କିଙ୍ଗଫିସର ଓ ଜେଟ୍ ପରେ ଏବେ ଚିନ୍ତାରେ ପବନହଂସ ଲିମିଟେଡ କର୍ମଚାରୀ

Published By : Prameya-News7 Bureau | April 28, 2019 IST

ନୂଆଦିଲ୍ଲୀ ୨୮।୪:  ଘରୋଇ ବିମାନ ପରିବହନ ଉଦ୍ୟୋଗ ଏବେ ଗୁରୁତର ସମୟ ମଧ୍ୟଦେଇ ଗତି କରୁଛି । ଆର୍ଥିକ କ୍ଷତି ଯୋଗୁ ପୂର୍ବରୁ କିଙ୍ଗଫିସର ଏୟାରଲାଇନ୍ସ ବନ୍ଦ ହୋଇଯାଇଥିବା ବେଳେ ମାଲିକ ବିଜୟ ମାଲ୍ୟା ବ୍ୟାଙ୍କ ଋଣ ଠକେଇ ମାମଲାରେ ଦେଶରୁ ଫେରାର ହୋଇଯାଇଛନ୍ତି । ଏଣୁ ଏୟାରଲାଇନ୍ସର ଅନେକ କର୍ମଚାରୀ ଏବେବି ସେମାନଙ୍କ ବେତନ ଓ ଭବିଷ୍ୟନିଧି  ବକେୟା ପାଇପାରି ନାହାନ୍ତି । ନିକଟରେ ଆର୍ଥିକ କ୍ଷତିରେଚାଲି ଜେଟ୍ ଏୟାରଓ୍ବେଜ୍ ବନ୍ଦ ହେବା ପରେ କର୍ମଚାରୀଙ୍କ ପରିସ୍ଥିତି ଦାଣ୍ଡରେ ପଡି ହାଟରେ ଗଡଗଡଉଛି । ଏଥିରେ ଅନ୍ୟତମ ବିମାନ କମ୍ପାନୀ ପବନହଂସ ଲିମିଟେଡ ମଧ୍ୟ ସମାନ ସଙ୍କଟରେ ଘେରିଯାଇଛି ।

{"id":108557}

ଏ ନେଇ କମ୍ପାନୀ କର୍ମଚାରୀମାନଙ୍କୁ ମଧ୍ୟ ସତର୍କ କରାଇ ଦେଇଛି । ଆର୍ଥିକ ସଂକଟ ଯୋଗୁ କମ୍ପାନୀର ଭବିଷ୍ୟ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ସୂଚନା ମିଳିବା ପରେ କର୍ମଚାରୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ପବନ ହଂସ ଲିମିଟେଡ ୮୯ କୋଟି ଟଙ୍କାର କ୍ଷତିରେଥିବା ସର୍କୁଲାର ଜାରି କରି କର୍ମଚାରୀଙ୍କୁ ସୂଚିତ କରିଛି । ଦିନକୁ ଦିନ କମ୍ପାନୀର ଆୟ ହ୍ରାସ ହେଉଥିବା ବେଳେ ଖର୍ଚ୍ଚ ବଢିବଢି ଚାଲିଛି  ବୋଲି ଏଥିରେ କର୍ମଚାରୀମାନଙ୍କୁ ଜଣାଇ ଦିଆଯାଇଛି ।

{"id":108558}

ସେପଟେ ଗ୍ରାହକଙ୍କ ପୁରୁଣା ବାକି କମ୍ପାନୀ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ବକେୟା ରାଶି ଏବେ ୨୩୦ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ସେମାନେ ପୈଠ କରୁ ନାହାନ୍ତି । ଏଣୁ ଆର୍ଥିକ ଦୁଃସ୍ଥିତି ଯୋଗୁ କର୍ମଚାରୀମାନଙ୍କର ଚଳିତମାସର ବେତନ ପ୍ରଦାନ ପାଇଁ କମ୍ପାନୀ ଅକ୍ଷମତା ପ୍ରକାଶ କରିଛି । ପବନ ହଂସ ଲିମିଟେଡ ପ୍ରବନ୍ଧନର ଏହି ନିଷ୍ପତ୍ତିକୁ ବିରୋଧ କରିଛି କର୍ମଚାରୀ ସଂଘ। କର୍ମଚାରୀଙ୍କ ବେତନ ଅଟକାଇବା ଅମାନବୀୟ ବୋଲି କହିଛି ସଂଘ। ସାଧାରଣତଃ ବର୍ଷର ଏହି ସମୟରେ କମ୍ପାନୀ କର୍ମଚାରୀଙ୍କ ଇନକ୍ରିମେଣ୍ଟ କରିଥାଏ । ବେତନ ବୃଦ୍ଧି ଦୂରର କଥା ସେମାନଙ୍କ ବେତନ ରୋକିବା କଥା ଚିନ୍ତା ମଧ୍ୟ କରାଯାଇ ନପାରେ ବୋଲି ସଂଘ କହିଛି । ପ୍ରବନ୍ଧନର ନିଷ୍ପତ୍ତି ବିରୋଧରେ ପବନ ହଂସ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଧ୍ୟ ସତର୍କ କରାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.