ଖାରଜ କରିଦେଇଛନ୍ତି ।ଏପରିକି ରାଷ୍ଟ୍ରପତିଙ୍କୁ ତାର ସ୍ଥିତି ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦିଆଯାଇନଥିଲା ବୋଲି ମୁକେଶ ସିଂର ଓକିଲ ସୁପ୍ରିମକୋର୍ଟରେ ଦର୍ଶାଇଥିଲେ ।ସୁପ୍ରିମକୋର୍ଟଙ୍କ ତିନିଜଣିଆ ବେଞ୍ଚ ରାୟ ଶୁଣାଇ କହିଛନ୍ତି ଯେ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ସବୁ ଦସ୍ତାବିଜ୍‌ ଉପସ୍ଥାପନ କରାଯାଇଥିଲା ।ରାଷ୍ଟ୍ରପତି ଶୀଘ୍ର ନିଷ୍ପତ୍ତି ନେଇଛନ୍ତି ।ଏହାର ଅର୍ଥ ନୁହେଁ ଯେ ରାଷ୍ଟ୍ରପତି ତାଙ୍କର ବିବେକ ପ୍ରୟୋଗ କରିନାହାନ୍ତି ।

 ମୁକେଶ ସିଂ ଓକିଲ କୋର୍ଟରେ ଦର୍ଶାଇଥିଲେ ଯେ ଜେଲ୍‌ରେ ତାକୁ ଖୁବ୍ କଷ୍ଟ ସହିବାକୁ ପଡ଼ିଛି ।ଏହାର ଜବାବରେ କୋର୍ଟ କହିଛନ୍ତି ଯେ ଦୋଷୀ ଜେଲ୍‌ରେ ଖୁବ୍‌ ଯନ୍ତ୍ରଣା ପାଇବା ଅର୍ଥ ନୁହେଁ ଯେ ତାକୁ ମାଫ୍‌ କରିଦିଆଯିବ ।ରାଷ୍ଟ୍ରପତିଙ୍କ ପାଖକୁ ଦୟା ଯାଚିକା ଯିବା ବେଳେ ସବୁ ଦସ୍ତାବିଜ୍‌ ଦିଆଯାଇନଥିବା ମୁକେଶ ସିଂର ଓକିଲ ଦର୍ଶାଇଥିଲେ ।ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।କୋର୍ଟରେ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା କହିଥିଲେ ଯେ ସ୍ବାସ୍ଥ୍ୟ କାରଣରୁ ଫାଶୀ ଦଣ୍ଡାଦେଶ ରୋକାଯାଇ ପାରିବ ନାହିଁ ।କାରଣ ଦୋଷୀ ମୁକେଶ ସିଂର ସ୍ବାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ଠିକ୍‌ ଅଛି ।ଆସନ୍ତା ଶନିବାର ସକାଳ ୬ଟାରେ ଦୋଷୀ ମୁକେଶ ସିଂ, ପୱନ ଗୁପ୍ତା, ବିନୟ କୁମାର ଶର୍ମା ଓ ଅକ୍ଷୟ କୁମାର ଫାଶୀ ଖୁଣ୍ଟରେ ଝୁଲିବେ ।ତେବେ ଦୋଷୀ ଅକ୍ଷୟ କୁମାର ପକ୍ଷରୁ ଗତକାଲି ରାତିରେ କ୍ୟୁରେଟିଭ୍ ପିଟିସନ୍‌ ଦାୟର କରାଯାଇଥିବାରୁ ଫାଶୀ ତାରିଖ ପୁଣି ଘୁଞ୍ଚିପାରେ ବୋଲି ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ୪ ଦୋଷୀ ଫାଶୀ ପାଇଁ ଦିନ ଗଣୁଛନ୍ତି, ଆଉ ଅନ୍ୟପଟେ ପବନ ଜହ୍ଲାଦ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ପ୍ରସ୍ତୁତ ହେଉଛନ୍ତି ।ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ ।ତାଙ୍କର ତିନି ପୀଢ଼ି ଧରି ଫାଶୀ ଦେଇଆସିଛନ୍ତି ।ପୱନଙ୍କ ଜେଜେବାପା,ବାପା ମଧ୍ୟ ଫାଶୀ ଦେଉଥିଲେ ।ପବନ ଜହ୍ଲାଦ ଏହା ତାଙ୍କର ବଂଶ ପରମ୍ପରା ବୋଲି କହିଛନ୍ତି ।

ଏବେ ଅପେକ୍ଷା ୪ ଦୋଷୀଙ୍କର ସବୁ ଆଇନଗତ  ପ୍ରକ୍ରିୟା ଶେଷ ହେବାପରେ ସେମାନଙ୍କର ଫାଶୀ ଖୁଣ୍ଟରେ ଝୁଲିବାକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.